ଆଳୁ କଳାବଜାରୀ ରୋକିବାକୁ ନିର୍ଦେଶ
ଭୁବନେଶ୍ୱର: ସମଗ୍ର ରାଜ୍ୟରେ ସମ୍ଭାବ୍ୟ ଆଳୁ କଳାବଜାରୀକୁ ରୋକିବାକୁ ସମସ୍ତ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ଅବୈଧ ମହଜୁଦକାରୀଙ୍କ ବିରୋଧରେ ଏସ୍ମା ଲାଗୁ କରିବାକୁ କୁହାଯାଇଛି। ଏ ସମ୍ପର୍କରେ ଯୋଗାଣ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ ପଡ଼ୋଶୀ ରାଜ୍ୟରେ ଆଳୁ ଉତ୍ପାଦନ ବାଧାପ୍ରାପ୍ତ ହେବାରୁ ଓଡ଼ିଶାରେ ଆଳୁ ଅଭାବ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଆଳ କରି କିଛି ଅସାଧୁ ବ୍ୟବସାୟୀ ଅଧିକ ପରିମାଣରେ ଆଳୁ ମହଜୁଦ୍ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିପାରନ୍ତି। ତେଣୁ ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆଳୁ ପରିବହନ ଯେପରି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସମ୍ପୃକ୍ତ ଜିଲାପାଳଙ୍କୁ ନିର୍ଦେଶ ରହିଛି। ଏଥିସହିତ ଗ୍ରାହକମାନେ ଯେପରି ଉଚିତ ମୂଲ୍ୟରେ ଆଳୁ ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି। ଆଳୁ ମହଜୁଦ ସୀମା କଟକରେ ୫ଶହ କ୍ୱିଣ୍ଟାଲ୍ ଓ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରରେ ୩୫୦ କ୍ୱିଣ୍ଟାଲ୍ରୁ ଅଧିକ ହେବ ନାହିଁ ବୋଲି ନିର୍ଦେଶନାମାରେ ସ୍ପଷ୍ଟ କରାଯାଇଛି।