ବନବିଭାଗ ଖୋଳିଥିବା ଟ୍ରେଞ୍ଚରେ ଖସି ପଡ଼ିଲା ମାଈହାତୀ, ୩ ଦିନ ସଂଘର୍ଷ ପରେ ମୃତ୍ୟୁ

ନୀଳଗିରି: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ଜଙ୍ଗଲରେ  ବନବିଭାଗ ଖୋଳିଥିବା ଟ୍ରେଞ୍ଚ ବା ନାଳରେ ଖସି ଏକ ମାଈହାତୀର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟର ଚେମଚଟା ପାହାଡ଼ ତଥା ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ବଡ଼ପଦା ଅଞ୍ଚଳରେ ବନବିଭାଗ ତରଫରୁ ଦୀର୍ଘଦିନ ପୂର୍ବରୁ ଏକ ଟ୍ରେଞ୍ଚ ଖୋଳା ଯାଇଥିଲା ।

୩ଦିନ ପୂର୍ବରୁ କୁଲଡିହା ଜଙ୍ଗଲରୁ ମାଈହାତୀଟି ଖାଦ୍ୟ ଅନ୍ୱେଷଣରେ ସେଠାକୁ ଯାଇ ଗୋଡ଼ ଖସି ଯିବାରୁ ସେ ଟ୍ରେଞ୍ଚରେ ଗଳି ପଡ଼ିଥିଲା । ଉଠିବାକୁ ଚେଷ୍ଟା କରୁଥିଲେ ମଧ୍ୟ ୭୨ଘଣ୍ଟା ଧରି ଉକ୍ତ ଖାଲରେ ପଡ଼ି ରହିବା ଯୋଗୁ ହାତୀର ଅଙ୍ଗ ସବୁ ଅଚଳ ହୋଇ ପଡ଼ିଥିଲା । ଶେଷରେ ସେଠାରେ ମୃତ୍ୟୁ ସହ ସଂଗ୍ରାମ କରି ଏହି ମାଈହାତୀର ମୃତ୍ୟୁ ଘଟିଛି ।

ହାତୀଟି ଟ୍ରେଞ୍ଚକୁ ଖସିବା ଘଟଣାରେ କପ୍ତିପଦା ବନବିଭାଗ ସାମାନ୍ୟ ତତ୍ପରତା ପ୍ରକାଶ କରିଥିଲେ ହୁଏତ ଏହି ମାଈହାତୀଟି ବଞ୍ଚି ପାରିଥାନ୍ତା ବୋଲି ଜନ୍ତୁପ୍ରେମୀମାନେ ମତ ଦେଇଛନ୍ତି । ସେପଟେ ଖବରପାଇ ଆଜି କୁଲଡିହା ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁ, କପ୍ତିପଦା ରେଞ୍ଜ ଅଧିକାରୀ ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ସଦଳବଳେ ସେଠାରେ ପହଞ୍ଚି ତଦନ୍ତ କରିବା ସହ ଜେସିବି ଲଗାଇ ହାତୀର ମୃତଦେହକୁ ଟ୍ରେଞ୍ଚରୁ ଉଠାଇଛନ୍ତି ।

Comments are closed.