ପବନଚାଳିତ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ବାଟ ଫିଟିଲା

ଲାଞ୍ଜିଗଡ଼: ଏହି ଗାଁରେ ଦିନ ତମାମ ପବନ ପ୍ରବାହିତ ହେଉଥାଏ । ଚାଳିଶରୁ ଷାଠିଏ କି.ମି କିମ୍ବା ତାଠାରୁ ମଧ୍ୟ ଅଧିକ ବେଗରେ ପବନ ପ୍ରବାହିତ ହୁଏ ବର୍ଷର ଅର୍ଦ୍ଧାଧିକ ସମୟ ଧରି । ଗ୍ରୀଷ୍ମ ଦିନରେ ଏହାର ମାତ୍ରା ବଢିଯାଏ ଏପରିକି ଗାଁରେ ପ୍ରବଳ ଗରମ ସତ୍ୱେ ଏସି, କୁଲର ଓ ପଙ୍ଖାର ବ୍ୟବହାର କମ୍ କରାଯାଏ । କାରଣ ଏଠାକାର ପବନ ହିଁ ଲୋକଙ୍କୁ ପ୍ରବଳ ଗ୍ରୀଷ୍ମ ଦାଉରୁ ରକ୍ଷା କରିବାକୁ ସହାୟକ ହୋଇଥାଏ । ସ୍ଥାନୀୟ ଭାଷା ଅନୁଯାୟୀ ଏହି ଗାଁକୁ କୁହାଯାଏ ‘ଧୁକା ଗରଲର ଗାଁ’ । ଆଉ ‘ଧୁକା ଗରଲର ଗାଁ’ ହେଉଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତର ଗୋପାଳପୁର । ସାତଶହରୁ ଏକ ହଜାର ଜନସଂଖ୍ୟା ବସବାସ କରୁଥିବା ଏହି ଗାଁର ଦକ୍ଷିଣ ଦିଗରେ ରହିଛି ଡିଣିଙ୍ଗ ଡଙ୍ଗର ।

କିମ୍ବଦନ୍ତୀ ଅନୁଯାୟୀ, ଏହି ଡଙ୍ଗରର ଶୀର୍ଷରେ ରହିଛି ଧୁକା ଘର (ପବନର ଘର) । ଏହି ଧୁକା ଘରରୁ ହିଁ ବର୍ଷର ଅଧିକାଂଶ ସମୟ ପବନ ପ୍ରବାହିତ ହେଉଥିବା କୁହାଯାଏ । ତେବେ ଡିଣିଙ୍ଗ ଡଙ୍ଗରରେ ଥିବା ଧୁକାଘରର ଅସ୍ତିତ୍ୱ ସଂପର୍କରେ କାହା ପାଖରେ ସଠିକ ଖବର ନଥିଲେ ହେଁ ବର୍ଷର ଅଧିକାଂଶ ସମୟ ଗାଁରେ ପ୍ରବାହିତ ହେଉଥିବା ପବନ ଓ ଏହାର ବେଗକୁ ନେଇ ଲୋକଙ୍କ ମଧ୍ୟରେ ଏହି ଧାରଣା ବଳବତ୍ତର ହୁଏ ।

ତେବେ ଏହି ପବନ ଓ ପବନର ବେଗକୁ ନେଇ ବିଭିନ୍ନ କଥା, କାହାଣୀ ଓ କିମ୍ବଦନ୍ତୀ ଗଢି ଉଠିଥିବାବେଳେ ଏହି ପବନକୁ ଉପଯୋଗ କରି ଗାଁରେ ପବନଚକି ସ୍ଥାପନ ସହିତ ବିଦ୍ୟୁତ ଉତ୍ପାଦନ ସଂପର୍କରେ ସ୍ୱପ୍ନ ଦେଖନ୍ତି ଗାଁର ଜଣେ ଯୁବ ସମାଜସେବୀ ତଥା ସାମ୍ବାଦିକ ସୁଶୀଲ କୁମାର ବାଗ ।

prayash

କଳାହାଣ୍ଡି ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ବରାବର ସ୍ୱର ଉତ୍ତୋଳନ କରି ଆସୁଥିବା ଶ୍ରୀ ବାଗ ଗାଁରେ ପ୍ରବାହିତ ହେଉଥିବା ପବନକୁ ଉପଯୋଗ କରି ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ନୂତନ ଓ ନବୀକରଣ ଶକ୍ତି ବିଭାଗର ସଚିବ, ପ୍ରମୁଖ ସଚିବ, ମହାନିର୍ଦ୍ଦେଶକ, ନିର୍ଦ୍ଦେଶକ, ଏକାଧିକ ରିସର୍ଚ୍ଚ ଟିମ୍‌ର ମୁଖ୍ୟ ସମେତ ୧୯ ଜଣ ବରିଷ୍ଠ ଅଧିକାରୀ ଏବଂ ଆଦାନୀ, ଏନଭିଜନ ଏନର୍ଜି, ସୁଜିଅନ, ଭେସ୍ତାସ, ଇନକ୍ସ ୱିଣ୍ଡ, ସେନଭିଅନ, ପାୟୋନିୟର ୱିନକନ , ସନି ଗ୍ରୁପ, ୱେଜନେଟ ଭଳି ଦେଶର ବିଖ୍ୟାତ ପବନଚାଳିତ ବିଦ୍ୟୁତ୍ ଶକ୍ତି ଉତ୍ପାଦକ କଂପାନୀକୁ ଚିଠି ଲେଖିଥିଲେ । ଚିଠି ଲେଖିବା ସହିତ ସଂପୂର୍ଣ୍ଣ ସରକାରୀ ସ୍ତରରେ କିମ୍ବା ସରକାରୀ ଓ ବେସରକାରୀ ଉଦ୍ୟୋଗ ମିଳିତ ଭାବେ ପବନଚକି ସ୍ଥାପନ ଓ ବିଦ୍ୟୁତ ଉତ୍ପାଦନ ସହିତ ଗାଁରେ ପବନର ଗତିବିଧି ଓ ଏହାର ସଠିକ ଉପଯୋଗିତା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଗତ ମେ’ ୨୬ ତାରିଖରେ ଶ୍ରୀ ବାଗ ଏନେଇ ଚିଠି ଲେଖିଥିବାବେଳେ କେନ୍ଦ୍ର ସରକାରଙ୍କ ନୂତନ ଓ ନବୀକରଣ ଶକ୍ତି ବିଭାଗ ଅନ୍ତର୍ଗତ ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ୱିଣ୍ଡ ଏନର୍ଜୀର ମହା ନିର୍ଦେଶକ ଡ. ରାଜେଶ କତ୍ୟାଲ ଓ ନିର୍ଦ୍ଦେଶକ ଡେଭିଡ ସୋଲୋମନ ଜେ.ସି ଏନେଇ ୱିଣ୍ଡ ରିସୋର୍ସ ଏସେସମେଣ୍ଟ ସଂସ୍ଥାର ନିଦ୍ଦେର୍ଶକ ତଥା ଡିଭିଜନ ହେଡ୍ ଡ. କେ. ଭୂପତିଙ୍କୁ ନିର୍ଦ୍ଦେଶ ଦେଇ ଚିଠି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ଡ. ଭୂପତି ଶ୍ରୀ ବାଗଙ୍କ ଚିଠିର ଉତ୍ତର ଦେଇ ଗୋପାଳପୁର ଗାଁରେ ପବନଚକି ଦ୍ୱାରା ବିଦ୍ୟୁତ୍ ଉତ୍ପାଦନକୁ ନେଇ ଅନୁକୂଳ ମନ୍ତବ୍ୟ ଦେବା ସହିତ ଶ୍ରୀ ବାଗଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରିଛନ୍ତି।

ଜଣେ ସଚେତନ ନାଗରିକ ଭାବେ ସେ ଦେଇଥିବା ପ୍ରସ୍ତାବକୁ ବିଭାଗ ବିଚାର କରିବା ସହିତ ଗାଁ ସଂପର୍କରେ ଜିପିଏସ୍ ତଥ୍ୟ ପ୍ରେରଣ କରାଗଲେ ଗାଁର ସଠିକ ଅବସ୍ଥିତି, ପବନର ବେଗ ସଂପର୍କରେ ଅନୁଧ୍ୟାନ ଓ ଫିଜିବିଲିଟି ଟେଷ୍ଟ କରାଯିବା ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ବିଭାଗ ଅନ୍ତର୍ଗତ ୱିଣ୍ଡ ଏନର୍ଜୀ ଡିଭିଜନର ବରିଷ୍ଠ ବୈଜ୍ଞାନିକ ଡ. ରାହୁଲ ରାୱତ ଓ ଡ. ପ୍ରବୀର କୁମାର ଦାଶ ଏନେଇ ପଦକ୍ଷେପ ନେବାକୁ ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ୱିଣ୍ଡ ଏନର୍ଜୀର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଧୁକା, ଗରଲର ଗାଁ ଗୋପାଳପୁରରେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ୍ ସମସ୍ୟା ଲାଗି ରହିଥିବାବେଳେ ପବନଚକି ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ଗ୍ରାମବାସୀଙ୍କ ପାଇଁ ବିକଳ୍ପ ବିଦ୍ୟୁତସେବାର ସୁଯୋଗ ଆଣି ଦେଇପାରେ ବୋଲି ଆଲୋଚନା ହେଉଛି । କେବଳ ସେତିକି ନୁହେଁ ଗାଁରେ ବିଦ୍ୟୁତ୍ ଉତ୍ପାଦନ ହେଲେ ଲାଞ୍ଜିଗଡ ବ୍ଲକର ପାଞ୍ଚଟି ପଞ୍ଚାୟତ ଓ ନର୍ଲା ବ୍ଲକର ଅନେକ ପଞ୍ଚାୟତ ଅଞ୍ଚଳବାସୀ ଉପକୃତ ହେବେ । ବିଦ୍ୟୁତସେବା ସହିତ ଜଳସେଚନ ଓ ଛୋଟବଡ କୁଟୀରଶିଳ୍ପ ପରିଚାଳନା ତଥା ଅଞ୍ଚଳର କିଛି ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ରୋଜଗାରର ବାଟ ଫିଟିବାରେ ଏହା ସହାୟକ ହେବ ବୋଲି ଶ୍ରୀ ବାଗ ପ୍ରକାଶ କରିଛନ୍ତି ।

Comments are closed.