ଏସ୍ସି କମିଶନଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର: ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାରେ ଜାତୀୟ ଅନୁସୂଚିତ ଜାତି(ଏସ୍ସି) ଆୟୋଗଙ୍କ ନିକଟରେ ଆଜି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଓ ପୁଲିସ ପଦାଧିକାରୀ ହାଜର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗୃହ ସଚିବ ଅସିତ ତ୍ରିପାଠୀ, ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା, କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା, କୋରାପୁଟ୍ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଅଛନ୍ତି। ୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ୍ର କୁନ୍ଦୁଲିଠାରେ ଜନୈକା ୧୪ ବର୍ଷର ନାବାଳିକାଙ୍କୁ ମିଲିଟାରୀ ପୋଷାକ ପିନ୍ଧିଥିବା ଚାରିଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ୨୦୧୮, ଜାନୁଆରୀ ୨୨ ତାରିଖରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ। ୨୦୧୮ ଫେବୃଆରୀ ୧୨ ତାରିଖରେ ଜାତୀୟ ଅନୁସୂଚିତ ଜାତି(ଏସ୍ସି) ଆୟୋଗ ସଦସ୍ୟ ଯୋଗେନ୍ଦ୍ର ପାଶୱାନ୍ କୁନ୍ଦୁଲି ଗସ୍ତରେ ଆସି ଘଟଣାର ତଦନ୍ତ କରିଥିଲେ।