ଋଣ ସଙ୍କଟ

କିଛି ବର୍ଷ ଧରି ବିଶ୍ବରେ ତଥା ଭାରତର ଋଣଭାର ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଡିସେମ୍ୱର ୨୦୨୩ରେ ସତର୍କବାଣୀ ଶୁଣାଇ ପୂର୍ବାନୁମାନ କରିଛି ଯେ ପ୍ରତିକୂଳ ପରିସ୍ଥିତି ହେଲେ ଭାରତର ଋଣ-ଜିଡିପି ଅନୁପାତ ଆଗାମୀ ଚାରିବର୍ଷରେ ବା ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦୦ ପ୍ରତିଶତ ଟପିଯାଇପାରେ। ଅର୍ଥାତ୍ ଦେଶର ମୋଟ ଋଣର ପରିମାଣ ଜିଡିପି ବା ଘରୋଇ ଉତ୍ପାଦ (ନାମାଙ୍କନ ମୂଲ୍ୟରେ ) ଠାରୁ ଅଧିକ ହେବ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଏହି ପୂର୍ବାନୁମାନକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ‘ଭୁଲ୍’ ବୋଲି ଅଭିହିତ କରିଛି । ବରଂ ସବୁ କିଛି ଠିକଠାକ୍ ଚାଲିଲେ ଏହି ଅନୁପାତ ୭୦ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି କହିଛି । ଅର୍ଥ ମନ୍ତ୍ରାଳୟର ଯୁକ୍ତି ହେଉଛି ଭାରତର ସରକାରୀ ଋଣର ପରିମାଣ ଯାହା ନାମାଙ୍କନ ଜିଡିପିର ୨୦୨୦-୨୧ରେ ୮୮%କୁ ବୃଦ୍ଧି ପାଇଥିଲା , ଏହା ୨୦୨୨-୨୩ରେ ୮୧% କୁ ହ୍ରାସ ପାଇଛି । ପୁନଶ୍ଚ ସରକାର ବିତ୍ତୀୟ ନିଅଣ୍ଟକୁ ଗତ ଦୁଇ ବର୍ଷରେ ୪.୫%କୁ ହ୍ରାସ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଭାରତର ସରକାରୀ ଋଣ ଆମେରିକା, ଗ୍ରେଟ ବ୍ରିଟେନ, ଚୀନ ଆଦି କିଛି ଦେଶଠାରୁ କମ୍ ଅଛି ।
ବାସ୍ତବରେ ଭାରତ ସହିତ ସମଗ୍ର ବିଶ୍ବ ଆଜି ଋଣଜନିତ ସମସ୍ୟାରେ ଜର୍ଜରିତ । ଆମେରିକା ସମେତ ଅଧିକାଂଶ ଦେଶର ଋଣ ପରିମାଣ କ୍ଷମତା ବହିର୍ଭୂତ ହୋଇଗଲାଣି। ଋଣ କେବଳ ପବ୍ଲିକ ବା ସରକାରୀ ଋଣ ନୁହେଁ, ପାରିବାରିକ ବା ହାଉସହୋଲ୍ଡ ଋଣ ଏବଂ କମ୍ପାନୀ ଋଣର ସମ୍ମିଶ୍ରଣ ଅଟେ। ସରକାରୀ ଋଣ ବେଶି ଗୁରୁତ୍ବପୂର୍ଣ। ସରକାରୀ ଋଣ କହିଲେ ବାହ୍ୟଋଣ ଓ ଆଭ୍ୟନ୍ତରୀଣ ଋଣର ସମ୍ମିଶ୍ରଣକୁ ବୁଝାଏ। ଆଭ୍ୟନ୍ତରୀଣ ଋଣ ଉଭୟ କେନ୍ଦ୍ର ଓ ରାଜ୍ୟର ଋଣର ସମ୍ମିଶ୍ରଣକୁ ବୁଝାଏ । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ୨୦୦୭ରେ ବିଶ୍ବର ସରକାରୀ ଋଣ ପରିମାଣ ବିଶ୍ବ ଜିଡିପିର ୬୧% ଥିଲାବେଳେ ୨୦୧୯ରେ ୮୪% ଏବଂ ୨୦୨୨ରେ ଏହା ୯୨%କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ସରକାରୀ ଋଣ ବିଶ୍ବ ଜିଡିପିର ୯୩% ବା ୯୭ ଟ୍ରିଲିୟନ ଡଲାର ( ୧ ଟ୍ରିଲିୟନ ଡଲାର = ୧୦୦୦ ବିଲିୟନ, ୧ ବିଲିୟନ=୧୦୦ କୋଟି , ୧ ଡଲାର=୮୩ ଟଙ୍କା ପାଖାପାଖି), ଯାହା ୨୦୧୯ ତୁଳନାରେ ୪୦% ଅଧିକ। କେବଳ ୨୦୨୦ରୁ ୨୦୨୨ ମଧ୍ୟରେ ୨୦% ବୃଦ୍ଧି ପାଇଛି। ୨୦୨୩ ଶେଷ ସୁଦ୍ଧା ଏହାବିଶ୍ବ ଜିଡିପିର ୧୦୦% ଅତିକ୍ରମ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ଆମେରିକାର ଋଣ ୩୩.୨୨୮ ଟ୍ରିଲିୟନ ଡଲାର ବା ଦେଶର ଜିଡିପିର ୧୨୩.୩%, ଚୀନର ୧୪.୬୯୧ ଟ୍ରିଲିୟନ ଡଲାର ବା ଜିଡିପିର ୮୩% , ଜାପାନର ୧୦. ୭୯୭.୨ ଟ୍ରିଲିୟନ ଡଲାର ବା ଜିଡିପିର ୨୫୫.୨% ,ଗ୍ରେଟ ବ୍ରିଟେନ ୩.୪୬୮ଟ୍ରିଲିୟନ ଡଲାର ବା ଜିଡିପିର ୧୦୪.୧% , ଫ୍ରାନ୍ସର ୩.୩୫୩୯ ଟ୍ରିଲିୟନ ଡଲାର ବା ଜିଡିପିର ୧୧୦ %, ଇଟାଲୀ ୩.୧୪୧ ଟ୍ରିଲିୟନ ଡଲାର ବା ଜିଡିପିର ୧୪୩.୭% । ଭାରତର ୩.୦୫୬ ଟ୍ରିଲିୟନ ଡଲାର ବା ଜିଡିପିର ୮୩%, ଜର୍ମାନୀର ୨.୯୧୯ ଟ୍ରିଲିୟନ ଡଲାର ବା ଜିଡିପିର ୬୫.୯%।
ଭାରତରେ କେନ୍ଦ୍ରର ସ୍ଥିତି ରାଜ୍ୟମାନଙ୍କଠାରୁ ଅଧିକ ଗମ୍ଭୀର । କେନ୍ଦ୍ର ରାଷ୍ଟ୍ର ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାର ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ମାର୍ଚ୍ଚ ୨୦୧୪ ସୁଦ୍ଧା କେନ୍ଦ୍ର ଋଣ ୫୮.୬ ଲକ୍ଷ କୋଟି ଟଙ୍କା ଥିଲା (ଜିଡିପି ଅନୁସାରେ ୫୨.୨% )ଯାହା ୧୭୪% ବୃଦ୍ଧିପାଇ ମାର୍ଚ୍ଚ ୨୦୨୩ ସୁଦ୍ଧା ୧୫୫.୬ ଲକ୍ଷ କୋଟି (ଜିଡିପିର ୫୭.୧%)ରେ ପହଞ୍ଚିଛି। ସେପ୍ଟେମ୍ବର ୨୦୨୩ ସୁଦ୍ଧା ୧୬୧.୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧିପାଇଛି । ଏହା ୨୦୧୯ -୨୦ ରେ ୧୦୫.୧ ଲକ୍ଷ କୋଟି ଟଙ୍କା ଥିଲାବେଳେ ୧୬% ବୃଦ୍ଧି ପାଇ ୨୦୨୦-୨୧ରେ ୧୨୧.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ବାସ୍ତବରେ ଯଦି ଋଣ ବ୍ୟତୀତ ଅନ୍ୟ ଦେୟକୁ ବିଚାରକୁ ନିଆଯାଏ ଏହା ଅଧିକ ହେବ । ବର୍ତ୍ତମାନ ରାଜ୍ୟ ସରକାରମାନଙ୍କର ଋଣ ପରିମାଣ ୫୦.୧୮ ଲକ୍ଷ କୋଟି ଟଙ୍କା, ଯାହା ଜିଡିପିର ୨୮% ହେବ ବୋଲି ଆକଳନ କରାଯାଇଛି। ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ଋଣ ମିଶି (ସରକାରୀ ଋଣ) ସେପ୍ଟେମ୍ବର ୨୦୨୩ ସୁଦ୍ଧା ୨୦୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ଅର୍ଥାତ୍‌ ମୁଣ୍ଡପିଛା ଋଣ ପରିମାଣ ୧୪୬୦୦ଟଙ୍କା । ବାହ୍ୟ ଋଣ ୨୦୧୩-୧୪ରେ ଯାହା ୪୪୬. ୨ ବିଲିଅନ୍‌ଡଲାର (୩୭୪,୪୮୪ କୋଟି ଟଙ୍କା)ଥିଲା ତାହା ୨୦୨୩-୨୪ ସୁଦ୍ଧା୬୨୪ .୭ବିଲିୟନ ଡଲାରରେ (୭୪୮୮୯୫ କୋଟି ଟଙ୍କା ବା ଜଡିପିର ୧୮.୮% ରେ)ପହଞ୍ଚିଛି । ଗତବର୍ଷ ତୁଳନାରେ ୪.୭ ବିଲିଅନ୍ ଡଲାର ବୃଦ୍ଧି ପାଇଛି। ୨୦୧୩-୧୪ ତୁଳନାରେ ବାହ୍ୟ ଋଣ ଟଙ୍କା ହିସାବରେ ୧୦୦ ପ୍ରତିଶତ ବୃଦ୍ଧି ପାଇଛି ।
ଋଣ ନାମାଙ୍କନ ମୂଲ୍ୟରେ ବୃଦ୍ଧି ପାଇବା ଯେତିକି ଚିନ୍ତାଜନକ ନୁହେଁ; ଜିଡିପି ଅନୁସାରେ ବୃଦ୍ଧି ପାଇବା ବେଶି ଚିନ୍ତାଜନକ । ଏଠାରେ ସ୍ବତଃ ପ୍ରଶ୍ନ ଉଠେ ଯେ ଯଦି ଜିଡିପି ଅନୁସାରେ ସରକାରୀ ଋଣ ୮୧% ଗ୍ରହଣୀୟ, ତେବେ ସରକାର ଏହି ସୀମାକୁ କାହିଁକି ୬୦%( କେନ୍ଦ୍ର ୪୦% ଓ ରାଜ୍ୟ ୨୦%) ଓ ବିତ୍ତୀୟ ନିଅଣ୍ଟ ୩% ରହିବା ଉଚିତ ବୋଲି ଆଗରୁ କହୁଥିଲେ। କାରଣ ଭାରତ ପରି ବିକାଶଶୀଳ ଦେଶରେ ଏହି ସୀମାଠାରୁ ଋଣ ପରିମାଣ ଅଧିକ ହେଲେ ଭିଭିନ୍ନ ପ୍ରକାର ସମସ୍ୟା ଉପୁଜିବ। ପୁନଶ୍ଚ ସରକାରୀ ଋଣ -ଜିଡିପି ଅନୁପାତ ଅତୀତରେ ହାରାହାରି (୨୦୧୬-୧୭ରେ)୭୦% ଓ ୨୦୧୯-୨୦ରେ ୭୫% ଥିଲା। ଉଲ୍ଲେଖ ଯୋଗ୍ୟ ଯେ ମେ ୨୦୧୬ ବିତ୍ତୀୟ ଉତ୍ତରଦାୟିତ୍ବ ବଜେଟ ପରିଚାଳନା ଅଧିନିୟମର ପୁନଃ ସମୀକ୍ଷା କରି ସରକାରଙ୍କ ଦ୍ବାରା ନିୟୋଜିତ କମିଟିର ଅଧ୍ୟକ୍ଷ ଏନ୍.କେ ସିଂହ ମାର୍ଚ୍ଚ ୩୧,୨୦୨୦ ପର୍ଯ୍ୟନ୍ତ ବିତ୍ତୀୟ ନିଅଣ୍ଟକୁ ସରକାର ଜିଡିପିର ୩% ,୨୦୨୦-୨୧ରେ ୨.୮% ଏବଂ ୨୦୨୨-୨୩ ସୁଦ୍ଧା ୨.୫% କୁ ହ୍ରାସ କରିବାକୁ ସରକାର ସୁପାରିସ କରିଥିଲେ। ସେହିପରି ସରକାରୀ ଋଣ ୬୦%( କେନ୍ଦ୍ର ୩୮.୭% ବା ଆପାତତଃ ୪୦% ଓ ରାଜ୍ୟ ୨୦%) ଧାର୍ୟ୍ୟ କରିଥିଲେ । ପରେ କରୋନା ମହାମାରୀ ଯୋଗୁଁ ସମୟ ସୀମାରେ ସାମାନ୍ୟ କୋହଳ କରାଯାଇଛି ।
ଭାରତର ଋଣ ବୋଝ ଧନୀ ଦେଶ ସହିତ ତୁଳନା କରିବା ଅନୁଚିତ । ଧନୀ ଦେଶମାନେ ନିଜ ମୁଦ୍ରାରେ ବିଶ୍ବ ବାଣିଜ୍ୟ ହେଉଛି ଓ ସେମାନେ ଚାହିଁଲେ ମନ ଇଚ୍ଛା ନିଜ ମୁଦ୍ରା ଛାପି ଋଣ ସଙ୍କଟକୁ ସମ୍ମୁଖୀନ ହୋଇପାରିବେ । ଏପରି କି ଆମେରିକା ପରି ଦେଶ ମଧ୍ୟ ନିକଟରେ ଋଣ ସଙ୍କଟର ସମ୍ମୁଖୀନ ହୋଇଥିଲା ଓ ଅଳ୍ପକେ ବର୍ତ୍ତି ଯାଇଛି। ଉନ୍ନତ ଦେଶ ବିଭନ୍ନ ସଙ୍କଟ ବେଳେ ସମ୍ବଳ ସଂଗ୍ରହ କରିପାରିବେ । ତାଙ୍କର ଟିକସ -ଜିଡିପି ଅନୁପାତ ଆମ ଦେଶଠାରୁ ବହୁ ଅଧିକ,ଏପରି କି ଦୁଇ ଗୁଣ । ତାଙ୍କର ବଜେଟ ଆକାର – ଜିଡିପି ଅନୁସାରେ ଅାମଠାରୁ ବହୁ ଅଧିକ ମଧ୍ୟ। ସେମାନେ ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗବେଷଣାରେ ପ୍ରଚୁର ମାତ୍ରାରେ ବ୍ୟୟ କରୁଛନ୍ତି । ଆଜି ପର୍ଯ୍ୟନ୍ତ ଆମେ ନିମ୍ନ ମଧ୍ୟମ ଆୟକାରୀ ଦେଶ ଭାବେ ପରିଗଣିତ ହେଉଛୁ । ମୁଣ୍ଡପିଛା ଆୟ ଦୃଷ୍ଟିରୁ ୧୩୮ ଦେଶ ତଳେ ଆମେ ଅଛୁ । ଆମ ଆର୍ଥିକ ବ୍ୟବସ୍ଥା ପ୍ରତିଗାମୀ ଅର୍ଥାତ୍‌ ବେଶି ଟିକସ ପରୋକ୍ଷ କର ଦ୍ବାରା ଆଦାୟ ହେଉଛି ଯାହାର ବୋଝ ସେହି ଗରିବ ଓ ସାଧାରଣ ଜନତାଙ୍କ ଉପରେ ପଡୁଛି । ଉନ୍ନତ ଦେଶରେ ମୁଦ୍ରାସ୍ଫୀତି କମ୍ ଥିବାରୁ ସୁଧହାର କମ୍ ରହୁଛି, ଏଣୁ ଋଣ ବା ସୁଧବାବଦ ଦେୟ କମ୍ ରହୁଛି ; କିନ୍ତୁ ଭାରତରେ ମୁଦ୍ରାସ୍ଫୀତି ଅଧିକ ଯୋଗୁଁ ସୁଧ ହାର ଅଧିକ ।
ଏଣୁ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ଋଣଭାର ବଢିବା ସହିତ, ସୁଧ ବାବଦ ଦେୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅତ୍ୟନ୍ତ ଉଦ୍‌ବେଗର ବିଷୟ ଯେ ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ସୁଧ ବାବଦ ଦେୟ ୫.୨୯ ଲକ୍ଷ କୋଟି ଟଙ୍କା ଥିଲା ବେଳେ ୨୦୨୨-୨୩ରେ ତାହା ୯.୪୧ ଲକ୍ଷ କୋଟି ଟଙ୍କା ଛୁଇଁ ସାରିଲାଣି । ଅର୍ଥାତ୍ ଇତିମଧ୍ୟରେ ସୁଧ ବାବଦ ଦେୟ ପ୍ରତି ବର୍ଷ ହାରାହାରି ୧୨%ରୁ ଅଧିକ ହାରରେ ବୃଦ୍ଧି ପାଇଚାଲିଛି । ୨୦୧୩-୧୪ରେ ଏହା ରାଜସ୍ୱ ଆୟର ୩୭% ଥିବା ବେଳେ ୨୦୨୨-୨୩ରେ ତାହା ୪୩%ରେ ପହଞ୍ଚିଲାଣି । ଅପରପକ୍ଷରେ ବିଶ୍ବରେ ଏହି ଅନୁପାତ ୨୦୦୨ରେ ୯.୬% ଥିଲାବେଳେ ୨୦୨୧ରେ ୫.୭%କୁ ହ୍ରାସପାଇଛି । ୨୦୨୩-୨୪ରେ ସରକାର ୧୬ ଲକ୍ଷ କୋଟି ଟଙ୍କା ଋଣ କରିବେ । ଭାରତରେ ଆର୍ଥିକ ସଞ୍ଚୟ ହ୍ରାସ ସାଙ୍ଗକୁ ଆର୍ଥିକ ଦେୟ ଓ ପାରିବାରିକ ଋଣ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ ଭାରତର ନିଟ୍ ବିତ୍ତୀୟ ବା ଆର୍ଥିକ ବା ଫାଇନାନ୍ସିଆଲ ସଞ୍ଚୟ ହ୍ରାସ ପାଇ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ର ୫.୧%ପହଞ୍ଚିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ଏହା ଗତ ୪୭ ବର୍ଷ ମଧ୍ୟରେ ସର୍ବନିମ୍ନ ।
ବର୍ତ୍ତମାନ ବେଶି ଚିନ୍ତାର ବିଷୟ ହେଉଛି, ଋଣର ବୋଝ ଗରିବଙ୍କ ଉପରେ ପଡୁଛି। କାରଣ ଋଣ ବା ସୁଧ ପରିଶୋଧ କରିବା ପାଇଁ ସରକାର ସବୁ ଅଧିକ ବ୍ୟୟ କରିବା ଯୋଗୁଁ ଜନହିତକର ବ୍ୟୟ ହ୍ରାସ ପାଇଛି। ଅତ୍ୟାବଶ୍ୟକ ସେବା, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଘରୋଇକରଣ କରାଯାଉଛି । କିନ୍ତୁ ଋଣ ଜନିତ ଅଭିବୃଦ୍ଧିର ସୁଫଳ ଧନୀଙ୍କ ପାଖକୁ ଯାଉଛି। ଯାହା ଫଳରେ ଆର୍ଥିକ ବୈଷମ୍ୟ ବ୍ୟାପକ। ଦେଶଗୁଡ଼ିକ ହଠାତ୍ ଅଧିକ ଋଣଗ୍ରସ୍ତ ହେବାର ପ୍ରମୁଖ କାରଣ ଥିଲା କୋଭିଡ଼ ସମୟରେ ବିଭିନ୍ନ ଦେଶ ସେମାନଙ୍କ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ, ଯେଉଁଥିପାଇଁ ସେମାନଙ୍କୁ ବିପୁଳ ପରିମାଣରେ ଋଣ କରିବାକୁ ହୋଇଥିଲା । କୋଭିଡ଼ ଯୋଗୁଁ ଭାରତର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇ ଦେଶ ଅଧିକ ଋଣଗ୍ରସ୍ତ ହେଲା; କିନ୍ତୁ କୋଭିଡ ସମୟରେ ଅରବପତିଙ୍କ ସଂଖ୍ୟା କେବଳ ବଢିନି, ସେମାନଙ୍କ ସମ୍ପଦ ମଧ୍ୟ ବଢିଛି । ପୁଞ୍ଜିବାଦୀ ବ୍ୟବସ୍ଥା ଯାହା ଲୋଭ, ଠକାମୀ ଓ କଳେବଳେ ସମ୍ପଦ ଠୁଳ କରିବାରେ ପ୍ରାଧାନ୍ୟ ଦେଇଥାଏ, ସେହି ବ୍ୟବସ୍ଥା ହିଁ ଋଣ ବୃଦ୍ଧିର କାରଣ। ଅବଶ୍ୟ ଋଣ କରିବା ଖରାପ ନୁହେଁ, ଯଦି ଏହା ବ୍ୟକ୍ତି ବା ଦେଶର ବିକାଶ ଓ ଅଭିବୃଦ୍ଧିରେ ସହାୟକ ହେଲା ଏବଂ ଋଣ ପରିମାଣ ଋଣ ପରିଶୋଧ କରିବା କ୍ଷମତା ବହିର୍ଭୂତ ନହେଲା; କିନ୍ତୁ ବର୍ତ୍ତମାନ ଭାରତରେ କ୍ଷମତା ବହିର୍ଭୂତ ହୋଇଯାଇଛି।

 

ଡ.ସନ୍ତୋଷ କୁମାର ମହାପାତ୍ର ଦୂରଭାଷ:୯୪୩୭୨୦୮୭୬୨
skmohapatra67@gmail.com

Comments are closed.