ପଦ୍ମଶ୍ରୀ ମାଗୁଣୀ କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ
ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକପ୍ରକାଶ
କେନ୍ଦୁଝରଗଡ଼: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ରୀ କୁଅଁରଙ୍କ ନାତି ସ୍ୱସ୍ତିକ ମୁଖାଗ୍ନି ଦେଇଥିଲେ।
ଆଜି ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ୮୮ବର୍ଷ ବୟସରେ ପରଲୋକ ହୋଇଥିଲା। ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ଦୁଇ ବୋହୁ, ନାତି ନାତୁଣୀ, ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ। ଖବର ପାଇ କେନ୍ଦୁଝର ପୁରୁଣାସହର ବୈଦରାଜସାହିସ୍ଥିତ ତାଙ୍କ ବାସଭବନରେ ବହୁ ଶୁଭେଛୁ ଓ ପ୍ରିୟଜନ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ପଦ୍ମଶ୍ରୀ ମାଗୁଣୀ କୁଅଁରଙ୍କ ମରଶରୀରକୁ ଶୋଭାଯାତ୍ରାରେ ଆଣି ପୁରୁଣା ସହର ପରିକ୍ରମା କରାଯାଇଥିଲା ଏବଂ ଅପରାହ୍ନ ସାଢ଼େ ୩ଟାରେ ଗାଁ ଶ୍ମଶାନରେ ତାଙ୍କ ମରଶରୀର ପହଞ୍ଚିଥିଲା। ଜିଲା ପ୍ରଶାସନ ପକ୍ଷରୁ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଜିଲାପାଳ ଲଳିତ ସୋରେଙ୍ଗ, ସହକାରୀ ଉପଜିଲାପାଳ କେନ୍ଦୁଝର ପୁନମ ବିନୀତ ବାଗେ, ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ, କେନ୍ଦୁଝରଗଡ ପୌର ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀ, କେନ୍ଦୁଝର ସଦର ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଟାଉନ ଥାରନା ଅଧିକାରୀ ରମାକାନ୍ତ ସଏ, ଜିଲା ରେଡକ୍ରସ୍ ଯୁଗ୍ମସମ୍ପାଦକ ଏଆର ଖାନ ପ୍ରମୁଖ ଶ୍ମଶାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗାଁ ଶ୍ମଶାନରେ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କ ରାଷ୍ଟ୍ର୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ବର୍ଣ୍ଣ ହୋଇଥିଲା। ଶ୍ରୀ କୁଅଁରଙ୍କ ନାତି ସ୍ୱସ୍ତିକ ମୁଖାଗ୍ନି ଦେଇଥିଲେ।
ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର ପରଲୋକ ଖବର ପାଇ କେନ୍ଦୁଝର ପୁରୁଣାସହର ବୈଦରାଜସାହିସ୍ଥିତ ତାଙ୍କ ବାସଭବନରେ ବହୁ ଶୁଭେଛୁ ଓ ପ୍ରିୟଜନ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ବିଶିଷ୍ଟ ସମାଜସେବୀ ସେବତୀ ସିଂହ, ପୂର୍ବତନ ସାଂସଦ ଅନନ୍ତ ନାୟକ, କେନ୍ଦୁଝର ସଦର ବିଧାୟକ ମୋନ ଚରଣ ମାଝୀ, ବିଜେଡି ନେତା ମାଧବ ସର୍ଦ୍ଦାର, କଂଗ୍ରେସ ଲୋକସଭା ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାୟକ, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଇଂ ସୁବର୍ଣ୍ଣ ନାଏକ, କେନ୍ଦୁଝର ସଦର କଂଗ୍ରେସ ବିଧାୟିକା ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ ରୋଟାରିଆନ ରାଜେନ୍ଦ୍ର କୁମାର ପଲେଇ, କାଉନସିଲର ଶରତ କୁମାର ସାହୁ, ନିହାର ଦାସ, ପଙ୍କଜ କୁମାର ଦ୍ୱିଦେଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବୈଦରାଜସାହିସ୍ଥିତ ଶ୍ରୀ କୁଅଁରଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।
ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଥିଲେ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦୁଝର ଜିଲାର ଗୁରୁ ମାଗୁଣି କୁଅଁରଙ୍କର ଓଡିଶାର ଲୁପ୍ତପ୍ରାୟ କଣ୍ଢେଇ ନାଚ ପରମ୍ପରାକୁ ଉଜ୍ଜିବୀତ କରି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଗୁରୁ ମାଗୁଣି କୁଅଁରଙ୍କ ବିୟୋଗ ଓଡିଶାର ପାରମ୍ପରିକ କଳା ଜଗତ ପାଇଁ ଅପୂରଣୀୟ କ୍ଷତି। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ।
କଳା ଓ ସଂସ୍କୃତିର ପୂଜାରୀ ସ୍ୱର୍ଗତଃ ପଦ୍ମଶ୍ରୀ ମାଗୁଣୀ କୁଅଁରଙ୍କ ବିୟୋଗ ଓଡିଶା ପାଇଁ ଏକ ଶୂନ୍ୟସ୍ଥାନ ହୋଇଗଲା ବୋଲି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ ଏହା କହିବା ସହ କେନ୍ଦୁଝର ମାଟିର ଏହି ସୁଯୋଗ୍ୟ ସନ୍ତାନ କାଠି କଣ୍ଢେଇ ନୃତ୍ୟ ଯୋଗେ କେନ୍ଦୁଝରକୁ ବିଶ୍ୱ ଦରବାରରେ ପରିଚିତ କରାଇ ପାରିଥିଲେ ବୋଲି କହିଥିଲେ।
ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର ବିୟୋଗରେ କେନ୍ଦୁଝରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସହର ଉପକଣ୍ଠ ଡିମ୍ବୋସ୍ଥିତ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ, ଫାର୍ମାସୀ କଲେଜ, କେନ୍ଦୁଝର ନର୍ସିିଂ କଲେଜ ପରିସରରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ପଦ୍ମଶ୍ରୀ ମାଗୁଣୀ କୁଅଁରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଅମରଆତ୍ମାର ସଦ୍ଗତି କାମନା କରି ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ ବସନ୍ତ କୁମାର ଦାନୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଘଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଶ୍ରୀ କୁଅଁର ୧୨ ଫେବୃୟାରୀ ୧୯୩୭ରେ କେନ୍ଦୁଝର ପୁରୁଣାସହର ବୈଦରାଜସାହିରେ ଜନ୍ମଗ୍ରହଣ କରି ପରବର୍ତ୍ତୀ ସମୟରେ ସେ ନିଜସ୍ୱ ଉଦ୍ୟମରେ କାଠିକଣ୍ଢେଇ ନୃତ୍ୟ କରି ନିଜର ଜୀବୀକା ଆରମ୍ଭ କରିବା ସହ କାଠିକଣ୍ଢେଇ ନୃତ୍ୟଗୁରୁ ଭାବେ ସେ ସମଗ୍ର ଦେଶରେ ବେଶ୍ ପରିଚିତି ଲାଭ କରିଥିଲେ।
କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଜିଲା ଓ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଥିବା ବେଳେ ସେ ସଙ୍ଗୀତ ନାଟକ ଏକାଡେମୀ ଓ ୨୦୨୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇ କେନ୍ଦୁଝର ଜିଲାର ଗୌରବ ବୃଦ୍ଧି କରିଥିଲେ।
ସ୍ୱର୍ଗତଃ କୁଅଁରଙ୍କ ଦୁଇ ପୁଅ ମଧ୍ୟରୁ ସାନପୁଅ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ନିକଟରେ ବଡପୁଅର ମୃତ୍ୟୁ ପରେ ସେ ତାଙ୍କର ଏକମାତ୍ର ନାତି ଓ ଦୁଇ ଝିଅଙ୍କୁ ନେଇ ସଂଘର୍ଷମୟ ଜୀବନ ଅତିବାହିତ କରିଆସୁଥିଲେ।
Comments are closed.