ଋଣ ସୁଝିବେ ମାଲ୍ୟା, ଜାଣନ୍ତୁ କ’ଣ କାରଣ

0

ନୂଆଦିଲ୍ଲୀ : ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରଥମ ଥର ଭାରତୀୟ ବ୍ୟାଙ୍କଗୁଡ଼ିକରୁ ନେଇଥିବା ଋଣ ସୁଝିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ସେ ୰ଣ ନେଇ ପଳାୟନ କରିନାହାନ୍ତି ଓ ନିଜ ସମ୍ପତ୍ତି ବିକି ଋଣ ସୁଝିବେ ବୋଲି ଦାବି କରିଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକରୁ ୯ ହଜାର କୋଟି ଟଙ୍କା ଋଣ ନେଇ ମାଲ୍ୟା ସୁଝିନଥିଲେ ଓ ୨ ବର୍ଷ ତଳେ ଦେଶରୁ ଫେରାର ହୋଇଯାଇଥିଲେ। ମାଲ୍ୟା ୨ ବର୍ଷ ହେବ ଲଣ୍ଡନରେ ରହି ମୌଜ କରୁଛନ୍ତି। ତେବେ ହଠାତ୍‍ କାହିଁକି ସେ ଋଣ ସୁଝିବାକୁ ତତ୍ପର ହୋଇଉଠିଛନ୍ତି ଓ ତାଙ୍କ ନିଦ କେମିତି ଭାଙ୍ଗିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଏହା ପଛରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ଅଛି ନା ସତରେ ସେ ଋଣ ସୁଝିବାକୁ ଚାହୁଁଛନ୍ତି ତାହା ଏବେ ଆଲୋଚନାର ବିଷୟ ହୋଇଛି। ତେବେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରଥମେ ମାଲ୍ୟାଙ୍କ ପରିସ୍ଥିତି ଉପରେ ଟିକିଏ ନଜର ପକାଇବା ଠିକ୍‍ ହେବ। ବିଜୟ ମାଲ୍ୟା ମଙ୍ଗଳବାର ୫ ଫର୍ଦ୍ଦର ପ୍ରେସ୍‍ ଇସ୍ତାହାର ଜାରି କରି ଦାବି କରିଛନ୍ତି ଯେ ୨୦୧୬ ଅପ୍ରେଲ ୧୫ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ। ହେଲେ ତାଙ୍କ ଚିଠିର କୌଣସି ଉତ୍ତର ମିଳିନଥିଲା। ମୁଁ ଋଣ ସୁଝିବାକୁ ଚାହୁଁଥିଲି ଓ ଏଥିପାଇଁ ମଦ କମ୍ପାନୀ ୟୁନାଇଟେଡ ବୃଅରିଜ୍‍ ହୋଲ୍ଡିଂସ୍‍ ଲି (ୟୁବିଏଚ୍‍ଏଲ) ନେଇ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ ଓ ଏହାର ରାସ୍ତା ପ୍ରସ୍ତୁତ କରିବାକୁ କହିଥିଲେ। ଏନେଇ ସେ କର୍ଣ୍ଣାଟକ ହାଇକୋର୍ଟରେ ୨୦୧୮ ଜୁନ୍‍ ୨୨ରେ ଆବେଦନ କରି ତାଙ୍କ ପାଖରେ ୧୩,୯୦୦ କୋଟି ଟଙ୍କାର ସମ୍ପତ୍ତି ଥିବା କହିଛନ୍ତି। ମାଲ୍ୟା କହିଛନ୍ତି ଯେ ତାଙ୍କ ଉପରେ ୯ ହଜାର କୋଟି ଟଙ୍କାର ଋଣ ଖିଲାପିର ଅଭିଯୋଗ ରହିଛି। ହେଲେ ସେ ମାତ୍ର ୫,୫୦୦ କୋଟି ଟଙ୍କା ଋଣ ନେଇଛନ୍ତି ଓ ସେଥିମଧ୍ୟରୁ ସେ ୧,୩୦୦ କୋଟି ଟଙ୍କା ସୁଝି ସାରିଛନ୍ତି।

prayash

ଜାଣନ୍ତୁ କ’ଣ ପ୍ରକୃତ କାହାଣୀ
ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବା ଅନୁମତି ଦିଆଯିବା ପରେ ଓ ଏନେଇ ହାଇକୋର୍ଟରେ ଶୁଣାଣି ହେବା ପୂର୍ବରୁ ମାଲ୍ୟା ଏଭଳି ଦାବି କରିଛନ୍ତି। ସେ ବ୍ରିଟେନ୍‍ ଏବଂ ଭାରତୀୟ ଅଦାଲତରେ ନିଜ ପକ୍ଷକୁ ଦୃଢ କରିବା ପାଇଁ ଏଭଳି ଦାବି କରିଥାଇପାରନ୍ତି ବୋଲି କେତେକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ମାଲ୍ୟାଙ୍କ ବିରୋଧରେ ଠକେଇ ମାମଲା ରହିଥିବାବେଳେ ସେ ଏହାକୁ ବ୍ୟବସାୟରେ କ୍ଷତି ମାମଲା ଦର୍ଶାଇବାକୁ ଚାହୁଁଛନ୍ତି। ଚିଠି ମାଧ୍ୟମରେ ସେ ଋଣ ସୁଝିବାକୁ ଚେଷ୍ଟା କରିଥିଲେ ବୋଲି ଦେଖାଇବାକୁ ଚାହୁଁଛନ୍ତି। ବ୍ରିଟେନ୍‍ କୋର୍ଟ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବା ପରେ ବି କିଛି ସର୍ତ୍ତ ରଖି ଭାରତୀୟ କର୍ତ୍ତୃପକ୍ଷକଙ୍କ ହାତ ବାନ୍ଧିଦେବା ପ୍ରୟାସରେ ସେ ଏପରି କରିଥାଇପାରନ୍ତି ବୋଲି କେତେକ ଆର୍ଥିକ ଅପରାଧ ମାମଲାର ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ଏହାସହ ସେ ନିଜକୁ ବଞ୍ଚାଇବା ପାଇଁ ଏପରି କରିଥାଇପାରନ୍ତି ବୋଲି କୁହାଯାଉଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମାଲ୍ୟାଙ୍କୁ ଭାରତ ଆଣିପାରିଲେ ଏହା ମୋଦୀ ସରକାରଙ୍କ ଏକ ବଡ଼ ସଫଳତା ବୋଲି ଧରାଯିବ। ତେଣୁ ଏହାର ଫାଇଦା ନେଇ ମାଲ୍ୟା ନିଜ ଦେହରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରୁଥାଇପାରନ୍ତି।
ସୂଚନା ମୁତାବକ ପଳାତକ ଆର୍ଥିକ ଅପରାଧ ବିଲ୍‍ ୨୦୧୮ ଅନୁଯାୟୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପକ୍ଷରୁ ଅଦାଲତରେ ଦାଏର ଆବେଦନକୁ ନେଇ ମାଲ୍ୟା ଭୟଭୀତ ହୋଇପଡିଛନ୍ତି। ଏଭଳି ହେଲେ ଇଡ଼ି ମାଲ୍ୟାଙ୍କ ୧୩,୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିନେବ। କୁହାଯାଉଛି ମାଲ୍ୟା ନିଜ ସମ୍ପତ୍ତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଦିଲ୍ଲୀର ସର୍ଦ୍ଦାର ପଟେଲ ରୋଡସ୍ଥିତ ମାଲ୍ୟାଙ୍କ ବଙ୍ଗଳା ମୂଲ୍ୟ କେତେକ ଶହ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

Leave A Reply