କର୍ଣ୍ଣାଟକ ନିର୍ବାଚନ : ମଠ ଭୂମିକା ନିର୍ଣ୍ଣାୟକ!

0

ବେଙ୍ଗାଲୁରୁ : କର୍ଣ୍ଣାଟକସ୍ଥିତ ପ୍ରତ୍ୟେକ ମଠର ପ୍ରଭାବ ହାତଗଣତି କେତେକ ଜିଲା ମଧ୍ୟରେ ସୀମିତ ହୋଇଥାଇପାରେ; କିନ୍ତୁ ସାମୂହିକ ଭାବେ ଏଗୁଡିକ ଆଗାମୀ ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାର ସମସ୍ତ ସମ୍ଭାବନା ରହିଛି। ରାଜ୍ୟର ଏକ ନିର୍ଦିଷ୍ଟ ଜାତି (ଲିଙ୍ଗାୟତ ସମ୍ପ୍ରଦାୟ)ର ଲୋକେ ଏହି ମଠର ଅନୁଗାମୀ ହୋଇଥିବାରୁ ଏଗୁଡିକ ନିକଟରେ ବିପୁଳ ଭୋଟ୍‌ ରହିଛି। ମଠଗୁଡିକ ଧାର୍ମିକ ଅନୁଷ୍ଠାନ ସମେତ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଏବଂ ଅନାଥାଶ୍ରମ ଭଳି ଦାତବ୍ୟ ସଂସ୍ଥା ଚଳାଉଛନ୍ତି। ମୋଟାମୋଟି ଭାବେ ଏଗୁଡ଼ିକ ରାଜ୍ୟରେ ମଠ ଅନୁଗାମୀଙ୍କୁ ଜୀବନଜୀବିକାର କେନ୍ଦ୍ରବିନ୍ଦୁ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନ୍ୟପଟେ ମଠଗୁଡିକ ରାଜନୀତିଠାରୁ ବହୁ ଦୂରରେ ବୋଲି ଧର୍ମଗୁରୁମାନେ କହୁଛନ୍ତି; କିନ୍ତୁ ରାଜ୍ୟରେ ପଞ୍ଚାୟତ ହେଉ ବା ବିଧାନସଭା ନିର୍ବାଚନର ପ୍ରାର୍ଥୀମାନେ ମଠ ପରିଭ୍ରମଣ କରି ଧର୍ମଗୁରୁଙ୍କଠାରୁ ଆଶୀର୍ବାଦ ଗ୍ରହଣ କରୁଥିବା ବିଗତ ଦିନଗୁଡିକରେ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହା ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଠକୁ ଯାଇ ମଠାଧୀଶଙ୍କ ଆର୍ଶୀବାଦ ଗ୍ରହଣ ଆଳରେ ସମର୍ଥନ ଲୋଡିଥିଲେ।
ତୁମକୁରୁଠାରେ ଥିବା ସିଦ୍ଦଗଙ୍ଗା ମଠ ଲିଙ୍ଗାୟତମାନଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ସମ୍ପ୍ରଦାୟର ମୋଟ ୧୭ରୁ ୧୯% ଭୋଟ୍‌ ଏହି ମଠ ନିକଟରେ ରହିଛି ଯାହାକି ରାଜ୍ୟର ଅନ୍ୟ ସମ୍ପ୍ରଦାୟର ଭୋଟ ତୁଳନାରେ ସର୍ବାଧିକ ବୋଲି କୁହାଯାଉଛି। ଗତ ଏପ୍ରିଲରେ ୧୧୧ ବର୍ଷ ବୟସରେ ପଦାର୍ପଣ କରିଥିବା ସ୍ୱାମୀ ଶିବକୁମାର ଏହି ମଠର ମୁଖ୍ୟ ଅଛନ୍ତି। ଲିଙ୍ଗାୟତ ସମ୍ପ୍ରଦାୟ ତାଙ୍କୁ ନିଜର ‘ଚଳନ୍ତି ଭଗବାନ’ ମାନିଥାଆନ୍ତି। ନିକଟରେ ଉଭୟ ରାହୁଲ ଏବଂ ଶାହା ଏହି ମଠକୁ ଯାଇ ସ୍ୱାମିଜୀଙ୍କ ଆଶୀର୍ବାଦ ନେଇଛନ୍ତି। ଅନ୍ୟପଟେ ଲିଙ୍ଗାୟତମାନେ ସାଧାରଣତଃ ଏହି ସମ୍ପ୍ରଦାୟର ନେତା ତଥା ବିଜେପି ନେତା ୟେଦୁରାପ୍ପାଙ୍କୁ ସମର୍ଥନ କରିଥାଆନ୍ତ; କିନ୍ତୁ ଲିଙ୍ଗାୟତଙ୍କୁ ସ୍ୱତନ୍ତ୍ର ସଂଖ୍ୟାଲଘୁ ସମ୍ପ୍ରଦାୟ ମାନ୍ୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ସମ୍ପ୍ରଦାୟର ଭୋଟ୍‌ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରିଛନ୍ତି।
ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲିଙ୍ଗାୟତ ମଠ ହେଉଛି ଚିତ୍ରଦୁର୍ଗାସ୍ଥିତ ଶ୍ରୀଗେରେ ମଠ ଏବଂ ମୁରୁଗା ମଠ। ଶାହା ଗତ ମାର୍ଚ୍ଚରେ ମୁରୁଗା ମଠ ଗସ୍ତ କରିଥିଲେ। ଏହି ସମୟରେ ମଠାଧୀଶ ତାଙ୍କୁ ଲିଙ୍ଗାୟତଙ୍କୁ ସ୍ୱତନ୍ତ୍ର ସମ୍ପ୍ରଦାୟ ସ୍ୱୀକୃତି ପ୍ରଦାନ ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ମଠାଧୀଶଙ୍କ ବିଶ୍ୱାସ ଜିଣିବାରେ ଯେଉଁ ଦଳ ସକ୍ଷମ ହେବ ତାହାକୁ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟ ମିଳିପାରେ ବୋଲି କୁହାଯାଉଛି।

Leave A Reply