www.samajalive.in
Wednesday, December 10, 2025
15.1 C
Bhubaneswar

ସାରା ଓଡ଼ିଶା ପାଇଁ ପ୍ରେରଣା ସାଜିଛନ୍ତି ପୁରୀର ସୁନା ଝିଅ ମାମୁନ୍

ଭୁବନେଶ୍ବର: ଗ୍ରୁମିଂ କାହାକୁ ବା ପସନ୍ଦ ନୁହେଁ ! ସୌନ୍ଦର୍ଯ୍ୟ ପ୍ରତିଟି ନାରୀ ଜୀବନର ଅଳଙ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ। ସୁନ୍ଦରତା ଯଦିଓ ସମସ୍ତଙ୍କର ପସନ୍ଦ କିନ୍ତୁ ତା’ ପଛରେ ରହିଥିବା ଗୁପ୍ତ ଚେହେରାଟିକୁ ଭୂଲି ଯାଆନ୍ତି ଲୋକେ। ତଥାପି ଶାମୁକା ଭିତରେ ଚକାଚକ୍ କରୁଥିବା ମୁକ୍ତା ଲୁକ୍କାୟିତ ହୋଇ ରହିଲା ଭଳି ମନୁଷ୍ୟର ପ୍ରତିଭା କେବେ ଲୁଚି ରହି ନ ପାରେ। ସେହିପରି ଜଣେ ମୁକ୍ତା ହେଉଛନ୍ତି ମାମୁନ୍ ଦାଶ। ଜଣେ ସାଧାରଣ ଝିଅରୁ ଜଣେ ସଫଳ ଉଦ୍ୟୋଗୀ ଓ ପରେ ପରେ ନାରୀ ଜାତି ପାଇଁ ପ୍ରେରଣା ସାଜିଛନ୍ତି ପୁରୀର ଗର୍ବ ମାମୁନ୍ ଦାଶ ଓରଫ୍ ହରସ୍ମିତା ଦାଶ।

ପୁରୀ ସହରରେ ବ୍ରହ୍ମଣ ସମ୍ପ୍ରଦାୟରେ ତାଙ୍କର ଜନ୍ମ। ଦୀର୍ଘ ୮ ବର୍ଷ ଧରି ଦିଲ୍ଳୀ ଆନ୍ତର୍ଜାତୀୟ ଏୟାରପୋର୍ଟରେ ସେ ଚାକିରୀ ଛାଡ଼ି ପୁରୀରେ ନିଜସ୍ୱ ପରିଶ୍ରମରେ ସ୍ୟାଲୋନ୍ କରିବାର ନିଷ୍ପତ୍ତି ନେଲେ ମାମୁନ୍ ଦାଶ। ପୁରୀ ସହରରେ ବ୍ରାହ୍ମଣ ପରିବାରରେ ଜନ୍ମିତ ଝିଅଟିଏ ପାଇଁ “ସ୍ୟାଲୋନ୍” ଖୁବ୍ ଚ୍ୟାଲେଞ୍ଜିଙ୍ଗ ଥିଲା। ଲୋକେ କୁହନ୍ତି ବ୍ରାହ୍ମଣ ଝିଅଟିଏ ହୋଇ ତୁ ପାର୍ଲର କରିବୁ ! କେହି କେହି ସିଧାସଳଖ କୁହନ୍ତି, ଚାକିରୀ ଛାଡ଼ି ଏଇ କାମ କରିବା ଅର୍ଥ ଝିଅଟିର ମତିଭ୍ରମ ହୋଇଛି ନିଶ୍ଚିତ। କେବଳ ଘରେ ମା’ ହିଁ ସପୋର୍ଟ କରନ୍ତି।

- Advertisement -

ଯେତେବେଳେ ନିଜେ ଗୋଟେ ପାଖରେ ଓ ସାରା ଦୁନିଆ ବିରୁଦ୍ଧରେ ଏକାକୀ ଲଢ଼ିବା ଓ ନିଜକୁ ସଠିକ୍ ପ୍ରମାଣିତ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ଖୁବ୍ କଷ୍ଟକର। ଶେଷରେ ଦୁନିଆର ନିନ୍ଦା, ଅପମାନ ଓ ତାତ୍ସଲ୍ୟକୁ ପଛରେ ପକାଇ ଏକାକୀ ଆରମ୍ଭ କରନ୍ତି ନିଜର ସଂଘର୍ଷର ଯାତ୍ରା ଓ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଯାଇ ୨୦୨୦ ଅକ୍ଟୋବରରେ ଆରମ୍ଭ କରନ୍ତି “ମାମୁନ’ସ ମେକଓଭର”।

ଦୀର୍ଘ ୩ବର୍ଷ ଭିତରେ ମାମୁନଙ୍କର ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ଦିଏ ସ୍ୱତନ୍ତ୍ର ପରିଚୟ। କେବଳ ପୁରୀ ନୁହେଁ ସାରା ଓଡ଼ିଶାରେ ଖୁବ୍ ଖ୍ୟାତି ଅର୍ଜନ କରନ୍ତି ମାମୁନ୍। ଧିରେ ଧିରେ ସେ ଲକ୍ଷ୍ୟ କରନ୍ତି ମେକଅପ୍ ଓ ବ୍ୟୁଟିକୁ ନେଇ ଦିନକୁ ଦିନ ଝିଅଙ୍କର ଆଗ୍ରହ ବଢ଼ୁଛି। ଏହି ଦିଗରେ ନିଜକୁ ଆଗେଇ ନେବା ପାଇଁ ଇଚ୍ଛୁକ ଅଛନ୍ତି ଗାଁ ଗହଳିର ଅନେକ ଝିଅ। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଝିଅଙ୍କୁ ରୋଜଗାର ଯୋଗାଇ ଦେଇ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସେ ଏହି ସମ୍ମତ ଶିକ୍ଷାଦାନ ମଧ୍ୟ ଆରମ୍ଭ କରନ୍ତି, ଯାହା ଏବେ “ମାମୁନ ଦାଶ ମେକଅପ୍ ଆଣ୍ଡ ଷ୍ଟାଇଲ୍ ଏକାଡେମୀ” ନାଁରେ ବେଶ୍ ପ୍ରସିଦ୍ଧି ଲାଭ କରିଛି।

ପାଠ ପ୍ରତି ରୁଚି ରଖୁନଥିବା ପିଲା ହୁଅନ୍ତୁ ଅବା ସମ୍ଭ୍ରାନ୍ତ ଶ୍ରେଣୀର ଝିଅ ବୋହୁମାନେ ଏଠାରେ ଶିଖିବାର ସୁଯୋଗ ପାଇବା ସହିତ ନିଜର ସ୍ୱତନ୍ତ୍ର ପରିଚୟ ବନେଇ ରୋଜଗାରକ୍ଷମ ହୋଇପାରୁଛନ୍ତି। ବିଗତ ବର୍ଷ ଅର୍ଥାତ୍ ୨୦୨୩ ଜୁନ୍ ୧ ତାରିଖରେ ହୋଇଥିବା ଏହି ଏକାଡେମୀ ଏବେ ୧ ବର୍ଷ ପୂର୍ତ୍ତି ଲାଭ କରିଛି। ବର୍ଷେ ମଧ୍ୟରେ ପାଖାପାଖି ୧୦୦ ରୁ ଉଦ୍ଧ୍ୱର୍ ଝିଅମାନେ “ମାମୁନ୍ ଦାଶ ମେକଅପ୍ ଆଣ୍ଡ ଷ୍ଟାଇଲ୍ ଏକାଡେମୀ”ରେ ଶିକ୍ଷାଲାଭ କରି କୌଣସି ବଡ଼ ସ୍ୟାଲୋନରେ କାମ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଝିଅ ମାନଙ୍କର ଇଚ୍ଛାଶକ୍ତି ଓ ଆର୍ଥିକ ସମସ୍ୟାକୁ ଦ୍ୟଷ୍ଟିରେ ରଖି ଖୁବ୍ କମ୍ ମୂଲ୍ୟରେ ଏହି ଶିକ୍ଷା ଯୋଗେଇ ଦେଉଛନ୍ତି ମାମୁନ୍, ଯାହା ସବୁ ବର୍ଗର ଝିଅଙ୍କ ପାଇଁ ଯଥେଷ୍ଟ ଲାଭଦାୟକ ହୋଇପାରୁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଏହି ସ୍ୟାଲୋନ୍ ଓ ଏକାଡେମୀ ବସ୍ ଷ୍ଟାଣ୍ଡ ନିକଟରେ ରହିବା ପଛରେ ମଧ୍ୟ ଏକ ମହତ୍ତ୍ୱ କାରଣ ରହିଛି। ଦୂର ଦୂରାନ୍ତରୁ ଆସୁଥିବା ଶିକ୍ଷାର୍ଥୀ ମାନଙ୍କ ପାଇଁ ଏହା ସୁବିଧା ହେବା ସହିତ କୌଣସି ଅଯଥା ଗାଡ଼ି ଖର୍ଚ୍ଚାନ୍ତକୁ ରୋକିବା ପାଇଁ ବସ୍ ଷ୍ଟାଣ୍ଡ ନିକଟରେ ଏହି ଏକାଡେମୀ ଖୋଲିଥିବା ନେଇ କହନ୍ତି ମାମୁନ୍। “ଚାଲନ୍ତୁ ସମସ୍ତେ ଏକତ୍ର କାମ କରିବା ଓ ଏକାଠି ମିଶି ସଫଳତାର ଦିଗରେ ଆଗେଇ ଯିବା ଏବଂ ନିଜେ ନିଜର ବସ୍ ହେବା” ଏହି ଉକ୍ତିରେ ବିଶ୍ୱାସ ରଖୁଥିବା ମାମୁନ୍, ଆଜି ନାରୀ ଜାତି ପାଇଁ ପେରଣାର ଉତ୍ସ ପାଲଟିଛନ୍ତି।

ନାରୀଙ୍କୁ ପୂର୍ବାପେକ୍ଷା ଆହୁରି ସଶକ୍ତ ଓ ସମୃଦ୍ଧ କରିବା ପାଇଁ ସେ ନିଜର ଅବିରତ ପ୍ରୟାସ ଜାରି ରଖିଛନ୍ତି। ଯଦିଓ ଯୁଗ ବଦଳିଛି, ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଘଟିଛି। ତଥାପି କେଉଁଠି ନା କେଉଁଠି ଆଜି ବି ଲୋକେ କୁହନ୍ତି “ଝିଅଟେ ହେଇ ସ୍ୟାଲୋନ୍ କରିବୁ ! ସେଥିରେ ତୁ ନିଜର ପ୍ରତିପୋଷଣ କରିପାରିବୁ ତ!”

ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମାମୁନ୍ କୁହନ୍ତି, “ସଫଳ ବ୍ୟକ୍ତିତ୍ୱକୁ ହିଁ ଲୋକ ତାତ୍ସଲ୍ୟ କରନ୍ତି।” ଏହାକୁ ସକରାତ୍ମକ ଭାବେ ଗ୍ରହଣ କରି ନିଜର ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ଲାଗି ପଡ଼ନ୍ତୁ ଓ ସଫଳ ହୁଅନ୍ତୁ। ଝଡ଼ ବତାସର ଭୟଙ୍କର ଅନ୍ଧାରୀ ରାତି ପରେ ସୂର୍ଯ୍ୟଙ୍କର ସୁନେଲୀ ଆଭାରେ ସବୁକିଛି ନିଶ୍ଚେ ଚମକିବ। ନିଜର ସଂଘର୍ଷ ଜାରି ରଖନ୍ତୁ, ଦିନେ ନା ଦିନେ ଈଶ୍ୱରଙ୍କ ଆଶୀର୍ବାଦରୁ ସଫଳତାର ନବଶ୍ଚୁମ୍ବି ଶିଖରକୁ ଆପଣ ଅତିକ୍ରମ କରିପାରିବେ।”

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories