କୃଷି ପ୍ୟାକେଜ: ‘ରୟତ ବନ୍ଧୁ’ଠୁ ‘କାଳିଆ’ ବଳିଷ୍ଠ

0

ନୂଆଦିଲ୍ଲୀ : ନିକଟରେ ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କ୍ଷମତାରେ ଥିବା ଦଳକୁ ଭୋଟର ପ୍ରତ୍ୟାଖ୍ୟାନ କରିଥିବା ବେଳେ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ କେ. ଚନ୍ଦ୍ରଶେଖର ରାଓ (କେସିଆର) ବିପୁଳ ବିଜୟ ସହ ପୁନଃ କ୍ଷମତାକୁ ଫେରିଛନ୍ତି। ଏପରିକି ତାଙ୍କ ପ୍ରଦର୍ଶନରେ ଉନ୍ନତି ଘଟିଛି। ଦଳ ପୂର୍ବର ୬୯ ଆସନ ତୁଳନାରେ ୮୭ଟି ଆସନରେ ଜିତି ସରକାର ଗଠନ କରିଛି। କେସିଆରଙ୍କ ଏହି ରାଜନୈତିକ ସଫଳତାର ଶ୍ରେୟ ‘ରୟତ ବନ୍ଧୁ’ ଯୋଜନାକୁ ଦିଆଯାଇଛି। ଏହି ଯୋଜନା ଅଧିନରେ କୃଷକଙ୍କୁ ଅମଳ ଋତୁ ପିଛା ୪,୦୦୦ ଟଙ୍କା ଏବଂ ଦ୍ବି-ଫସଲ ଚାଷଜମି ପାଇଁ ବାର୍ଷିକ ୮,୦୦୦ ଟଙ୍କା ପ୍ରଦାନ କରାଯାଉଛି। ସମ୍ପ୍ରତି ଅନେକ ରାଜନେତା ଏହି ଯୋଜନାକୁ ରାଜନୈତିକ ସଫଳତାର ଚାବିକାଠି ବୋଲି ଅଭିହିତ କରିଛନ୍ତି; କିନ୍ତୁ ବାସ୍ତବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରହିଛି ଏହି କୃଷକଙ୍କ ସମସ୍ୟାର ଶ୍ରେଷ୍ଠ ସାଧନ। କେସିଆରଙ୍କ ‘ରୟତ ବନ୍ଧୁ’ଠାରୁ ମଧ୍ୟ ଉତ୍ତମ ଯୋଜନା ଆଣିଛନ୍ତି ନବୀନ।
ଫସଲ ପରିବ​‌େ​‌ର୍ତ୍ତ ଆର୍ଥିକ ରିଆତି ଦ୍ବାରା ଯେ କୃଷକଙ୍କ ସମସ୍ୟାର ଉତ୍ତମ ସମାଧାନ ହୋଇପାରିବ ତାହା କେସିଆର ବେଶ ବୁଝିଛନ୍ତି। ତାଙ୍କ ଦ୍ବାରା କାର୍ଯ୍ୟକାରୀ ଯୋଜନା ‘ରୟତ ବନ୍ଧୁ’ ରେ ମଧ୍ୟ ଏହି ମର୍ମ ପ୍ରତିଫଳିତ ହୋଇଛି। ତଥାପି ଏହି ଯୋଜନାରେ ଅନେକ ଅଭାବ ରହିଯାଇଛି। ଏହି ଯୋଜନାରେ ଭାଗଚାଷ ପାଇଁ ଜମି ଦେଇଥିବା ଜମିମାଲିକଙ୍କ ସମେତ ବଡ଼ଚାଷୀ ଉପକୃତ ହେଉଥିବା ବେଳେ ପ୍ରକୃତ ଚାଷୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଜମିହୀନ କୃଷକ ମଧ୍ୟ ଏହି ଯୋଜନାର ସୁଫଳ ପାଇପାରୁନାହାନ୍ତି; କିନ୍ତୁ ଓଡ଼ିଶାର ପ୍ରସ୍ତାବିତ କାଳିଆ ଯୋଜନା ଉପରୋକ୍ତ ଦୋଷଦୁର୍ବଳତାରୁ ଊର୍ଦ୍ଧ୍ବରେ। ଏହି ଯୋଜନାନୁସାରେ ରାଜ୍ୟର ୩୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅମଳ ଋତୁ ପିଛା ୫,୦୦୦ ଟଙ୍କା ଏବଂ ଦ୍ବି-ଫସଲ ଚାଷଜମି ପାଇଁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ଅନ୍ୟପଟେ ୨ ଲକ୍ଷ ବୃହତ ଚାଷୀଙ୍କୁ ଏହି ଯୋଜନା ବର୍ହିଭୁକ୍ତ ରଖାଯାଇଛି। ବିଶେଷକରି ଭାଗଚାଷ ପାଇଁ ଜମି ଦେଇଥିବା ଜମିମାଲିକଙ୍କ ପରିବର୍ତ୍ତେ ପ୍ରକୃତ ଚାଷୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବାର ଉଦ୍ୟମ ହୋଇଛି। ଏଥିସହ ୧୦ ଲକ୍ଷ ଜମିହୀନ ପରିବାରକୁ ୧୨,୫୦୦ ଟଙ୍କା ଲେଖାଏଁ ଅନୁଦାନ ଦିଆଯିବାକୁ ସ୍ଥିର ହୋଇଛି। ଏହାର ଉପଯୋଗ ପୂର୍ବକ ସମ୍ପୃକ୍ତ ପରିବାର ଛେଳି ଓ କୁକୁଡା ପାଳନ ତଥା ଛତୁ ଓ ମହୁ ଚାଷ ଭଳି କାର୍ଯ୍ୟ ଆରମ୍ଭ କରିପାରିବେ। ମତ୍ସ୍ୟଜୀବୀମାନଙ୍କୁ ଜାଲ ଏବଂ ଅନ୍ୟାନ୍ୟ ଉପକରଣ ମିଳିବ। ବିଶେଷକରି ଜମିହୀନ ଦଳିତ ତଥା ଆଦିବାସୀ ପରିବାରଗୁଡିକୁ ଜୀବିକା ପ୍ରଦାନ ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି। ସମାଜର ଅବହେଳିତ ତଥା ଅସୟାହ ଲୋକଙ୍କୁ ଜୀବିକା ପ୍ରଦାନ କରୁଥିବା ଏହି ଯୋଜନା ଆଣି ନବୀନ ବିଜେପି ଏବଂ କଂଗ୍ରେସ ଶାସିତ ରାଜ୍ୟଗୁଡିକରେ କାର୍ଯ୍ୟକାରୀ ଅନ୍ୟ ଋଣଛାଡ ଯୋଜନାଗୁଡିକୁ ଏକ ପ୍ରକାର ଦୁର୍ବଳ ଦର୍ଶାଇଛନ୍ତି। କାରଣ ଉକ୍ତ ଯୋଜନାଗୁଡିକରେ ବହୁ ପରିମାଣର ଋଣ ନେଇଥିବା ବଡ଼ଚାଷୀ ଉପକୃତ ହେଉଥିବା ବେଳେ ଆଦୌ କୃଷି ଋଣ ନେଇ ନ ଥିବା କ୍ଷୁଦ୍ର ଏବଂ କୃଷିଶ୍ରମିକ ଉପକୃତ ହୋଇପାରୁ ନାହାନ୍ତି।
ଅନ୍ୟପଟେ କୃଷିଋଣ ଛାଡ କରିବାକୁ ମନା କରି ନବୀନ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଋଣ ସୁଝିବା ପ୍ରକ୍ରିୟାକୁ ବଳବତ୍ତର ରଖିବାରେ ସହଯୋଗ କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ଥିବା ୩୨ ଲକ୍ଷ ଚାଷୀଙ୍କ ମଧ୍ୟରୁ କେବଳ ୨୦ଲକ୍ଷ ବଡ଼ଚାଷୀ କୃଷିଋଣ ନେଇଛନ୍ତି। ଏହି ଚାଷୀ କୃଷିଋଣ ଛାଡ ଯୋଜନାର ଲାଭ ପାଇବା ଉଚିତ ନୁହେଁ।
ରୟତ ବନ୍ଧୁ
-ଅମଳ ଋତୁ ପିଛା ୪,୦୦୦ ଟଙ୍କା ଏବଂ ଦ୍ବି-ଫସଲ ଚାଷଜମି ପାଇଁ ବାର୍ଷିକ ୮,୦୦୦ ଟଙ୍କା
-ଭାଗଚାଷ ପାଇଁ ଜମି ଦେଇଥିବା ଜମିମାଲିକଙ୍କ ସହ ବଡ଼ଚାଷୀ ଉପକୃତ
-ପ୍ରକୃତ ଚାଷୀ, ଜମିହୀନ କୃଷକ ପାଉନାହାନ୍ତି ଯୋଜନାର ସୁଫଳ
କାଳିଆ
-୩୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅମଳ ଋତୁ ପିଛା ୫,୦୦୦ ଟଙ୍କା ଏବଂ ଦ୍ବି-ଫସଲ ଚାଷଜମି ପାଇଁ ବାର୍ଷିକ ୧୦,୦୦୦ ଟଙ୍କା
-ପ୍ରକୃତ ଚାଷୀଙ୍କ ନିକଟରେ ପହଞ୍ଚିବ ଯୋଜନାର ସୁଫଳ
-୧୦ ଲକ୍ଷ ଜମିହୀନ ପରିବାରକୁ ୧୨,୫୦୦ ଟଙ୍କା ଲେଖାଏଁ ଅନୁଦାନ
-୨ ଲକ୍ଷ ବୃହତ ଚାଷୀଙ୍କୁ ଯୋଜନା ବର୍ହିଭୁକ୍ତ

Leave A Reply