ବିଶ୍ଵନାଥ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉଦଯାପିତ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠର ୩ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି। ୬ଷ୍ଠ ରୁ ୮ମ କନିଷ୍ଠ ବର୍ଗରେ ୧୩ଟି ବିଭାଗର ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ମୋଟ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ର ଅଂଶଗ୍ରହଣ କରିଥିଲେ। କନିଷ୍ଠ ବର୍ଗରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥିବା ୮ମ ଶ୍ରେଣୀ ଛାତ୍ର ଆଶୁତୋଷ ବେହେରା ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ। ସେହିପରି ବରିଷ୍ଠ ବର୍ଗରେ ୯ମ ଓ ୧୦ମ ଶ୍ରେଣୀର ୨୦୦ରୁ ଊର୍ଦ୍ଧ୍ବ ଛାତ୍ର ୧୩ ଟି ବିଭାଗର ଖେଳ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ୯ମ ଶ୍ରେଣୀ ଛାତ୍ର ଅମିତ ପ୍ରଧାନ ଶ୍ରେଷ୍ଠ ପ୍ରଦର୍ଶନ କରି ଚମ୍ପିୟାନ ହୋଇଥିଲେ।

ପ୍ରଧାନଶିକ୍ଷକ ରମେଶ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ଯଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଜେନା, ସମ୍ମାନିତ ଅତିଥି ରୂପେ ପୂର୍ବତନ ଶିକ୍ଷକ ଯୋଗୀନାଥ ରାଉତ, ତ୍ରିଲୋଚନ ଦାଶ, ବିଜୟ କୁମାର ପଣ୍ଡା, ଭୀମସେନ ଦାଶ, ନରେନ୍ଦ୍ର କୁମାର ଜେନା ଓ ପୂର୍ବତନ ଶିକ୍ଷୟିତ୍ରୀ ପ୍ରମିଳା ବିଶ୍ୱାଳ ଯୋଗଦେଇ କ୍ରୀଡାର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷୟିତ୍ରୀ ସରିତା ମିଶ୍ର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ସଞ୍ଚାଳନ କରିଥିଲେ।

ଶିକ୍ଷକ ପପୁ ପରିଡା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ମୃତ୍ୟୁଞ୍ଜୟ ରଥ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡା ଶିକ୍ଷକ ମଧୁସୁଦନ ସାହୁ, ବିଶ୍ବରଞ୍ଜନ ବେହେରା ସମସ୍ତ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।

Comments are closed.