ଷ୍ଟ୍ରବେରୀ ଚାଷ କରି ଚର୍ଚ୍ଚାରେ ଶିକ୍ଷକ ଆପୋନା ନିସିକା

କଲ୍ୟାଣସିଂହପୁର: ଶିକ୍ଷକରୁ ପାଲଟିଲେ ସଫଳ ଷ୍ଟ୍ରବେରୀ ଚାଷୀ। ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ନିଜ ଘର ବାଡ଼ିପଟେ ଷ୍ଟ୍ରବେରୀ ଚାଷ କରି ହୋଇପାରିଛନ୍ତି ଜଣେ ସଫଳ ଚାଷୀ। ସବୁଜ ପତ୍ର ସାଙ୍ଗକୁ ଧଳା ଫୁଲ ସହ ଲାଲ୍ ରଙ୍ଗର ପେନ୍ଥା ପେନ୍ଥା ଫଳିଛି ଷ୍ଟ୍ରବେରୀ ଆଉ ବାସ୍ନାରେ ମହକି ଯାଉଛି ସାରା ଅଞ୍ଚଳ।

ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ମନେଇ ଗୁଡା ଶିବ ମନ୍ଦିର ପାଖରେ ବାସ କରୁଥିବା ଶିକ୍ଷକ ଆପୋନା ନିସିକାଙ୍କ ଘର ବାଡିରେ ନିଜ ଶିକ୍ଷକତା ମଧ୍ୟରେ ସମୟ ବାହାର କରି ଷ୍ଟ୍ରବେରୀ ଚାଷ କରି ଅଞ୍ଚଳରେ ଆଜି ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଏଥିସହ ସ୍ୱାବଲମ୍ବୀ ହୋଇଛନ୍ତି ଶିକ୍ଷକ ଆପୋନା ନିସିକା। ପୂର୍ବ ପୁରୁଷରୁ ବାପା ଜେଜେବାପା ଚାଷୀ ହୋଇଥିବାବେଳେ ପୁଅ ଜଣେ ଶିକ୍ଷକ ଭାବରେ ପରିଚିତ ଥିଲେ ମଧ୍ୟ ଆଜି ବାପା ଜେଜେ ବାପାଙ୍କ ସ୍ବପ୍ନ ସାକାର କରିବା ପାଇଁ ଷ୍ଟ୍ରବେରୀ ଚାଷ କରି ଚର୍ଚ୍ଚାରେ।

ବଜାରରେ କିଲୋ ପିଛା ପାଖା ପାଖି ଚାରିଶହରୁ ପାଞ୍ଚଶହ ଟଙ୍କାରେ ବିକ୍ରି ହେଉଥିବା ଷ୍ଟ୍ରବେରୀ ଫଳ ଚାଷ କରି ଲାଭବାନ ହୋଇପାରିଛନ୍ତି ଶିକ୍ଷକ ଆପୋନ ନିସିକା। ଏହାସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା, ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.