ଭାଇକୁ ହାଣିଲା ଭାଇ, ମୁଖ୍ୟ ଆସାମୀକୁ ଗିରଫ ଦାବିରେ ସାମ୍ବାଦିକ ସମ୍ମିଳନୀ

ଧାମରା: ନିଜ ଜମି ଭାଗ ବଣ୍ଟାକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଥିବା ବିବାଦ ଉଗ୍ରରୂପ ନେବାପରେ ଜଣେ ଭାଇ ନିଜ ବଡ ଭାଇକୁ ଗୋଡାଇ ଗୋଡାଇ କୋଦାଳରେ ସର୍ବସମ୍ମୁଖରେ ହାଣିଛି। ହେଲେ ପୁଲିସର ପାତର ଅନ୍ତର ନୀତି ପାଇଁ ଅନ୍ୟ ଜଣେ ଭାଇ ଏକ ସାମ୍ବାଦିକ ସମ୍ମିଳନୀରେ ଆସାମୀ ଭାଇକୁ ତୁରନ୍ତ ଗିରଫ କରିବାକୁ ପୁଲିସ ପ୍ରଶାସନକୁ ଗୁହାରୀ କରିବା ସହ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ନିବେଦନ ମଧ୍ୟ କରିଛି।

ପ୍ରାପ୍ତ ଖବର ଅନୁଯାୟୀ, ଗତ ୧୭ ତାରିଖରେ କରଞ୍ଜମାଳ ଫାଣ୍ଡି ଅଧିନସ୍ଥ ଶଶିକାଦେଇପୁରର ଅଜୟ କୁମାର ସେଠୀ ନିଜ ଗାଁ ଦାଣ୍ଡରେ ଯାଉଥିବାବେଳେ ପୂର୍ବ ଶତ୍ରୁତାକୁ ଏବଂ ଜମି ଭାଗ ବଣ୍ଟାକୁ ନେଇ ଅନ୍ୟ ଜଣେ ଭାଇ ଅଭୟ ସେଠୀ ଏକ କୋଦାଳରେ ଅଜୟଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ। ଅଜୟ ତଳେ ପଡ଼ିଯିବା ପରେ ଅଭୟ ପୁନଶ୍ଚ ସେହି କୋଦାଳରେ ଅଜୟଙ୍କ ବାମ ଗୋଡକୁ ହାଣି ପକାଇଥିଲେ। ଏହି ଅତର୍କିତ ଆକ୍ରମଣରେ ଅଭୟଙ୍କୁ ତାଙ୍କର ଅନ୍ୟ ଭାଇ ରାଜୀବ ଏବଂ ବିଜୟ ସାହାଯ୍ୟ କରିଥିବା ବେଳେ ଅଭୟଙ୍କ ପତ୍ନୀ ସାବିତ୍ରୀ ମଧ୍ୟ ଏହି ଅତର୍କିତ ଆକ୍ରମଣରେ ନିଜ ସ୍ୱାମୀକୁ ସାହାଯ୍ୟ କରିଥିଲେ ବୋଲି ଅଜୟଙ୍କ ଭାଇ ଅମର କରଞ୍ଜମାଳ ଫାଣ୍ଡିରେ ଗତ ୧୭ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଦୀର୍ଘ ୫ ଦିନ ବିତିଯାଇଥିଲେ ମଧ୍ୟ କରଞ୍ଜମାଳ ଫାଣ୍ଡି ଅଧିକାରୀ ସଂପୃକ୍ତ ଆସାମୀମାନଙ୍କୁ ଗିରଫ କରୁ ନଥିବାବେଳେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସର ପାତର ଅନ୍ତର ତଥା ପକ୍ଷପାତିତା ନେଇ ସାଧାରଣ ଜନତା ପ୍ରଶ୍ନ ଉଠାଇବା ସହ ତୁରନ୍ତ ଆସାମୀମାନଙ୍କୁ ଗିରଫ କରା ନଗଲେ ଆଗାମୀ ଦିନରେ ଗ୍ରାମବାସୀ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ଏବଂ କରଞ୍ଜମାଳ ଫାଣ୍ଡି ଅଧିକାରୀ ଏଥିପ୍ରତି ଦାୟୀ ରହିବେ ବୋଲି ଉପସ୍ଥିତ ଗ୍ରାମବାସୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି। ଆଜି ଉପସ୍ଥିତ ଥିବା ଗ୍ରାମବାସୀଙ୍କ ମଧ୍ୟରେ ପଞ୍ଚାନନ ବାରିକ, ପ୍ରମିଳା ବାରିକ, ପ୍ରମୋଦ ସେଠୀ, ସୁଧାକର ବାରିକ, ଅଞ୍ଜନ ସେଠୀ, ଅମର ସେଠୀ, ପ୍ରତାପ ବାରିକ, ଆଶିଷ ବାରିକ, ଜାନକୀ ମହାନ୍ତି, ପ୍ରଫୁଲ ବାରିକ ଏବଂ ରାକେଶ ବାରିକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିବା ସହ କରଞ୍ଜମାଳ ଫାଣ୍ଡି ଏବଂ ବାଂଶଡା ଥାନା ପୁଲିସଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏ ବିଷୟରେ ବାଂଶଡା ଥାନାଧିକାରୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଆସାମୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ।

 

Comments are closed.