ଥୁଆମୁଳ ରାମପୁର ଅଞ୍ଚଳରେ ବଢ଼ୁଛି ଗୋ ମଢକ

0

କଲମପୁର : ଥୁଆମୁଳ ରାମପୁର ଅଞ୍ଚଳରେ ଦିନକୁ ଦିନ ଗାଈ, ବଳଦ, ଛେଳି ମେଣ୍ଢା ଓ ମହିଷୀ ଆଦି ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହୋଇ ଆସୁଛି। ପ୍ରଥମେ ମହୁଲପାଟଣା ପଞ୍ଚାୟତର ପଣ୍ଡପୁସ ପଡାରେ ୧୯ ଜଣଙ୍କର ୬୦ରୁ ଅଧିକ ଗାଈ, ମହିଷୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେବା ପରେ ପୁଣି ଇନ୍ଦ୍ରାବତୀ ଜଳ ଭଣ୍ଡାର କୂଳରେ ଥିବା ଓଡ୍ରି ପଞ୍ଚାୟତ ଅଧିନସ୍ଥ ଓଡ୍ରି, ଢୋଲପାସ, ଟାଙ୍ଗରୀ, କେନ୍ଦୁମୁଣ୍ଡି, ଫଟକିମହୁଲ, ବଡବଫଲା ଆଦି ଅଞ୍ଚଳରେ ପୁଣି ଗାଈ, ମହିଷୀଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ ହୋଇଛି। ଏହି ମୃତ ଗାଈ, ମହିଷୀ ଓ ଛେଳିଙ୍କୁ ଏଣେ ତେଣେ ପକାଇ ଦେଉଥିବାରୁ ଆଗାମୀ ଦିନରେ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ଲଗାଣ ବର୍ଷା କାରଣରୁ ଖାଦ୍ୟ ଅଭାବ ଏକ ଗାଈ ମହିଷୀଙ୍କ ପ୍ରମୁଖ କାରଣ ହୋଇଥିବା ବେଳେ ନିମୋନିଆ ଜ୍ୱର ପ୍ରଭାବରୁ ଏତେ ସଂଖ୍ୟାରେ ଗାଈ, ମହିଷୀଙ୍କ ମୃତ୍ୟୁ ହେଇଥିବା ଆଶଙ୍କା କରାଯାଇଛି। ଏହାସହ ବଫଲାମାଳି ଖଣି ଖନନ କାରଣରୁ ଖଣି ଖନନ ପରେ ନିସ୍କାସିତ ବର୍ଜ୍ୟବସ୍ତୁର ପ୍ରଭାବରୁ ତାର ସଂସ୍ପର୍ଶରେ ଆସି ଗାଈ ମହିଷୀଙ୍କ ମୃତ୍ୟୁ ହେବାର ଅନ୍ୟ ଏକ କାରଣ ହେଇଥିବାର ଗ୍ରାମ ବାସୀ ଅଭିଯୋଗ କରୁଛନ୍ତି। ଅଜଣା ରୋଗରେ ପ୍ରଭାବିତ ଗାଈ, ମହିଷୀ ଦିନେ ଦୁଇଦିନ ପତଳା ଝାଡାରେ ଆକ୍ରାନ୍ତ ହେବା ପରେ ମୃତ୍ୟୁ ବରଣ କରୁଥିବା ହିତାଧିକାରୀଙ୍କ ତରଫରୁ ସୂଚନା ମିଳୁଥିବା ବେଳେ ପ୍ରାଣୀ ସମ୍ପଦ ବିଭାଗ ଏପର୍ଯ୍ୟନ୍ତ ଗାଈ ମହିଷୀଙ୍କ ମୃତ୍ୟୁର କାରଣ ପାଇପାରୁ ନାହିଁ। ଅନ୍ୟପଟେ ଏହି ଅଗମ୍ୟ ଅଞ୍ଚଳରେ ସଠିକ୍ ସମୟରେ ଗୋ ଟୀକା କରଣ କରାଯାଇନଥିବା ବେଳେ ଏହି ଅଞ୍ଚଳରେ ନିୟୋଜିତ ପ୍ରାଣୀ ସମ୍ପଦ ନିରୀକ୍ଷକ ଅନେକ ସମୟରେ ଅନୁପସ୍ତିତ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବ କାରଣରୁ ମୃତ ଗାଈ, ମହିଷୀଙ୍କୁ ଏଣେ ତେଣ ଫିଙ୍ଗି ଦେଉଥିବାରୁ ଏହାର ପ୍ରଭାବରେ ଝରଣା ପାଣି ଦୁଷିତ ହେବାର ଆଶଙ୍କା କରାଯାଉଛି। ଯାହା ଆଗାମୀ ଦିନରେ ବଡ ସମସ୍ୟା ହୋଇ ଠିଆ ହୋଇପାରେ ।

Leave A Reply