ଓଡ଼ିଶା ପରିବେଶ କଂଗ୍ରେସ ଉଦଯାପିତ, ସାମୁଦ୍ରିକ ପର୍ଯ୍ୟlବରଣର ସନ୍ତୁଳନ ପାଇଁ ୧୬ଟି ପ୍ରସ୍ତାବ ପାରିତ
ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପରିବେଶ କଂଗ୍ରେସ ଆଜି ଉଦଯାପିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଓଡ଼ିଶା ଉପକୂଳର ପ୍ରାକୃତିକ ସମ୍ପଦ ଓ ପରିବେଶକୁ ସୁରକ୍ଷା ଦେବା ପାଇଁ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ ଜରୁରୀ ବୋଲି କହିଥିଲେ। ଜଳବାୟୁ ପରିବର୍ତ୍ତନ ଓ ବିକାଶ ପ୍ରକ୍ରିୟା ଆମ ଉପକୂଳ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ସାମାଜିକ ସଂଗଠନ, ସାମାଜିକର୍ମୀ ତଥା ଗବେଷଣା ସଂସ୍ଥା ମାନଙ୍କ ଭିତରେ ସମନ୍ବୟ ପ୍ରତିଷ୍ଠା କରି ଏହାର ମୁକାବିଲା କରିବା ପାଇଁ ଆହ୍ବାନ ଦେଇଥିଲେ।
ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାମ୍ୱାଦିକ ସତ୍ୟ ପ୍ରକାଶ ନାୟକ ଉପସ୍ଥିତ ରହି ଅର୍ଥନୈତିକ ବିକାଶ ଓ ପରିବେଶ ଭିତରେ ସନ୍ତୁଳନ ର ଅଭାବ ଆଜି ପରିସ୍ଥିତିକୁ ବିଗାଡି ହେଇଛି ଏବଂ ସାଧାରଣ ଜନତା ସଜାଗ ନହେଲେ ଭବିଷ୍ୟତରେ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ମତପୋଷଣ କରିଥିଲେ। ଏହି ଅବସରରେ ଏକ ଖୋଲା ଅଧିବେଶନ କୁ ସଞ୍ଚାଳନ କରି ପରିବେଶ କଂଗ୍ରେସର କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାସ କହିଥିଲେ ଯେ ଓଡ଼ିଶାର ସମୁଦ୍ର ଉପକୂଳ ରେ ଥିବା ସାଧାରଣ ଜନତା, ସାମାଜିକ କର୍ମୀ/ ଅନୁଷ୍ଠାନ ଗୁଡିକର ସଂପୃକ୍ତି ଓ ଗବେଷଣା ତଥା ବୈଷୟିକ ସଂସ୍ଥା ମାନଙ୍କ ସହାୟତାରେ ଉପକୂଳ ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯାଇ ସରକାର ଙ୍କୁ ପ୍ରଦାନ କରାଯିବ ବୋଲିି କହିଥିଲେ।
ପରିବେଶ କଂଗ୍ରେସ ର ଉପାଧ୍ୟକ୍ଷ ଡ.ଜୟକୃଷ୍ଣ ପାଣିଗ୍ରାହୀ ଉପକୂଳର ଜୈବ ବିବିଧତା, ଚିଲିକା ହ୍ରଦ ଉପରେ ପ୍ରସ୍ତାବିତ ଉପକୂଳ ଜାତୀୟ ରାଜପଥର କୁପ୍ରଭାବ, ବନ୍ଦର ଶିଳ୍ପ, ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦିକୁ ନେଇ ୧୬ ଦଫା ପ୍ରସ୍ତାବ ଉପସ୍ଥାପନ କରିଥିଲେ ଯାହା ସଭାରେ ଗୃହୀତ ହୋଇଥିଲା। ଚଳିତ ବର୍ଷ ପ୍ରଫେସର ରାଧାମୋହନ ଗ୍ରୀନ ଅମ୍ବାସାଡର ବିଜେତା ଭାବରେ ଋଷିକୂଲ୍ୟା ରେ କଇଁଛ ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ପରିବେଶବିତ୍ ରବୀନ୍ଦ୍ରନାଥ ସାହୁ ଙ୍କୁ ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଗବେଷକ ସ୍ମୁଟିରେଖ ଆଚାର୍ଯ୍ୟ ଙ୍କୁ ପଦ୍ମଶ୍ରୀ ଅଜୟ ପରିଡ଼ା ଯୁବ ବିଜ୍ଞାନୀ ପୁରସ୍କାର ପ୍ରଦାନ ସହ ଉଷାରାଣୀ ବ୍ରହ୍ମା ଙ୍କୁ ଯୁବ ପରିବେଶବିତ୍ ପୁରସ୍କାର ପ୍ରଦାନ ପୂର୍ବକ ୧୦ ହଜାର ଲେଖାଏଁ ଟଙ୍କାର ଚେକ୍ ସହିତ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଚଳିତ ବର୍ଷର ସୁଧାଂଶୁ ଭୂଷଣ ଗ୍ରୀନ କର୍ପୋରେଟ ପୁରସ୍କାର ମହାନଦୀ କୋଲ୍ଡ ଫିଲ୍ଡ କୁ ପ୍ରଦାନ କରାଯାଇଥିଲା।
ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ଡ ତମୋଘ୍ନ ଆଚାର୍ଯ୍ୟ, କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଡ ଶରତ କୁମାର ପାଲିତା, ଡ ସୁଧୀର କୁମାର ରାଉତ ପ୍ରମୁଖ ମଞ୍ଚାସିନ ଥିଲେ l ପରିବେଶ କଂଗ୍ରେସ ର ସମ୍ପାଦକ ଭୃଗୁ ବକ୍ସିପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆସନ୍ତା ବର୍ଷ ପାଇଁ ୧୬ ତମ ପରିବେଶ କଂଗ୍ରେସ ର ବିଷୟ ବସ୍ତୁ “ମହିଳା ଓ ପରିବେଶ,” ରହିବ ବୋଲି ପ୍ରସ୍ତାବ ଦେଇଥିଲେ।
ଧରଣୀଧର ବିଶ୍ଵବିଦ୍ୟାଳୟ ର କାର୍ଯ୍ୟନିର୍ବାହୀ କୁଲପତି ଡ ପ୍ରତାପ କୁମାର ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡ ବିନାୟକ ରଥ, ଫକିର ମୋହନ ବିଶ୍ଵିଦ୍ୟାଳୟ ର ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ, ଡ ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ବିଭିନ୍ନ ଅଧିବେଶନ ରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମ ର ପରିଚାଳନା ବିଶ୍ଵବିଦ୍ୟାଳୟ ର କର୍ମକର୍ତ୍ତା ଙ୍କ ସମେତ ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ମନୋଜ ବାରିକ, ଶ୍ୟାମସୁନ୍ଦର ଖଡେଙ୍ଗl, ଶଙ୍କର୍ଷଣ ବେଜ୍, ଇ ଟି ରାଓ ପ୍ରମୁଖ ସହଯୋଗ କରିଥିଲେ। ବ୍ରହ୍ମପୁର ର ବିଶିଷ୍ଟ ପରିବେଶ ବିତ ଡ ସୁଧୀର ରାଉତ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ୧୫ ରୁ ଉର୍ଦ୍ଧ ପରିବେଶ କର୍ମୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
Comments are closed.