ଧାନର ଅଭାବୀ ବିକ୍ରି ; ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ
ଧାମରା : ଧାମରା ନିକଟସ୍ଥ ଦୋସିଙ୍ଗା ସେବା ସମବାୟ ସମିତିରେ ଧାନର ଅଭାବୀ ବିକ୍ରି ଲାଗିରହିଛି। ଶନିବାର ବହୁ ଚାଷୀ ନିଜର ଧାନକୁ ସେବା ସମବାୟ ଆଗରେ ରଖି ସେବା ସମବାୟ ସମିତିକୁ ଅବରୋଧ କରିବା ସହ ଧାମରା-ବାଂଶଡା ରାସ୍ତାକୁ ଅବରୋଧ କରିଥିଲେ।
ଦୋସିଙ୍ଗା ପଞ୍ଚାୟତରେ ଥିବା ସେବା ସମବାୟ ସମିତିକୁ ପ୍ରଥମ ପର୍ଯ୍ୟାୟରେ ୮ହଜାର ୬୪୨କୁଇଣ୍ଟାଲ ଧାନ କିଣିବା ପାଇଁ ଆଦେଶ ଦିଆ ଯାଇଥିଲା। ଏଥି ମଧ୍ୟରୁ ବାସୁଦେବପୁର ଠାରେ ଥିବା ସିମ୍ବଲ ରାଇସ ମିଲକୁ ୫ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଆଦେଶ ଦିଆ ଯାଇଥିଲା। ଏହି ଆଦେଶକୁ ସିମ୍ବଲ ରାଇସ ମିଲ ଅମାନ୍ୟ କରି ୩ହଜାର ୫ଶହ କୁଇଣ୍ଟାଲ ଧାନ କିଣିବା ପରେ ଆଉ ଧାନ କିଣିବାକୁ ରାଜି ନୁହେଁ ବୋଲି ସମିତିର ସଂପାଦକ ମତପୋଷଣ କରିଥିଲେ। ଦୁର୍ଗା ରାଇସ ମିଲକୁ ଦିଆ ଯାଇଥିବା ଲକ୍ଷ୍ୟ(୪ହଜାର କୁଇଣ୍ଟାଲ) ପୂରଣ ହେବା ପରେ ସେ ଆଉ ଧାନ ଉଠାବାକୁ ରାଜି ନୁହେଁ ବୋଲି ମଧ୍ୟ ସଂପାଦକ ମତ ରଖିଥିଲେ।
ସରକାର ନୂତନ ଭାବରେ ପୁନଶ୍ଚ ଲକ୍ଷ୍ୟ ଦେବା ସହ ନୂତନ ମିଲରଙ୍କୁ ଆଦେଶ ଦେବା ପରେ ସମବାୟ ସମିତିରେ ଦେଖା ଦେଇଥିବା ଧାନର ଅଭାବୀ ବିକ୍ରି ସମ୍ଭବ ହେବ ବୋଲି ସଂପାଦକ ମତ ପୋଷଣ କରିଛନ୍ତି। ଆଜି ବହୁ ଚାଷୀ ନିଜର ଧାନକୁ ଆଣି ସମବାୟ ସମିତି ଆଗରେ ରଖିବା ସହ ରାସ୍ତାକୁ ଅବରୋଧ କରି ନିଜ ନିଜର ଧାନକୁ କ୍ରୟ କରିବାକୁ ସଂପାଦକଙ୍କୁ କହିଥିଲେ ମାତ୍ର ସଂପାଦକ ୧ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ଗଛିତ ଥିବାରୁ ଏବଂ ମିଲର ନଥିବାରୁ ଆଉ ଧାନ କିଣାହେବ ନାହିଁ ବୋଲି କହିଥିଲେ ଫଳରେ ଏ ନେଇ ସାଧାରଣରେ ଜନ ଅସନ୍ତୋଷ ଲାଗି ରହିଥିବା ବେଳେ ସମବାୟ ସମିତିର ସଭାପତି ଅଭିମନ୍ୟୁ ରାଉତ ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ କଥା ହେବା ପରେ ସମାଧାନ ହେବ ବୋଲି କହିବା ପରେ ଚାଷୀ ମାନେ ରାସ୍ତା ଅବରୋଧରୁ ଓହରି ଥିଲେ। ଏହାର ସଂପୂର୍ଣ ସମାଧାନ ଆସନ୍ତା ମଙ୍ଗଳବାର ସୁଦ୍ଧା ନ ହେଲେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।