Patra electronics

“ସମାଜ’ର ନିରପେକ୍ଷତା ଓ ବିଶ୍ୱସନୀୟତା ଅତୁଳନୀୟ’

0

କଟକ : ଆଜିର ଜଗତୀକରଣ ଯୁଗରେ ଅନେକ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ଆବିର୍ଭାବ ଘଟିଛି। ଖୁବ ସୁନ୍ଦର ପରିପାଟୀରେ ପ୍ରକାଶ ପାଉଛି ଭଳିକି ଭଳି ଖବରକାଗଜ। ହେଲେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ “ସମାଜ’ ଏପରି ଗୋଟିଏ ଖବରକାଗଜ, ଯିଏ ସର୍ବଦା ନିରପେକ୍ଷତା ରକ୍ଷା କରି ଖବର ପରିବେଷଣ କରିଆସୁଛି ଏବଂ ଏହାର ବିଶ୍ୱସନୀୟତାର ତୁଳନା ନାହିଁ ବୋଲି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାରସ୍ୱତ ସାଧକ ପ୍ରଫେସର ମନୋଜ ଦାସ ମତବ୍ୟକ୍ତ କରିଛନ୍ତି। ସୋମବାର ଅପରାହ୍ଣରେ ପ୍ରଫେସର ଦାସ “ସମାଜ’ କାର୍ଯ୍ୟାଳୟକୁ ଏକ ସୌଜନ୍ୟମୂଳକ ପରିଦର୍ଶନରେ ଆସିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା “ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ପ୍ରଫେସର ଦାସ “ସମାଜ’ ସହିତ କିପରି ଯୋଡ଼ିହେଲେ ତାହାର ଅବତାରଣା କରିବାକୁ ଯାଇ ଅତୀତରେ ‘ସମାଜ’ ପୃଷ୍ଠାରେ ସେ ଲେଖିଥିବା ସ୍ତମ୍ଭ “ସମ୍ବାଦ ଓ ସଙ୍କେତ’ ଏବଂ “ସମ୍ବାଦ ଓ ସମୀକ୍ଷା’ର ଲୋକପ୍ରିୟତା ବର୍ଣ୍ଣନା କରିଥିଲେ। ପୁଣି ସେ କହିଥିଲେ ବର୍ତ୍ତମାନ ପ୍ରାୟତଃ ସମସ୍ତ ଖବରକାଗଜ ଓ ସାହିତ୍ୟ ପତ୍ରିକା ବ୍ୟକ୍ତିଗତ ମାଲିକାନାରେ ଚାଲୁଛି। ଏଥିରେ ରାଜନୈତିକ ପ୍ରଭାବ ମଧ୍ୟ ରହୁଛି। କେତେକ ସ୍ଥାନରେ ମାଲିକ-ଭୃତ୍ୟର ସ୍ଥିତି ବି ଦେଖାଯାଉଛି। ବାକ୍‌ ସ୍ୱାଧୀନତାର କଣ୍ଠରୁଦ୍ଧ ହେଉଛି। ବିଜ୍ଞାପନ ନାଁରେ ଅଶ୍ଲୀଳତାକୁ ପ୍ରଶୟ ଦିଆଯାଉଛି। ହେଲେ “ସମାଜ’ ଓ “ଗୋପବନ୍ଧୁଙ୍କ ସତ୍ୟବାଦୀ’ ଏପରି ଏକ ପ୍ରକାଶନ ଯେଉଁଥିରେ ରୁଚିଶୀଳତାକୁ ପ୍ରାଥମିକତା ଦିଆଯାଏ ଏବଂ କୌଣସି ରାଜନୈତିକ ବ୍ୟକ୍ତିବିଶେଷ କିମ୍ବା ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ଏହା ପରିଚାଳିତ ହୁଏ ନାହିଁ। ଏଥିପାଇଁ ସମାଜ ପ୍ରତି ମୋର ସ୍ୱତନ୍ତ୍ର ସମ୍ମାନ ରହିଛି । “ଗୋପବନ୍ଧୁଙ୍କ ସତ୍ୟବାଦୀ’ରେ ଯେପରି ଉଚ୍ଚକୋଟୀର ଓ ମୂଲ୍ୟବୋଧଭିତ୍ତିକ ଲେଖାସବୁ ସ୍ଥାନିତ ହେଉଛି, ତାହା ପାଠକୀୟ ରୁଚିବୋଧ ବଢ଼ାଉଛି। ଚେତନାର ସ୍ତର ନିମ୍ନଗାମୀ ହେଲା ଭଳି ଲେଖା କୌଣସି ପରିସ୍ଥିତରେ ଏଥିରେ ସ୍ଥାନ ପାଇବା ଉଚିତ ନୁହେଁ । “ସମାଜ’ର ପ୍ରକାଶକ ଓ ମୁଦ୍ରାକର ଶ୍ରୀ ରଥ ଓ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି “ସମାଜ’ର ବିଭିନ୍ନ ପ୍ରକାଶନ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ଉତ୍ସବର ଫଟୋ ଆଲବମକୁ ଦେଖି ଅଭିଭୂତ ହୋଇଯାଇଥିଲେ। ସୂଚନାଯୋଗ୍ୟ ଯେ ବାର୍ଷିକୋତ୍ସବରେ ପ୍ରଫେସର ଦାସ ଉଦ୍‌ଘାଟକ ତଥା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ପୂର୍ବରୁ ପ୍ରଫେସର ଦାସ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ମାନବସମ୍ବଳ ବିଭାଗ ସହକାରୀ ପରିଚାଳକ କୃଷ୍ଣଚନ୍ଦ୍ର ସାହୁ, ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନରଞ୍ଜନ ରଥ, ସହ-ସମ୍ପାଦକ ସୁଶ୍ରୀ ମମତା ବିଶୋଇ, ମନୋଜ ମେହେର ଓ ଲହରିକା ପଟ୍ଟନାୟକ ଉପସ୍ଥିତ ଥିଲେ।

Leave A Reply