ପ୍ରକାଶ ପାଇଲା ମାଟ୍ରିକ୍‌‌ ପରୀକ୍ଷାଫଳ, କେନ୍ଦୁଝରରେ ପାସ୍‌‌ହାର ୯୪ ପ୍ରତିଶତ

କେନ୍ଦୁଝରଗଡ଼: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ-୨୦୨୪ ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି। ଚଳିତବର୍ଷ ଜିଲାର ୪୭୭ ବିଦ୍ୟାଳୟର ୨୫୩୯୬ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ସେଥିମଧ୍ୟରୁ ୭୬୫ଜଣ ପରୀକ୍ଷାରେ ଅନୁପସ୍ଥିତ ଥିବା ବେଳେ ୨୪୬୩୧ଜଣ ପରୀକ୍ଷା ଦେଇଥିଲେ। ଚଳିତବର୍ଷ ୯୪.୦୮ ପ୍ରତିଶତ ହାରରେ ଜିଲାରେ ମୋଟ ୨୩୧୭୩ଜଣ ସଫଳତାର ସହ ପାସ୍‌‌ କରିଥିବା ଜଣାପଡିଛି।

କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଶତପ୍ରତିଶତ ସଫଳତା , ଏ-୧ ଗ୍ରେଡରେ ୮ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ
କେନ୍ଦୁଝରଗଡ଼: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ୨୦୨୪ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳରେ ଜେଲରୋଡସ୍ଥିତ କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଶତପ୍ରତିଶତ ସଫଳତା ମିଳିଛି। ମୋଟ ୨୨୨ଜଣ ଛାତ୍ରଛାର୍ଥୀଙ୍କ ମଧ୍ୟରୁ ସମସ୍ତେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ଏ-୧ଗ୍ରେଡରେ ୮ଜଣ, ଏ-୨ ଗ୍ରେଡରେ ୨୫ ଜଣ, ବି-୧ ଗ୍ରେଡରେ ୪୬ ଜଣ, ବି-୨ ଗ୍ରେଡରେ ୬୨ ଜଣ, ସି ଗ୍ରେଡରେ ୪୯ ଜଣ, ଡି ଗ୍ରେଡରେ ୨୭ ଜଣ ଓ ଇ ଗ୍ରେଡରେ ୫ ଜଣଙ୍କୁ ମିଶାଇ ସମସ୍ତ ୨୨୨ ଜଣ ଛାତ୍ରଛାତ୍ରୀ ପାସ୍‌‌ କରିଛନ୍ତି। ଯାଜ୍ଞସେନ ନାଏକ ୫୬୦ନମ୍ବର, ପ୍ରିତମ ମହାକୁଡ ୫୫୮, ଶ୍ୱେତାଶ୍ରୀ ମିଶ୍ର ୫୫୩, ଲାବଣ୍ୟବତୀ ମହାନ୍ତ, ରଶ୍ମିରେଖା ମହାନ୍ତ, ଶତାବ୍ଦୀ ମହାନ୍ତି ଓ ବିବେକାନନ୍ଦ ସାହୁ ୫୫୨ ଏବଂ ପ୍ରୀତି ପ୍ରିୟଦର୍ଶିନୀ କବି ୫୪୦ ନମ୍ବର ରଖି ଏ-୧ ଗ୍ରେଡରେ ସଫଳତାର ସହ ପାସ୍‌‌ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଚନ୍ତି। ଶତପ୍ରତିଶତ ପାସହାର ପାଇଁ ପରିଚାଳନା ସମିତି ପକ୍ଷରୁ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏଥର ପୁଣି ନିରାଶ କଲା ଡି.ଏନ୍‌‌ ହାଇସ୍କୁଲ, ଏନଏସ ପୋଲିସ ହାଇସ୍କୁଲରୁ ଏ-୧ ଗ୍ରେଡରେ ଦୁଇ ଜାଆଁଳା ଭାଇ
କେନ୍ଦୁଝରଗଡ଼: ମାଧ୍ୟମିକ ଶିକ୍ଷାକ୍ଷେତ୍ରରେ ରାଜ୍ୟରେ ବେଶ୍‌‌ ସୁନାମ ଅର୍ଜନ କରିଥିବା ରାଜ୍ୟ ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପୋଷ୍ୟ ବିଦ୍ୟାଳୟ ଡି.ଏନ୍‌‌.ହାଇସ୍କୁଲରୁ ଲଗାତାର ଷଷ୍ଠବର୍ଷ ପାଇଁ ଜଣେହେଲେ ପରୀକ୍ଷାର୍ଥୀ ଏ-୧ ଗ୍ରେଡରେ ପାସ୍‌‌ ନକରିବା ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ନୈରାଶ୍ୟ ଖେଳାଇ ଦେଇଛି। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ-୨୦୨୪ ରବିବାର ପ୍ରକାଶ ପାଇଥିବା ବେଳେ ଜିଲାର ସୁନାମଧନ୍ୟ ଏହି ଶିକ୍ଷାନୁଷ୍ଠାନରୁ ଜଣେହେଲେ ପରୀକ୍ଷାର୍ଥୀ ଏ-୧ ଗ୍ରେଡରେ ପାସ୍‌‌ କରିନଥିବା ଜଣାପଡିଛି।

ଡିଏନ୍‌‌ ହାଇସ୍କୁଲରେ ମୋଟ ୧୩୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୨ଗ୍ରେଡରେ ୭ଜଣ, ବି-୧ଗ୍ରେଡରେ ୯ଜଣ, ବି-୨ଗ୍ରେଡରେ ୩୫ଜଣ, ସି-ଗ୍ରେଡରେ ୩୮ଜଣ, ଡି-ଗ୍ରେଡରେ ୨୪ଜଣ ଓ ଇ-ଗ୍ରେଡରେ ୨୦ଜଣକୁ ମିଶାଇ ଶତପ୍ରତିଶତ ହାରରେ ମୋଟ ୧୩୩ଜଣ ପାସ୍‌‌ କରିଛନ୍ତି। ଚଳିତଥରକୁ ମିଶାଇ ଉକ୍ତ ବିଦ୍ୟାଳୟରୁ ଲଗାତାର ୬ବର୍ଷ ଧରି ଜଣେହେଲେ ପରୀକ୍ଷାର୍ଥୀ ଏ-୧ ଗ୍ରେଡରେ ପାସ୍‌‌ ନକରିବା ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଏନଏସ ପୁଲିସ ହାଇସ୍କୁଲରେ ଚଳିତବର୍ଷ ୧୭୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ପାସ୍‌‌ କରିଥିବା ବେଳେ ଏ-୧ ଗ୍ରେଡରେ ୨ଜଣ, ଏ-୨ଗ୍ରେଡରେ ୩ଜଣ, ବି-୧ଗ୍ରେଡରେ ୧୦ଜଣ, ବି-୨ଗ୍ରେଡରେ ୨୫ଜଣ, ସି-ଗ୍ରେଡରେ ୫୮ଜଣ, ଡି-ଗ୍ରେଡରେ ୫୪ଜଣ ଓ ଇ ଗ୍ରେଢରେ ୨୭ଜଣଙ୍କୁ ମିଶାଇ ଶତପ୍ରତିଶତ ହାରରେ ସମସ୍ତ ୧୭୯ଜଣ ଛାତ୍ରଛାତ୍ରୀ ସଫଳତାର ସହ ପାସ୍‌‌ କରିଥିବା ଜଣାପଡିଛି।

ବିଦ୍ୟାଳୟର ଛାତ୍ର ଅନୀଷ କୁମାର ନାୟକ ଓ ଅଙ୍କିତ କୁମାର ନାୟକ ଦୁଇ ଜାଆଁଳା ଭାଇ ୫୪୦ନମ୍ବର ରଖି ଏ-୧ ଗ୍ରେଡରେ ପାସ୍‌‌ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଜିଲାର ସମସ୍ତ ସରକାରୀ ଉଚ୍ଚ ବିଦାଳୟକୁ ୫-ଟି ଅର୍ନ୍ତଭୁକ୍ତ କରାଯାଇ ଭିତ୍ତିଭୂମି ସୁଦୃଢ଼ ସହ ରୂପାନ୍ତରଣ କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାଳୟର ରୂପରେଖ ବେଶ୍‌‌ ବଦଳି ଯାଇଛି। କିନ୍ତୁ, ମାନବସମ୍ବଳର ପ୍ରକୃତ ବିକାଶ ପାଇଁ ଉଦ୍ଦିଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଯୋଗୁଁ ସରକାରୀ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ କାରଣରୁ ପରୀକ୍ଷାଫଳ ନୈରାଶ୍ୟଜନକ ହେଉଥିବାରୁ ଅଭିଭାବକ ବାଧ୍ୟ ହୋଇ ନିଜ ପିଲାମାନଙ୍କୁ ଘରୋଇ ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ ପାଇଁ ଅଧିକ ପସନ୍ଦ କରୁଥିବା ଗତ କିଛିବର୍ଷ ଧରି ପ୍ରକାଶିତ ପରୀକ୍ଷା ଫଳାଫଳରୁ ଏହା ବେଶ୍‌‌ ପ୍ରମାଣିତ ହୋଇଛି।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମୂହକୁ ସଫଳତା, ଏ-୧ ଗ୍ରେଡରୁ ୨୬ଜଣ,ଶ୍ରେୟା ସୁହାନୀ ନାୟକ ଟପ୍ପର
କେନ୍ଦୁଝରଗଡ଼: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ-୨୦୨୪ରେ ଜିଲାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ସମୂହ ସଫଳତା ମିଳିଛି। ଜିଲାର ମୋଟ ୨୭ ସରସ୍ୱତୀ ଶିଶୁ ମବିଦ୍ୟାମନ୍ଦିରରୁ ୧୦୯୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ସ୍ଥଗିତ ଥିବାବେଳେ ଜଣେ ଅକୃତ କାର୍ଯ୍ୟ ଏବଂ ଅବଶିଷ୍ଟ ସମସ୍ତ ୧୦୮୮ଜଣ ଛାତ୍ରଛାତ୍ରୀ ସଫଳତାର ସହ ପାସ୍‌‌ କରିଛନ୍ତି। ସେଥିମଧ୍ୟରୁ ବଡବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶ୍ରେୟା ସୁହାନୀ ନାୟକ ସର୍ବାଧିକ ୫୬୧ନମ୍ବର ରଖି ଜିଲାର ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କେବଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ୨୬ଜଣ ଏ-୧ ଗ୍ରେଡରେ ପାସ୍‌‌ କରିଥିବା ବେଳେ ଏ-୨ଗ୍ରେଡରେ ୧୦୦ଜଣ, ବି-୧ଗ୍ରେଡରେ ୧୬୧ଜଣ, ବି-୨ଗ୍ରେଡରେ ୨୫୪ଜଣ, ସି-ଗ୍ରେଡରେ ୩୧୦ଜଣ, ଡି-ଗ୍ରେଡରେ ୧୯୪ଜଣ ଓ ଇ-ଗ୍ରେଡରେ ୪୩ଜଣକୁ ମିଶାଇ ମୋଟ ୧୦୮୮ଜଣ ପରୀକ୍ଷାର୍ଥୀ ପାସ୍‌‌ କରିଥିବା ଶିକ୍ଷା ବିକାଶ ସମିତି ଉତ୍ତର ସମ୍ଭାଗ ସଂଯୋଜକ କ୍ଷେତ୍ରମୋହନ ଦାଶ ଓ ବିଭାଗ ନୀରିକ୍ଷକ ଜ୍ଞାନରଞ୍ଜନ ପାଢ଼ୀ ଜଣାଇଛନ୍ତି।

ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଶତପ୍ରତିଶତ ସଫଳତା , ଏ-୧ ଗ୍ରେଡରେ ଦିପ୍ତୀମୟୀ ମହାନ୍ତ
କେନ୍ଦୁଝରଗଡ଼: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ୨୦୨୪ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କେନ୍ଦୁଝରକୁ ଶତପ୍ରତିଶତ ସଫଳତା ମିଳିଛି। ମୋଟ ୮୨ଜଣ ଛାର୍ଥୀଙ୍କ ମଧ୍ୟରୁ ସମସ୍ତେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ଏ-୧ଗ୍ରେଡରେ ଜଣେ, ଏ-୨ ଗ୍ରେଡରେ ୩ଜଣ, ବି-୧ ଗ୍ରେଡରେ ୧୪ଜଣ, ବି-୨ ଗ୍ରେଡରେ ୨୮ଜଣ, ସି ଗ୍ରେଡରେ ୧୯ଜଣ, ଡି ଗ୍ରେଡରେ ୮ଜଣ ଓ ଇ ଗ୍ରେଡରେ ୯ଜଣଙ୍କୁ ମିଶାଇ ସମସ୍ତ ୮୨ ଜଣ ଛାତ୍ରଛାତ୍ରୀ ପାସ୍‌‌ କରିଛନ୍ତି। ଛାତ୍ରୀ ଦିପ୍ତୀମୟୀ ମହାନ୍ତ ୫୪୩ନମ୍ବର ରଖି ପ୍ରଥମଥର ପାଇଁ ଏ-୧ ଗ୍ରେଡରେ ପାସ୍‌‌ କରି ବିଦ୍ୟାଳୟର ଗୌରବକୁ ବୃଦ୍ଧି କରିଛନ୍ତି।

Comments are closed.