ଉତ୍ତର ଭାରତରେ ଝଡ଼ ତୋଫାନ ଆରମ୍ଭ

0

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଝଡ଼ ତୋଫାନ ଆରମ୍ଭ ହୋଇଯାଇଛି । ଝଡ଼ ତୋଫାନ ରାଜସ୍ଥାନ, ପଞ୍ଜାବ, ହରିୟାଣା ଅତିକ୍ରମ କରି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀରେ ହାଲାକା ଝଡବର୍ଷା ଆରମ୍ଭ ହୋଇଯାଇଛି। ପଶ୍ଚିମଦିଲ୍ଲୀରେ ଧୂଳି ଝଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଲମ, ଦ୍ୱାରକା, ଗୁରୁଗ୍ରାମରେ ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ବେଗରେ ପବନ ବୋହୁଛି । କେତେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଏହି ଝଡ଼ ବର୍ଷା ମଙ୍ଗଳବାର ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା ଜାରି କରିଛି। ଫଳରେ ଦିଲ୍ଲୀରେ ମଙ୍ଗଳବାର ସମସ୍ତ ସନ୍ଧ୍ୟା ସ୍କୁଲ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଉତ୍ତର ଭାରତର ଅନେକ ସ୍କୁଲ, କଲେଜ ବନ୍ଦ କରାଯାଇଛି । ସୋମବାର ସନ୍ଧ୍ୟାରେ ରାଜସ୍ଥାନର ବିକାନେର, ଉତ୍ତର ପ୍ରଦେଶର ମେରଠ, ଗାଜିଆବାଦରେ ଧୂଳି ଝଡ଼ ଦେଖିବାକୁ ମିଳିଛି । ଆଗ୍ରାରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବୋହିବ ବୋଲି ଆଗ୍ରା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଝଡ଼ ତୋଫାନରୁ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ବରଫ ସ୍ଖଳନ ହୋଇଛି । ବରଫ ଖସିବାରୁ ହିମାଚଳର ରୋହତାଙ୍ଗରେ ୫ ପର୍ଯ୍ୟଟକ ଫସି ଯାଇଥିଲେ । ପରେ ସେମନଙ୍କୁ ସ୍ଥାନୀୟ ପୁଲିସ୍‌ ଓ ବିପର୍ଯ୍ୟୟ ପ୍ରଶମନ ଦଳ ଉଦ୍ଧାର କରିଥିଲେ । ଉଲ୍ଲେଖ ଯେ ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ, ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ, ସିକିମ୍‌ ଓ ପଶ୍ଚିମ ବଙ୍ଗରେ ଏହି ଘୂର୍ଣ୍ଣିଝଡ ହେବ। ଏହା ସହିତ ପଞ୍ଜାବ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ, ତାମିଲନାଡୁ, କେରଳ, ଓଡିଶା, ତେଲଙ୍ଗାନା ଆଦି ରାଜ୍ୟରେ ଝଡ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

Leave A Reply