ମରଣଯନ୍ତ୍ରା ପାଲଟିଛି ଲଡୁଗାଁ-ବାନେର ରାସ୍ତା

ଲଡୁଗାଁ: ସ୍ଵାଧୀନତା ପରଠୁ ଲଡୁଗାଁ -ବାନେର ରାସ୍ତା ନିର୍ମାଣ ହେଉନଥିବାରୁ ଏହା ମରଣଯନ୍ତା ପାଲଟିଛି ।  ୧୪ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅଞ୍ଚଳର ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି । ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ପତ୍ର ପତ୍ରିକାରେ ଏନେଇ ଖବର ପ୍ରକାଶ ପାଇବା ପରେ ଦୁଇ ବର୍ଷ ତଳେ ରାସ୍ତା ପୁନଃ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା । ଏହି ରାସ୍ତା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ବର୍ତ୍ତମାନ ରାସ୍ତା ଓ କୋଠାବାଡି ବିଭାଜନ ବିଭାଗକୁ ହସ୍ତାନ୍ତର ହୋଇଛି ।

ସୂଚନାରୁ ଜଣାପଡିଛି ଯେ ଏହି ରାସ୍ତା ୨୦୨୩ ମସିହାରେ ଟେଣ୍ଡର ହୋଇ ୧୪ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଲାଞ୍ଜିଗଡ ବିଧାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଜନୈକ ଠିକାଦାର ନିଜ ସ୍ବାର୍ଥ  ପାଇଁ କୋର୍ଟକୁ ମାମଲା ନେଇଥିଲେ । ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇପାରି ନାହିଁ । ରାସ୍ତା କାର୍ଯ୍ୟ ଆରମ୍ଭ ନହେଉଣୁ ବନ୍ଦ ରହିଥିବା ବେଳେ ଏହାର ମରାମତି ମଧ୍ୟ କରାଯାଉନଥିଲା । ଯାହା ଫଳରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡି ସାଧାରଣ ଲୋକେ ହନ୍ତସନ୍ତ ହେଉଥିଲେ ।

ଗତ ଫେବୃୟାରୀ ମାସରେ ଲଡୁଗାଁ ବାନେର ରାସ୍ତା ବଞ୍ଚାଓ କମିଟି ତରଫରୁ ମୁଖିଗୁଡା ଭବାନୀପାଟଣା ରାସ୍ତା ଅବରୋଧ କରି ଆନ୍ଦୋଳନ ପରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପାଇଁ ରାସ୍ତା ମରାମତି ପାଇଁ ଅର୍ଥ ମଞ୍ଜୁର କରାଯାଇ ଦୀର୍ଘ ୩ ମାସ ହେଲା ରାସ୍ତା ମରାମତି ଆରମ୍ଭ ହୋଇଥିଲା । ହେଲେ ନିର୍ବାଚିତ ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଦାୟିତ୍ୱହୀନତା ଯୋଗୁଁ ଆଜି ଯାଏ କାର୍ଯ୍ୟ ଶେଷ ହୋଇ ପାରିନି । ଏବେ କିନ୍ତୁ ଅତ୍ୟନ୍ତ ତରବରିଆ ଭାବେ ରାସ୍ତା ପିଚୁ କାମ ଚାଲିଥିବା ବେଳେ ଏହା ବହୁ ନିମ୍ନମାନର କାମ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଠି ସରକାରଙ୍କ ଯୋଜନା ବାଟବଣା ହେଉଥିବା ବେଳେ ଏଥିରେ  ବଡ଼ ଧାରଣର ଦୁର୍ନୀତି ର ଗନ୍ଧ ବାରି ହେଉଛି ।  ଜନସାଧାରଣ ସୁବିଧା ପାଇବେ ବୋଲି ରାସ୍ତା ମରାମତି ହେଉଛି, ହେଲେ ରାସ୍ତା କାମ ନ ସରୁଣୁ ପିଚୁ ଉଠି ରାସ୍ତା ଅବସ୍ଥା ଯଥା ପୂର୍ବମ ତଥା ପରମ୍ ସ୍ଥିତିରେ ପହଞ୍ଚିଛି ।

ଯାହାକି ପୂର୍ତ୍ତ ବିଭାଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାସ୍ତାର ସ୍ଥାୟୀତ୍ୱ କେତେ ମାସ ତାହା ଜଳ ଜଳ ହୋଇ ଜଣା ପଡୁଛି। ରାସ୍ତା କାମ ନିମ୍ନ ମାନ ନେଇ ଗାଁ ଲୋକେ ଅଭିଯୋଗ ସତ୍ତ୍ବେ ଠିକାଦାର ମନମୁଖି କାର୍ଯ୍ୟ ଯୋଗୁଁ ରାସ୍ତା ଖରାପ ହେଉଥିବା ଅଭିଯୋଗ ହେଉଛି। ରାସ୍ତା କାମ ଅଧାରୁ ବୋର୍ଡ ତିଆରିକୁ ନେଇ ମଧ୍ୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା କାମ ଉନ୍ନତମାନର ନହେଲେ ଲଡୁଗାଁ ବାନେର ରାସ୍ତା ବଞ୍ଚାଓ କମିଟି ଆଗକୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେପଟେ ପୂର୍ତ୍ତ ବିଭାଗର  ଅଧିକାରୀ ମାନଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.