ଗ୍ରାମ୍ୟ ରାସ୍ତାରେ ଦୁର୍ଘଟଣା ବଢୁଛି,ବାଇପାସ ରାସ୍ତା ନିର୍ମାଣ ପାଇଁ ଦାବି
ଝୁମ୍ପୁରା : ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲ ମୂଲକରେ ଅବସ୍ଥିତ କୁଟୁଗାଁ ଗ୍ରାମ ପଞ୍ଚାୟତର ହାତୀଦରୀ ଗ୍ରାମବାସୀ ବାଇପାସ ରାସ୍ତା ନିର୍ମାଣ ଦାବିକରି କେନ୍ଦୁଝର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ଦିନ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ଆଶିଷ ଠାକ୍ରେଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ହାତୀଦରୀ ଗ୍ରାମବାସୀ ଯତିନ ମୁଣ୍ଡା, ସୁଶାନ୍ତ ମୁଣ୍ଡା, ଦିପକ ମୁଣ୍ଡା, ବିଷ୍ଣୁ ମୁଣ୍ଡା, ବୁଧୁରା ମୁଣ୍ଡା, କୁନ୍ଥୁ ମହାନ୍ତ ପ୍ରମୁଖ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ।
ପୂର୍ବରୁ ମଇ ମାସ ୨୦୨୩ ମସିହାରେ ମଧ୍ୟ ଗ୍ରାମବାସୀଙ୍କ ପକ୍ଷରୁ ବାଇପାସ ରାସ୍ତା ନିର୍ମାଣ ଅନୁମତି ଦେବାପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପତ୍ରରେ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି ଯେ, ହାତୀଦରୀ ଗାଁ ମଧ୍ୟ ଦେଇ ଯାଇଥିବା ଗ୍ରାମ୍ୟ ରାସ୍ତାରେ ଯୋଡା ଖଣି ମଣ୍ଡଳର ଭାରିଯାନ ଗୁଡିକ ବହୁ ସମୟରେ ଚଳାଚଳ କରିବା ଦ୍ୱାରା ସଂକିର୍ଣ୍ଣ ରାସ୍ତାରେ ଦୂର୍ଘଟଣା ବଢୁଛି। ଗ୍ରାମ୍ୟ ରାସ୍ତାର ୨ପାଶ୍ୱର୍ରେ ରସ୍ତାକୁ ଲାଗି ଘର ଗୁଡିକ ରହିଥିବା ବେଳେ, ଅଙ୍ଗନୱାଡି ଗୃହ, ପ୍ରାଥମିକ ବିଦ୍ୟାଳୟ ରହିଛି।
ଛୋଟ ଛୁଆପିଲା ଯିବାଆସିବା ବିପଦ ସଙ୍କୁଳ ହୋଇ ପଡୁଛି। ଚାଷାଦି କାର୍ଯ୍ୟରେ ମଧ୍ୟ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାପାଇଁ ପଡୁଛି। ଭାରିଯାନ ଦ୍ୱାରା ଛୋଟ ବଡ ଦୁର୍ଘଟଣା ଘଟିଲେ ଗ୍ରାମରେ ଅଶାନ୍ତ ପରିସ୍ଥିତି ଉପୁଜୁଛି। ବାଇପାସ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଗ୍ରାମସଭା ଡକାଇ ମତାମତ ଲୋଡିବା ସହିତ ରେଜୁଲେସନ କପି ମଧ୍ୟ ଜିଲାପାଳଙ୍କୁ ଦେଇଛନ୍ତି।
ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମାଗିଆ ମୁଣ୍ଡା , ବାଟୁ ମୁଣ୍ଡା, ଗହ୍ମା ମୁଣ୍ଡା, ସାମୁ ମୁଣ୍ଡା, ମଙ୍ଗୁଳୁ ମୁଣ୍ଡା, ପାଣ୍ଡୁ ମୁଣ୍ଡା ପ୍ରମୁଖ ଙ୍କ ପରିବାର ସଦସ୍ୟ ନିଜସ୍ୱ ଜମିରୁ ମଧ୍ୟ କିଛି କିଛି ରାସ୍ତା ପାଇଁ ଛାଡି ଦେବୁ ବୋଲି ଗ୍ରାମ ସଭାରେ ପ୍ରକାଶ କରିଛନ୍ତି ଏବଂ ଯାହା ହେଉନା କାହିଁକି ରାସ୍ତା ନିର୍ମାଣ ପାଇଁ ଆମକୁ ଅନୁମତି ଦିଆଯାଉ କହିଛନ୍ତି। ଗ୍ରାମବାସୀ ଜିଲାପାଳଙ୍କ ବ୍ୟତିତ ଜିଲା ବନଖଣ୍ଡ ଅଧିକାରୀ କେନ୍ଦୁଝର, ଝୁମ୍ପୁରା ତହସିଲଦାର ଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ସହିତ ଗ୍ରାମସଭାର ଫଟୋ ଓ ମତାମତ ରେଜୁଲେସନ କପି ପ୍ରଦାନ କରିଛନ୍ତି। ଜିଲାପାଳ ତଦନ୍ତ କରି ରିପୋର୍ଟ ଦେବାକୁ ଝୁମ୍ପୁରା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
Comments are closed.