ସଙ୍ଘୀୟ ସାମୁଖ୍ୟ ଦୃଢ କରିବା ଲକ୍ଷ୍ୟରେ କେସିଆର: ଜଗନଙ୍କୁ ଭେଟିଲେ କେଟିଆର
ହାଇଦରାବାଦ : ଆସୁଛି ଲୋକସଭା ନିର୍ବାଚନ। ଏବେ ମେଣ୍ଟ ଗଢିବା ଭାଙ୍ଗିବାରେ ବେଳ। ଏଣୁ ସମଚିନ୍ତାଧାରା ସମ୍ପନ୍ନ ରାଜନୈତିକ ଦଳଗୁଡିକୁ ନେଇ ଏକ ସଙ୍ଘୀୟ ସାମୁଖ୍ୟ ଗଠନ ଉଦ୍ଦେଶ୍ୟରେ ବୁଧବାର ହାଇଦରାବାଦଠାରେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ମୁଖ୍ୟ ଜଗନ ରେଡ୍ଡୀଙ୍କୁ ସାକ୍ଷାତ କରିଛନ୍ତି ଟିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ପୁଅ ତଥା ଦଳର କାର୍ଯ୍ୟକାରୀ ସଭାପତି କେଟି ରାମାରାଓ (କେଟିଆର) । ଏହି ସାକ୍ଷାତଆଲୋଚନା ବେଳେ ସେମାନେ ସଙ୍ଘୀୟ ସାମୁଖ୍ୟ ସମ୍ବନ୍ଧରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି. ଦେବେଗୌଡା ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିବା କେଟିଆର ପ୍ରକାଶ କରିଛନ୍ତି। ସଙ୍ଘୀୟ ସୁମଖ୍ୟ ଗଠନ ନେଇ ଅଧିକରୁ ଅଧିକ ଆଞ୍ଚଳିକ ଦଳକୁ ଏକତ୍ର କରିବା ନିମିତ୍ତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ୪ ଜଣିଆ ଏକ ଦଳ ଗଠନ କରିଥିବା ଜଣାପଡିଛି। ଏହି ଦଳରେ କେଟିଆରଙ୍କ ସହିତ ସାଂସଦ ବି. ବିନୋଦ କୁମାର ଏବଂ ଟିଆରଏସ୍ର ଅନ୍ୟ ବରିଷ୍ଠ ନେତୃବୃନ୍ଦ ସଦସ୍ୟ ଅଛନ୍ତି। ହାଇଦରାବାଦର ଲୋଟସ ପଣ୍ଡ ସ୍ଥିତ ଜଗନଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକ ଉଭୟ ଦଳ ମଧ୍ୟରେ ପ୍ରଥମ ସିଧାସଳଖ ବୈଠକ। ତେବେ ଆନ୍ଧ୍ରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପରାସ୍ତ କରିବା ଲାଗି ବିରୋଧୀ ଦଳର ନେତାଙ୍କ ସହିତ ହାତ ମିଳାଇବାକୁ ପ୍ରସ୍ତୁତ ବୋଲି ପୂର୍ବରୁ ଉଭୟ କେସିଆର ଏବଂ କେଟିଆର କହିଥିଲେ। ଜଗନ ମଧ୍ୟ ଏହି ମେଣ୍ଟ ପାଇଁ ପରୋକ୍ଷରେ ସଙ୍କେତ ଦେଇଥିଲେ। ଏଣୁ ବୁଧବାର ବୈଠକ ପରେ ଟିଆର୍ଏସ୍ ଏବଂ ୱାଇଏସ୍ଆର କଂଗ୍ରେସ ପାର୍ଟି ମିଳିତ ଭାବେ ଆଗାମୀ ବିଧାନସଭା ନିର୍ବାଚନକୁ ମଧ୍ୟ ଓହ୍ଲାଇବାର ସମ୍ଭାବନା ରହିଥିବା କୁହାଯାଉଛି। ଆନ୍ଧ୍ରକୁ ସ୍ବତନ୍ତ୍ର ପାହ୍ୟା ଦାବି ପ୍ରସଙ୍ଗରେ ସେ ଟିଆର୍ଏସ୍ ସହିତ ହାତ ମିଳାଇବେ କି ବୋଲି ଗତ ସପ୍ତାହରେ ଅନୁଷ୍ଠିତ ପଦଯାତ୍ରା ବେଳେ ଜଗନଙ୍କୁ ପ୍ରଶ୍ନ ହୋଇଥିଲା। ସେ କହିଥିଲେ ଟିଆରଏସ୍ର ୧୭ ଏବଂ ୱାଇଏସଆର କଂଗ୍ରେସ ପାର୍ଟିର ୨୫ ଜଣ ସାଂସଦ ଅଛନ୍ତି। ଉଭୟ ଦଳ ଏକତ୍ର ହେଲେ କେନ୍ଦ୍ରରେ ସରକାରଙ୍କ ଉପରେ ଚାପ ପକାଇବା ସହଜ ହେବ। ଏହି ମେଣ୍ଟ ରାଜନୈତିକ ଗତିପଥ ମଧ୍ୟ ପରିବର୍ତ୍ତନ କରିପାରିବ। ଅନ୍ୟପଟେ ତେଲେଙ୍ଗାନାରେ ସଦ୍ୟ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଜାତୀୟ ରାଜନୀତି ଉପରେ ତାଙ୍କ ଦୃଷ୍ଟି ରହିଛି ବୋଲି କେସିଆର ନିକଟରେ କହିଥିଲେ। ଏଥିକ୍ରମେ ସଙ୍ଘୀୟ ସାମୁଖ୍ୟକୁ ଦୃଢୀଭୂତ କରିବା ନିମିତ୍ତ ସେ ନିକଟରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯଥାକ୍ରମେ ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କୁ ପର୍ଯ୍ୟାୟକ୍ରମେ ଭେଟିଥିଲେ। ଏଥିସହ ଉତ୍ତରପ୍ରଦେଶର ବିରୋଧୀ ଦଳ ଏସ୍ପି ମୁଖ୍ୟ ଅଖିଳେଶ ଓ ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ସେ ସାକ୍ଷାତ କରିଥିଲେ। ତେବେ ସଂଙ୍ଘୀୟ ସାମୁଖ୍ୟ ପରିପ୍ରେକ୍ଷୀରେ ଏହି ନେତାମାନଙ୍କ ମଧ୍ୟରୁ କେତେ ଜଣ କେସିଆରଙ୍କୁ ସମର୍ଥନ କରୁଛନ୍ତି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।