ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ”  ପୋର୍ଟାଲରେ ସୂଚନା ଦେବା ଆବଶ୍ୟକ

ଭୁବନେଶ୍ୱର: ବିଗତ ଦୁଇ ଦିନ ଧରି- ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେଓଗଡ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ, ପୁରୀ ଏବଂ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ଏହି ଅଦିନିଆ ବର୍ଷା  ଯୋଗୁଁ ଅନେକ ଚାଷୀ ଅମଳ କରି କ୍ଷେତରେ ରଖିଥିବା ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଉଛି। ଏହି ସମସ୍ତ  ଜିଲ୍ଲାରେ ୧୫ ଲକ୍ଷରୁ ଅଧିକ ଚାଷୀ ଫସଲ ବୀମା ଯୋଜନାରେ ସେମାନଙ୍କ ଖରିଫ ଫସଲକୁ ପଞ୍ଜୀକୃତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀ ଭଉଣୀ ଓ ଭାଇ ମାନଙ୍କ ସୂଚନା ପାଇଁ ଅବଗତ କରାଯାଉଅଛି ଯେ, ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯାଏ । ଅମଳ ହୋଇଥିବା ପଞ୍ଜୀକୃତ ଫସଲ କ୍ଷେତରେ ବିଡା ବନ୍ଧା ଯାଇ କିମ୍ବା ଖେଳାଯାଇ ଶୁଖାଯାଇଥିବା ଅବସ୍ଥାରେ , ଅମଳର ୧୪ ଦିନ (ଦୁଇ ସପ୍ତାହ) ମଧ୍ୟରେ ଅଦିନିଆ ବର୍ଷା  ଜନିତ କ୍ଷୟକ୍ଷତି ହେଲେ, ବୀମା ସହାୟତା ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ ହୁଏ। ଏଥିପାଇଁ କ୍ଷତି ହେବାର ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ”  ପୋର୍ଟାଲ କିମ୍ବା
ହେଲ୍ପଲାଇନ ନମ୍ବର ୧୪୪୪୭ ରେ ସୂଚନା ଦେବା ଆବଶ୍ୟକ ଅଟେ।
ଉପର ବର୍ଣ୍ଣିତ ଜିଲ୍ଲା କିମ୍ବା ଅନ୍ୟ କୌଣସି ଜିଲ୍ଲାର ପଞ୍ଜୀକୃତ ଚାଷୀ ଭଉଣୀ ଓ ଭାଇ ମାନେ ଅଦିନିଆ ବର୍ଷା  ଜନିତ  ସେମାନଙ୍କର ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତିର ସୂଚନା ତୁରନ୍ତ “କୃଷି ରକ୍ଷକ”  ପୋର୍ଟାଲ ମାଧ୍ୟମରେ କିମ୍ବା  ୧୪୪୪୭ କୁ କଲ୍ କରି ଜଣାନ୍ତୁ । ସମବାୟ ଓ କୃଷି ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଚାଷୀ ଭଉଣୀ ଓ ଭାଇ ମାନଙ୍କୁ  ଅନୁରୋଧ,  ତୁରନ୍ତ ନିଜ କ୍ଷୟକ୍ଷତିର ସୂଚନା ପ୍ରଦାନ କରନ୍ତୁ ଏବଂ ଏହି ଯୋଜନାର ଲାଭ ନିଅନ୍ତୁ।ଅଧିକ ସହାୟତା ପାଇଁ ନିକଟସ୍ଥ କୃଷି ଅଧିକାରୀ – VAW, BAO, DAO, CDAO କିମ୍ବା ସମବାୟ ଅଧିକାରୀ- CEO, ARCS, DRCS ଙ୍କୁ   ଯୋଗାଯୋଗ କରନ୍ତୁ।

Comments are closed.