ଲଡୁଗାଁ: ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଅଧିକାରୀ ପଞ୍ଚାୟତ ପାଖରେ ରହିବେ ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ ବୋଲି ପିଇଓ କ୍ଵାଟର , ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ପାଇଁ ମିଶନ ଶକ୍ତି ଗୃହ ନିର୍ମାଣ କରିଛନ୍ତି। ବିଧିବଦ୍ଧ ଭାବେ ଉଦଘାଟନ ବି ହୋଇଛି । ହେଲେ କୌଣସି ନା କୌଣସି କାରଣରୁ ଏହି ସବୁ କୋଠା ବିଭାଗର କାମରେ ଆସୁନାହିଁ। ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଏହି କୋଠାଗୁଡ଼ିକ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି।
କୋକସରା ବ୍ଲକ ଅନ୍ତର୍ଗତ ଗମ୍ଭାରିଗୁଡ଼ା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ୱାଟର ଓ ମିଶନ ଶକ୍ତି ଗୃହ ଦୁଇଟି ଯାକ ଗୃହ ନିଛାଟିଆ ସ୍ଥାନରେ ତିଆରି ହୋଇଛି । ଗମ୍ଭାରୀଗୁଡ଼ା ଠାରୁ ସିର୍ଲିଗୁଡା ଯିବା ରାସ୍ତାରେ ଏକ ପଡ଼ିଆ ନିକଟରେ ନିର୍ମାଣ ହୋଇଛି । ପିଇଓ କ୍ୱାଟର ନିର୍ମାଣ ସରିବାର ୨ ବର୍ଷ ବିତିଥିବା ବେଳେ ୨୦୨୨ ମସିହା ଜାନୁୟାରୀ ୬ ତାରିଖରେ ଧର୍ମଗଡ଼ ବିଧାୟକ ମୌଷଧି ଏହାକୁ ଉଦ୍ଘାଟନ କରିଥିଲେ। ତଥାପି ଏହା କାର୍ଯ୍ୟକ୍ଷମ ହୋଇନାହିଁ । କାମରେ ନ ଲାଗିବାରୁ କୋଠାର କେତେକ ଅଂଶ ଭାଙ୍ଗିରୁଜି ଗଲାଣି। ସେହିପରି ତା ପାର୍ଶ୍ଵରେ ନିର୍ମିତ ମିଶନ ଶକ୍ତି ଗୃହ ଉଦ୍ଘାଟିତ ହୋଇଥିଲେ ମଧ୍ୟ ତାହା ବି କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ଊଭୟ କୋଠା ପଡ଼ିରହିଛି।
ଅନେକ ସମୟରେ ଅସାମାଜିକ ଲୋକେ ଦୁଇଟି ଗୃହର ତାଲା ଭାଙ୍ଗି ଆଡ୍ଡା ଜମାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି କୋଠା ନିର୍ମାଣ ହୋଇଥୂଲେ ହେଁ ଆଦୌ କାମକୁ ନ ଆସିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ପଞ୍ଚାୟତରେ ପିଇଓ ରହିବା ପାଇଁ କ୍ୱାଟର ତିଆରି ହୋଇଥିଲେ ହେଁ ପିଇଓ ନ ରହିବା ପଞ୍ଚାୟତ ପରିଚାଳନା ଦିଗରେ ଅନେକ ଗୁଡ଼ିଏ ବାଧା ଉପୁଜିଛି ।
Comments are closed.