ସିଆଇଏସ୍ଏଫ-ସିଆରପିଏଫରେ ମହିଳାଙ୍କ ପ୍ରତିନିଧିତ୍ୱ ୧୫% ହେବାକୁ ଯାଉଛି: କିରଣ ରିଜିଜୁ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସ୍ଏଫ) ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ (ସିଆରପିଏଫ)ରେ ମହିଳାଙ୍କ ପ୍ରତିନିଧିତ୍ୱ ଅନ୍ୟୁନ୍ ୧୫% ପର୍ଯ୍ୟନ୍ତ କରାଯିବାର ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବ ବୋଲି ଲୋକସଭାରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ସେହିପରି ସୀମା ସୁରକ୍ଷା ବଳ (ବିଏସ୍ଏଫ), ଭାରତ ତିବ୍ବତ ସୀମା ପୁଲିସ୍ (ଆଇଟିବିପି) ଏବଂ ସଶସ୍ତ୍ର ସୀମାବଳ (ଏସ୍ଏସ୍ବି)ରେ ମହିଳାଙ୍କ ପ୍ରତିନିଧିତ୍ୱ ଅନ୍ୟୁନ୍ ୫% କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଲୋକସଭାରେ ମଙ୍ଗଳବାର ଜାତୀୟ କଂଗ୍ରେସ ଦଳ (ଏନ୍ସିପି) ସାଂସଦ ସୁପ୍ରିୟା ସୁଲେଙ୍କ ଏକ ପ୍ରଶ୍ନର ଉତ୍ତରରେ ରିଜିଜୁ ଏହି ସୂଚନା ଦେଇଛନ୍ତି। ଏହାସହ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ଏବଂ ଆତ୍ମହତ୍ୟା ମାମଲା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଯବାନଙ୍କ ନିଯୁକ୍ତି ଓ ମୁତୟନ ଆବଶ୍ୟକତା ଅନୁସାରେ ହୋଇଥାଏ। ବିପଦପୂର୍ଣ୍ଣ ଅଞ୍ଚଳରେ ମୁତୟନ ପରେ ଯବାନଙ୍କ ଆବଶ୍ୟକତାର ଧ୍ୟାନ ରଖାଯାଇଥାଏ। ସରକାର ୨୦୧୬ ଜାନୁଆରୀ ୫ରେ ସିଆରପିଏଫ ଏବଂ ସିଆଇଏସ୍ଏଫ କନଷ୍ଟବଳସ୍ତରରେ ମହିଳାଙ୍କ ୩୩% ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବାୟୁ ସେନାରେ ମହିଳାଙ୍କ ପ୍ରତିନିଧିତ୍ୱ ସର୍ବାଧିକ ୧୩% ରହିଛି। ନୌସେନାରେ ମହିଳାଙ୍କ ପ୍ରତିନିଧିତ୍ୱ ୬% ଏବଂ ସ୍ଥଳ ସେନାରେ ମାତ୍ର ୩% ରହିଛି। ସିଆରପିଏଫ ଏବଂ ସିଆଇଏସ୍ଏଫରେ ମହିଳାଙ୍କ ପ୍ରତିନିଧିତ୍ୱ ଅନ୍ୟୁନ୍ ୧୫% କରାଯିବାର ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି।