ଭାରତ ସହିତ ୪.୯ ବିଲିୟନ ଡଲାରର ଅବୈଧ ଅର୍ଥ କାରବାର କରିଥିଲେ ସରିଫ!

0

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଭାରତ ସହିତ ୪.୯ ବିଲିୟନ ଡଲାରର ଅବୈଧ ଅର୍ଥ କାରବାର କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ପାକିସ୍ତାନର ନ୍ୟାସନାଲ ଏକାଉଣ୍ଟେବିଲିଟି ବ୍ୟୁରୋ ନିଜ ଆଡ଼ୁ ତଦନ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି। ପ୍ରକାଶିତ ଖବର ଅନୁଯାୟୀ, ସରିଫଙ୍କ ଏହି ବେଆଇନ ଅର୍ଥ କାରବାର ଯୋଗୁଁ ଭାରତୀୟ ବୈଦେଶିକ ମୁଦ୍ରା ଭଣ୍ଡାରରେ ଅଭିବୃଦ୍ଧି ଘଟିଥିବାବେଳେ ପାକିସ୍ତାନ କ୍ଷତିଗ୍ରସ୍ତ ହୋଇଥିଲା। ବିଶ୍ୱବ୍ୟାଙ୍କର ‘ମାଇଗ୍ରେସନ୍‌ ଏଣ୍ଡ ରେମିଟାନ୍ସ ବୁକ୍‌-୨୦୧୬’ ରିପୋର୍ଟକୁ ଆଧାରକରି ଏହି ଖବର ପ୍ରକାଶିତ ହୋଇଥିଲା। ନୱାଜ ସରିଫଙ୍କ ବିରୋଧରେ ଏକାଧିକ ଦୁର୍ନୀତି ଅଭିଯୋଗ ରହିଥିବାବେଳେ ଏହା ତାଙ୍କୁ ଅଧିକ ଛନ୍ଦି ଦେଇଛି। ପାନାମା ପେପର୍ସ ମାମଲା ରାୟକୁ ନେଇ ସେ ଉଭୟ ରାଜନୈତିକ ଓ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ଗତ ବର୍ଷ ଜୁଲାଇ ୨୮ରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ ଘୋଷଣା କରିବା ପରେ ସେ ପଦଚ୍ୟୂତ ହୋଇଥିଲେ। ପରିବାର ମାଲିକାନାରେ ଥିବା ଅଲ-ଅଜିଜା ଇସ୍ପାତ କାରଖାନାକୁ ଅନୈତିକ ଅନୁକମ୍ପା, ଲଣ୍ଡନରେ ବେଆଇନ ସମ୍ପତ୍ତି ଠୁଳ, ଫ୍ଲାଗସିପ୍‌ ଇନ୍‌ଭେଷ୍ଟମେଣ୍ଟ ଲିମିଟେଡରେ ବେଆଇନ କାରବାର ଇତ୍ୟାଦି ନେଇ ତାଙ୍କ ବିରୋଧରେ ମାମଲା ରହିଛି।

Leave A Reply