www.samajalive.in
Sunday, December 7, 2025
14.1 C
Bhubaneswar

୩୭-୩୭ରେ ଛିଣ୍ଡିଛି ଆସନ ବୁଝାମଣା ! ଏସ୍‌ପି-ବିଏସ୍‌ପି ମହାମେଣ୍ଟ ଘୋଷଣା ଶନିବାର

ଲକ୍ଷ୍ନୌ : ଉତ୍ତରପ୍ରଦେଶ (ୟୁପି)ରେ ଶନିବାର ଘୋଷଣା ହେବ ମହାମେଣ୍ଟ। ବିଜେପିକୁ ପରାହତ କରିବା ଲକ୍ଷ୍ୟରେ ହାତ ମିଳାଇଥିବା ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଦୁଇ ଦଳ ମଧ୍ୟରେ ମହାମେଣ୍ଟ ସମ୍ବନ୍ଧରେ ଔପଚାରିକ ଭାବେ ଘୋଷଣା କରିବେ। ଏନେଇ ଶନିବାର ମଧ୍ୟାହ୍ଣ ୧୨ଟାରେ ଲକ୍ଷ୍ନୌସ୍ଥିତ ହୋଟେଲ ତାଜଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି ଦୁଇ ନେତା। ୨୦୧୭ରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ସହିତ ମିଳିତ ଉଦ୍‌ବୋଧନ ପରେ ଏହା ଅଖିଳେଶଙ୍କର ପ୍ରଥମ ମିଳିତ ସାମ୍ବାଦିକ ସମ୍ମିଳନୀ। ଅନ୍ୟପଟେ ପୂର୍ବରୁ ଅଖିଳେଶଙ୍କ ପିତା ମୁଲାୟମ ସିଂହ ଯାଦବ ଓ କାଂଶୀରାମଙ୍କ ସମୟରେ ଦୁଇ ଦଳ ମିଳିତ ଭାବେ ନିର୍ବାଚନ ଲଢି ବିପୁଳ ବିଜୟ ଲାଭ କରିଥିଲେ। ଦୀର୍ଘ ୨୫ ବର୍ଷ ପରେ ଏହି ଦୁଇ ଦଳ ପୁନଃ ବିଜେପିକୁ ପରାଜିତ କରିବାକୁ ଏକତ୍ର ହୋଇଥିବାରୁ ଏହି ସାମ୍ବାଦିକ ସମ୍ମଳନୀ ଅଧିକ ଗୁରୁତ୍ବ ବହନ କରେ। ନିଜ ନିଜର ନୀତିଗତ ଆଦର୍ଶକୁ ଦୃଷ୍ଟିରେ ରଖି ଅଖିଳେଶ ଓ ମାୟାବତୀ ଏହି ମହାମେଣ୍ଟକୁ ମଞ୍ଜୁରୀ ଦେଇଥିବା ବେଳେ କଂଗ୍ରେସକୁ ଏଥିରୁ ଦୂରେଇ ରଖିଛନ୍ତି। ସୂଚନାନୁସାରେ ରାଜ୍ୟର ମୋଟ ୮୦ଟି ଲୋକସଭା ଆସନ ମଧ୍ୟରୁ ଉଭୟ ଦଳ ୩୭ ଲେଖାଏଁ ଆସନରେ ପ୍ରାର୍ଥୀ ଦେବେ ବୋଲି ସ୍ଥିର ହୋଇଛି। ଏସ୍‌ପି-ବିଏସ୍‌ପିର ଏହି ରଣନୀତି ବିଜେପିର ଆସନ ସଂଖ୍ୟା ନିଶ୍ଚିତ ହ୍ରାସ କରିବ। ରାଜ୍ୟରେ ଦଳ ୨୫ରୁ ୩୦ ଆସନ ହରାଇବ ବୋଲି ବିଜେପି ନିଜେ ଆକଳନ କରିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡିକ ୮୦ ଆସନ ମଧ୍ୟରୁ ୭୩ଟି ଜିତିଥିଲେ। ଏସ୍‌ପିକୁ ମାତ୍ର ୫ଟି ଆସନ ମିଳିଥିବା ବେଳେ ବିଏସ୍‌ପି ଆଦୌ ଖାତା ଖୋଲିପାରି ନ ଥିଲା। ଏଣୁ ମୋଦୀ ଲହରକୁ ଦୃଷ୍ଟିରେ ରଖି ଗୋରଖପୁର, ଫୁଲପୁର ଓ କୌରାନା ଉପନିର୍ବାଚନ-୨୦୧୮ ପାଇଁ ଅଖିଳେଶ ମାୟାବତୀଙ୍କ ସହିତ ହାତ ମିଳାଇଥିଲେ। ଓବିସି, ଦଳିତ ଓ ମୁସଲମାନ ଭୋଟକୁ ଏକତ୍ର କରି ଏହି ମହାମେଣ୍ଟ ସଫଳତା ଲାଭ କରିଥିଲା।
କିଛି ଦିନ ପୂର୍ବେ ଉଭୟ ନେତା ଦୁଇ ଦଳର ମେଣ୍ଟ ସମ୍ଭାବନା ବିଷୟରେ ସୂଚନା ପ୍ରଦାନ କରିଥିଲେ। ସେହିଦିନ ହିଁ ଅଖିଳେଶଙ୍କୁ ବେଆଇନ ଖଣି ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଖବର ଆସିଥିଲା। ତତ୍‌ସମୟରେ ମାୟାବତୀ ସମ୍ପୂର୍ଣ୍ଣ ଭାବେ ଅଖିଳେଶଙ୍କ ପ୍ରତି ତାଙ୍କ ସମର୍ଥନ ପ୍ରକାଶ କରିଥିଲେ। କଂଗ୍ରେସ ପରି ବିଜେପି ମଧ୍ୟ ସରକାରୀ କଳର ଅନୁଚିତ ଉପଯୋଗ ପୂର୍ବକ ବିରୋଧୀମାନଙ୍କୁ ଟାର୍ଗେଟ କରୁଛି ବୋଲି ମାୟାବତୀ ଅଭିଯୋଗ ଦର୍ଶାଇଥିଲେ। ଜାନୁଆରୀ ୧୫ରେ ମାୟାବତୀଙ୍କ ଜନ୍ମଦିନ ପୂର୍ବରୁ ମହାମେଣ୍ଟ ସମ୍ବନ୍ଧରେ ଘୋଷଣା କରାଯାଉଛି। ଉକ୍ତ ଦିନ ଉଭୟ ନେତା ମିଳିତ ଭାବେ ଗୋଟିଏ ମଞ୍ଚ ଉପରୁ ଏକତାର ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଅଖିଳେଶଙ୍କ ପତ୍ନୀ ତଥା କନୌଜ ସାଂସଦ ଡିମ୍ପଲ ଯାଦବ ବିଏସ୍‌ପି ମୁଖ୍ୟାଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଛନ୍ତି। ଅନ୍ୟପଟେ ଏସ୍‌ପି-ବିଏସ୍‌ପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲଡି)ମଧ୍ୟ ସାମିଲ ବୋଲି ଏହାର ମୁଖ୍ୟ ଅଜିତ ସିଂହ ପ୍ରକାଶ କରିଛନ୍ତି। କିନ୍ତୁ ଆସନ ବୁଝାମଣା ନେଇ ମାୟାବତୀ ଓ ଅଖିଳେଶଙ୍କ ସହିତ ଏଯାବତ୍‌ କୌଣସି ଆଲୋଚନା ହୋଇ ନ ଥିବା ସେ ସୂଚନା ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories