କେରଳ ଛୁଇଁଲା, ରଜ ପୂର୍ବରୁ ଓଡ଼ିଶା ଆସିବ ମୌସୁମୀ

ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା

 

 

prayash

 ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଚଳିତଥର କେରଳରେ ଆଗୁଆ ମୌସୁମୀ ଛୁଇଁଛି। ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ମଧ୍ୟ ହେଉଛି। ତେବେ ଓଡ଼ିଶାରେ ରଜ ପୂର୍ବରୁ ମୌସୁମୀ ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି। ଜୁନ ୧୨ ପରେ ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଥିବାବେଳେ ପ୍ରାକ ମୌସୁମୀ ବର୍ଷା ଏହା ପୂର୍ବରୁ ଦେଖାଦେବ ବୋଲି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର କେରଳ ଉପକୂଳ ଏବଂ ଉତ୍ତର-ପୂର୍ବର କିଛି ଅଂଶରେ ପହଞ୍ଚିଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି ଏବଂ ଆଜି ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ଆଗକୁ ବଢ଼ିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମୌସୁମୀ ଆଗୁଆ ଆସି ଦୁଇ ଦିନ ପୂର୍ବରୁ କେରଳ ଛୁଇଁଛି। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ରାଜ୍ୟ ତଥା ଦେଶରେ ଏଥର ଭଲ ବର୍ଷା ହେବ ଏବଂ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ ୧ରୁ ସେପଟେମ୍ବର ୩୦ ପର୍ଯ୍ୟନ୍ତ ମୌସୁମୀ ପାଇଁ ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

Comments are closed.