କୁଏତରେ ଭାରତୀୟ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପ୍ରଥମ ଦିନରେ ସେ ଭାରତୀୟ ଶ୍ରମିକମାନଙ୍କୁ ଭେଟିଛନ୍ତି। ଶ୍ରମିକମାନଙ୍କ ସହିତ ହାତ ମିଳାଇ କଥା ହୋଇଛନ୍ତି। ସେମାନଙ୍କ ସହିତ ବସି ଏକାଠି ଭୋଜନ ମଧ୍ୟ କରିଛନ୍ତି।
ପ୍ରଧାନମନ୍ତ୍ରୀ କୁଏତରେ ଥିବା ଗଲ୍ଡ ସ୍ପିକ ଶ୍ରମିକ ଶିବିର ପରିଦର୍ଶନ କରିଥିଲେ। ସେଠାରେ ରହୁଥିବା ଭାରତୀୟ ଶ୍ରମିକମାନଙ୍କୁ ଭେଟି ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ। ଶ୍ରମିକମାନେ ବି ମୋଦୀଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଜଣେ ଶ୍ରମିକଙ୍କ ପ୍ରଶ୍ନର ଉତ୍ତରରେ ମୋଦୀ କହିଥିଲେ, ଆପଣମାନେ ଆପଣଙ୍କ ପରିବାର ପାଇଁ କାମ କରୁଛନ୍ତି। ମୁଁ ବି ମୋ ପରିବାର ପାଇଁ କାମ କରୁଛି। ମୋ ପରିବାରରେ ୧୪୦ କୋଟି ଲୋକ ଅଛନ୍ତି। ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏଠାକୁ ଆସିଛନ୍ତି ଆଉ ସର୍ବପ୍ରଥମେ ସେ ନିଜ ଭାଇମାନଙ୍କୁ ଭେଟିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରିଥିଲେ। ମୋଦୀ କହିଥିଲେ ଯେ, ସେ ଯେତେବେଳଠାରୁ ଏଠାକୁ ଆସିଛନ୍ତି, ସେବେଠାରୁ ଏକ ଭିନ୍ନ ବାତାବରଣର ଅନୁଭବ କରୁଛନ୍ତି। ଆପଣମାନେ ସମସ୍ତେ ଭାରତର ବିଭିନ୍ନ ରାଜ୍ୟରୁ ଏଠାକୁ ଆସିଛନ୍ତି। ଆପଣମାନଙ୍କୁ ଦେଖିଲେ ଲାଗୁଛି ଯେପରି ତାଙ୍କ ସାମ୍ନାରେ ଏକ ମିନି ହିନ୍ଦୁସ୍ତାନ ଛିଡ଼ା ହୋଇଛି। ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ସମସ୍ତ କ୍ଷେତ୍ରର ଭିନ୍ନ ଭିନ୍ନ ଭାଷା କହୁଥିବା ଲୋକ ତାଙ୍କ ସାମ୍ନାରେ ରହିଛନ୍ତି। କିନ୍ତୁ ସମସ୍ତଙ୍କ ହୃଦୟରେ ଗୋଟି କଥା ଗୁଞ୍ଜି ଉଠୁଛି ଯେ, ଭାରତ ମାତା କୀ ଜୟ।
Comments are closed.