ଅସ୍ପଷ୍ଟ ଖଣି ନୀତି,ଶିଳ୍ପ ମାନଚିତ୍ରରୁ ଲିଭିବ କେନ୍ଦୁଝର!

କେନ୍ଦୁଝରଗଡ଼: ଖଣିଜସମ୍ପଦରେ ଭରପୂର କେନ୍ଦୁଝର ଜିଲାରୁ ଲୁହାପଥର ରପ୍ତାନୀ ହୋଇ ରାଜ୍ୟ ଓ ଦେଶ ବାହାରେ ଶିଳ୍ପ ସମୃଦ୍ଧ ହେବା ସହ ସେଠାକାର ଆର୍ଥୀକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଦ୍ରୁତ ବିକାଶ ଘଟିପାରିଛି। ମାତ୍ର ସରକାରଙ୍କ ଅସ୍ପଷ୍ଟ ଖଣି ନୀତି ଓ ଭିତ୍ତିଭୂମିର ଅଭାବ ସାଙ୍ଗକୁ ଜିଲାର ନିର୍ବାଚିତ ଲୋକପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଖଣିଜ ସମ୍ପଦରେ ଭରପୂର ଏହି ଜିଲାରେ ଆଜିପର୍ଯ୍ୟନ୍ତ ଗୋଟିଏ ହେଲେ ଇସ୍ପାତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ଆଖି ଆଗରେ ରଖି ସରକାର କେନ୍ଦୁଝର ଜିଲାରେ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ବିଶ୍ୱ ଇସ୍ପାତ ସମ୍ରାଟ ଆର୍ସେଲର ମିତ୍ତଲ, ଷ୍ଟେରଲାଇଟ ଓ ଉତ୍ତମଗାଲଭା ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସହ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷର କରି ଜିଲାବାସୀଙ୍କୁ କେବଳ ଭୁଆଁ ବୁଲାଇବାରେ ସକ୍ଷମ ହୋଇଥିଲେ।

ଯାହାକି ପରବର୍ତ୍ତୀ ସମୟରେ ଚୁକ୍ତି ସ୍ୱାକ୍ଷରିତ ଏହି ସମସ୍ତ ପ୍ରକଳ୍ପ ଓହରିଯିବା ଜିଲାବାସୀଙ୍କୁ ନିରାଶ କରିଛି। ଟାଟା, ବିର୍ଲା, ଜେଏସ୍‌‌ଡବ୍ଲ୍ୟୁ, ଜେଏସ୍‌‌ପିଏଲ, ଆର୍ସେଲର ମିତ୍ତଲ, ରୁଙ୍ଗଟା ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ କେନ୍ଦୁଝର ଜିଲାରେ ଖଣି ହାତେଇ ଜିଲା ଓ ରାଜ୍ୟ ବାହାରେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରି ନିଜର ବ୍ୟବସାୟ ବୃଦ୍ଧି କରିଥିଲେ ହେଁ ଏହି ସବୁ କମ୍ପାନୀ ପକ୍ଷରୁ କେହି ଜଣେହେଲେ କେନ୍ଦୁଝର ଜିଲାରେ ବୃହତ୍‌‌ ଇସ୍ପବାତ ପ୍ରକଳ୍ପ ପ୍ରତିଷ୍ଠା ନେଇ ଆଗ୍ରହ ପ୍ରକାଶ ନକରିବା ପରୋକ୍ଷରେ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ଯେକୌଣସି ମୁହୁର୍ତ୍ତରେ ଆନ୍ଦୋଳନର ରୂପ ନେଇପାରେ। ଗତ ୩ବର୍ଷ ତଳେ କେନ୍ଦ୍ରାପଡା ଠାରେ ବୃହତ୍‌‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷର ପରେ ଜିଲାବାସୀଙ୍କ ନିଦ ଭାଙ୍ଗିବା ନ୍ୟାୟରେ କେନ୍ଦୁଝରରେ ବୃହତ୍‌‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଦାବି ଜୋର ଧରିଥିଲା। ଫଳସ୍ୱରୂପ ରାଜ୍ୟ ସରକାର କେନ୍ଦୁଝରରେ ଏକ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ନେଇ ଏକ ଘରୋଇ କମ୍ପାନୀ ସହ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷର କରିଥିଲେ ହେଁ ଆଜିପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ହୋଇପାରିଲା ନାହିଁ।

ଇସ୍ପାତ ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ସ୍ପଷ୍ଟ ଖଣି ନୀତି ଉପରେ ସରକାର ଗୁରୁତ୍ୱ ଦେଉନଥିବାରୁ ବୃହତ ଇସ୍ପାତ ପ୍ରକଳ୍ପ ସ୍ଥାପନ ଜିଲାବାସୀଙ୍କ ପାଇଁ କେବଳ ସ୍ୱପ୍ନରେ ରହି ଯାଇଥିବାରୁ ଖୁବ୍‌‌ଶିଘ୍ର କେନ୍ଦୁଝର ଜିଲା ଶିଳ୍ପ ମାନଚିତ୍ରରୁ ଲିଭିବାକୁ ଯାଉଛି। କେନ୍ଦୁଝର ଜିଲାରୁ ଲୁହାପଥର ଓ ମାଙ୍ଗାନିଜ ରପ୍ତାନୀ ହୋଇ ସମଗ୍ର ଏସିଆ ମହାଦେଶ ବେଶ୍‌‌ ଲାଭାନ୍ୱିତ ହୋଇଥିବା ବେଳେ ସରକାରୀସ୍ତରରେ ଆନ୍ତରିକତାର ଅଭାବ ଏବଂ ନିର୍ବାଚିତ ଲୋକପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହୋଇନପାରିବା ଜିଲାରେ ସାମାଜିକ ଓ ଅର୍ଥନୈତିକ ସମାନୁପାତିକ ବିକାଶ ଘଟିପାରିଲା ନାହିଁ।

ଶିଳ୍ପପାଇଁ ମୁଖ୍ୟ ଆବଶ୍ୟକ କଞ୍ଚାମାଲ ଉନ୍ନତମାନର ଲୁହାପଥର ସମଗ୍ର ଦେଶର ୩୪ପ୍ରତିଶତ କେବଳ କେନ୍ଦୁଝର ଜିଲାରେ ଗଚ୍ଛିତ ଥିବାବେଳେ ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନୁହେଁ ବରଂ ଖଣି ହାତେଇବା ପାଇଁ ବିଗତ ୩୦ବର୍ଷ ମଧ୍ୟରେ ବଡବଡ ଶିଳ୍ପପତିଙ୍କ ଲୋଲୁପ ଦୃଷ୍ଟି ପଡିବା ସହ ପରବର୍ତ୍ତୀ ସମୟରେ ଖଣି ହାତେଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ଅପରପକ୍ଷେ ଜିଲାରେ ଦୀର୍ଘ ବର୍ଷଧରି କାର୍ଯ୍ୟକ୍ଷମ ଶିଳ୍ପାନୁଷ୍ଠାନମାନ ଖଣି ପାଇଁ ଆବେଦନ ସତ୍ତେ୍ୱ ଲିଜ୍ ମିଳୁନଥିବାରୁ ଆବଶ୍ୟକ କଞ୍ଚାମାଲ ଅଭାବ ଆଳ ଦର୍ଶାଇ ଏବେ ଜିଲାର ବହୁ ଛୋଟ ବଡ ଶିଳ୍ପାନୁଷ୍ଠାନ ବନ୍ଦ ପ୍ରାୟ। ଜିଲାରେ ମୋଟ ୧୦୫ଟି ଲୌହ ଓ ମାଙ୍ଗାନିଜ ଖଣି ଥିବାବେଳେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ପରଠାରୁ ଏବେ ପ୍ରାୟ ୪୦ଟି ଖଣି କାର୍ଯ୍ୟକ୍ଷମ ରହିଛି। ଜିଲାରେ ସମନ୍ୱିତ ଇସ୍ପାତ ଓ ସ୍ପଞ୍ଜ ଲୁହା କାରଖାନା ସମୁଦାୟ ୨୨ଟି ମଧ୍ୟରୁ ବର୍ତ୍ତମାନ ମାତ୍ର ହାତଗଣତି ୧୦ଟି କାର୍ଯ୍ୟକ୍ଷମ ହେଉଥିବା ବେଳେ ଆବଶ୍ୟକ କଞ୍ଚାମାଲ ଅଭାବ ସାଙ୍ଗକୁ ଭିତ୍ତିଭୂମିର ଅଭାବ ଯୋଗୁଁ କୁସୁମ ପାୱାରମେଟ, ଶ୍ରୀ ମେଟାଲିକ୍ସ, ଶ୍ରୀଜଗନ୍ନାଥ ମେଟାଲିକ୍ସ, ଦୀପକ ଷ୍ଟିଲ ଆଣ୍ଡ ପାୱାର ଭଳି ବହୁ ଶିଳ୍ପାନୁଷ୍ଠାନ ବନ୍ଦ ହୋଇସାରିଥିବା ବେଳେ ୯ଟି କାରଖାନା ଅସ୍ଥାୟୀ ଭାବେ ଦୀର୍ଘବର୍ଷ ଧରି ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବଡବିଲସ୍ଥିତ କଳିଙ୍ଗ ଆଇରନ ୱାର୍କ୍ସର ନିଜସ୍ୱ ଖଣି କାର୍ଯ୍ୟକ୍ଷମ ସତ୍ତେ୍ୱ ପରିଚାଳନାଗତ ତୃଟି ଯୋଗୁଁ ଏହି ଶିଳ୍ପସଂସ୍ଥା ମଧ୍ୟ ଆଜକୁ ଦୀର୍ଘବର୍ଷ ଧରି ବନ୍ଦ ରହିବା କାରଣରୁ କର୍ମଚାରୀ ଜୀବିକା ହରାଇ ଏବେ ଦୁର୍ଦ୍ଦିନରେ। ସେହିଭଳି ୬ଟି ଫେରୋ ଆଲଏଜ କାରଖାନା ମଧ୍ୟରୁ ୨ଟି କାର୍ଯ୍ୟକ୍ଷମ ଥିବାବେଳେ ୪ଟି ବନ୍ଦ ରହିଛି। ନୂତନଭାବେ ଗଢ଼ି ଉଠିଥିବା ୫ଟି ଇଣ୍ଡକ୍ସନ ଫର୍ଣ୍ଣେସ,୨ଟି ଲୁହାଛଡ,୧୭ଟି ମିନେରାଲ ବେନିଫିକେସନ କାରଖାନା ଓ ୧୧୮ଟି ଲୁହାପଥର କ୍ରସର ସରକାରଙ୍କ ଭୂଲ ଖଣି ନୀତି ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ କାରଣରୁ ପ୍ରକଳ୍ପ ପାଇଁ ଜମିହରା କାମଧନ୍ଦାରୁ ବଞ୍ଚିତ ହେବାସହ ଚାକିରି ହରାଇ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରିବା ଜିଲାବାସୀଙ୍କ ପାଇଁ ଖଣିଜସମ୍ପଦ ସତେଯେମିତି ଅଭିଶାପ ପାଲଟିଛି।

ପୂର୍ବରୁ ପାଇପଲାଇନ ଯୋଗେ ଜିଲାରୁ ଖଣିଜସମ୍ପଦ ପରିବହନ ହୋଇ କଳିଙ୍ଗନଗର ଓ ପାରାଦ୍ୱୀପକୁ ପରିବହନ ହୋଇ ଆସୁଥିଲା। ଏବେ ଅନଗୁଳୁ ସମେତ ଅନ୍ୟ ସ୍ଥାନକୁ ପାଇପଲାଇନ ଯୋଗେ ଖଣିଜସମ୍ପଦ ପରିବହନ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ ଏହା କାର୍ଯ୍ୟକ୍ଷମ ହେଲେ ଜିଲାରେ ବର୍ଜ୍ୟବସ୍ତୁର ପାହାଡ ଗଦା ସୃଷ୍ଟି ହୋଇ କେବଳ ପ୍ରଦୁଷଣଜନ୍ତାରେ ଜିଲାବାସୀଙ୍କୁ କଷ୍ଟ ଭୋଗିବାକୁ ହେବ ଏଥିରେ ସନ୍ଦେହ ନାହିଁ। ଜିଲାରେ ୮୦ଟି ଷ୍ଟୋନ କ୍ରସର ଓ ୩୭ଟି କ୍ଷୁଦ୍ରଶିଳ୍ପ ମଧ୍ୟରୁ ପ୍ରାୟ ୯୫ପ୍ରତିଶତ ବନ୍ଦ ହୋଇଯାଇ ଥିବାବେଳେ ସରକାରଙ୍କ ଭୂଲ ଶିଳ୍ପନୀତି ଯୋଗୁଁ କେନ୍ଦୁଝର ଜିଲା ଖୁବଶିଘ୍ର ମରୁଭୂମିରେ ପରିଣତ ହେବାକୁ ଯାଉଛି। ଏକପକ୍ଷରେ ଜିଲାରେ ଗଚ୍ଛିତ ଖଣିଜ ସମ୍ପଦର ସୁବିନିଯୋଗ କରି ଏପର୍ଯ୍ୟନ୍ତ ଗୋଟିଏ ହେଲେ ଫିନିସ୍ ପ୍ରଡକ୍ଟ କାରଖାନା କିମ୍ବା ଏକ ବୃହତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାରେ ସରକାର ସଫଳ ହୋଇପାରି ନାହାନ୍ତି। ଅପରପକ୍ଷରେ କେବଳ କୋଇଲାଭିତ୍ତିକ ପ୍ରଦୁଷଣଯୁକ୍ତ ସ୍ପଞ୍ଜ ଲୁହା କାରଖାନା ଓ କ୍ରସର ସ୍ଥାପନ ଦ୍ୱାରା ବର୍ଜ୍ୟବସ୍ତୁର ପାହାଡ ସୃଷ୍ଟି ହୋଇ ପ୍ରଦୁଷଣଯନ୍ତାରେ ଜିଲାବାସୀଙ୍କୁ ମରଣମୁହଁକୁ ଠେଲି ଦେବା ଉଦ୍ୟମ ଜିଲାବାସୀଙ୍କୁ ନିରାଶ କରିଛି।

Comments are closed.