ପରମେଶ୍ୱରଙ୍କ ଆଶୀର୍ବାଦ ଯୀଶୁ
ପ୍ରାୟ ୨୦୦୦ ବର୍ଷ ପୂର୍ବେ ଇସ୍ରାଏଲର ନାସରତ୍ ସହର ବୋଲି ଏକ ସ୍ଥାନ ଥିଲା। ସେଠାରେ ମରିୟମ (ମେରି) ନାମକ ଜଣେ ସୁନ୍ଦରୀ ଯୁବତୀ ବାସ କରୁଥିଲେ। ସେ ଅତ୍ୟନ୍ତ ଭଲ ବୋଲି ସମସ୍ତେ ଜାଣିଥିଲେ। ସେଥିପାଇଁ ପରମେଶ୍ୱର ତାଙ୍କ ନିକଟକୁ ନିଜର ଦୂତକୁ ପଠାଇଥିଲେ। ଈଶ୍ବର ପଠାଇଥିବା ଦୂତଙ୍କ ନାମ ଜିବ୍ରାଇଲ ଥିଲା।
ଜିବ୍ରାଇଲ ମରିୟମଙ୍କ ନିକଟକୁ ଆସି କହିଥିଲେ ଯେ, ପରମେଶ୍ବରଙ୍କ ଆଶୀର୍ବାଦ ତୁମ ଉପରେ ଅଛି। ଈଶ୍ବର ସର୍ବଦା ତୁମ ନିକଟରେ ଅଛନ୍ତି। ଏହା ଶୁଣି ମରିୟମ ଡରି ଯାଇଥିଲେ। କାରଣ ସେ ଆଗରୁ କେବେ ବି ଜିବ୍ରାଇଲଙ୍କୁ ଦେଖି ନ ଥିଲେ। ଏହାସହ ଦୂତ କହିଥିବା କଥାର ଅର୍ଥ ସେ ବୁଝି ପାରି ନଥିଲେ। ଜିବ୍ରାଇଲ ସଙ୍ଗେ ସଙ୍ଗେ ମରିୟମଙ୍କର ଭୟ ଦୂର କରିଥିଲେ।
ସେ ମରିୟମଙ୍କୁ କହିଥିଲେ, ଡର ନାହିଁ ମରିୟମ। ପରମେଶ୍ବର ତୁମ ଉପରେ ଅତ୍ୟନ୍ତ ଖୁସି ଅଛନ୍ତି। ତେଣୁ ସେ ତୁମ ପାଇଁ ଏକ ଭଲ କାମ କରିବାକୁ ଯାଉଛନ୍ତି। ତୁମର ଅତି ଶୀଘ୍ର ଏକ ପୁତ୍ର ସନ୍ତାନ ହେବ। ତୁମେ ତାର ନାମ ଯୀଶୁ ରଖିବ।
ଜିବ୍ରାଇଲ ପୁଣି କହିଲେ ଯେ, ସେ ବାଳକ ଅତ୍ୟନ୍ତ ମହାନ ହେବ। ସେ ପରମେଶ୍ବରଙ୍କ ପୁତ୍ର ବୋଲି ପରିଚିତ ହେବ। ପରମେଶ୍ବର ତାକୁ ରାଜା କରିବେ। ତଫାତ କେବଳ ଏତିକି ରହିବ ଯେ, ଯୀଶୁ ସବୁଦିନ ପାଇଁ ରାଜା ହୋଇ ରହିବ। ତା ରାଜ୍ୟର କେବେ ଅନ୍ତ ହେବ ନାହିଁ।
ଏହା ଶୁଣି ମରିୟମ ଦେବଦୂତଙ୍କୁ ପଚାରିଥିଲେ ଯେ, ଏହା କିପରି ସମ୍ଭବ ? ମୋର ତ ବର୍ତ୍ତମାନ ପର୍ୟ୍ୟନ୍ତ ବିବାହ ହୋଇ ନାହିଁ।
ଜିବ୍ରାଇଲ ମରିୟମଙ୍କୁ କହିଥିଲେ ଯେ, ତୁମ ଉପରକୁ ସ୍ବୟଂ ପରମେଶ୍ବରଙ୍କ ଶକ୍ତି/ଆଶୀର୍ବାଦ ଆସିବ। ସେଥିପାଇଁ ସେହି ବାଳକ ପରମେଶ୍ବରଙ୍କ ପୁତ୍ର ଭାବେ ପରିଚିତ ହେବ। ଏପରି କିଛି କାର୍ୟ୍ୟ ନାହିଁ ଯାହା ପରମେଶ୍ବର ଦ୍ବାରା ଅସମ୍ଭବ।
ଏହା ଶୁଣି ମରିୟମ କହିଥିଲେ, ମୁଁ ପରମେଶ୍ବରଙ୍କର ଦାସୀ ଅଟେ। ସେ ମୋ ପାଇଁ ଯାହା ଚିନ୍ତା କରିଛନ୍ତି ତାହା ହିଁ ହେଉ। ଏହା ଶୁଣି ଜିବ୍ରାଇଲ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ।
ଦେବ ଦୂତ ଯିବା ପରେ ମରିୟମ ଇଲିଶିବା ନାମକ ଜଣେ ବୃଦ୍ଧା ମହିଳାଙ୍କ ନିକଟକୁ ଯାଇଥିଲେ। ତାଙ୍କ ପାଖରେ ସେ କିଛି ଦିନ ରହିବା ପରେ ନିଜ ଘରକୁ ଫେରି ଆସିଥିଲେ। ତାପରେ ଜୋସେଫ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ ସ୍ଥିର ହେଲା। କିନ୍ତୁ ଜୋସେଫ ଯେତେବେଳେ ଜାଣିଲେ ଯେ, ମରିୟମ ମା’ ହେବାକୁ ଯାଉଛନ୍ତି ସେତେବେଳେ ଭାବିଥିଲେ ଯେ ତାଙ୍କ ସହ ବିବାହ କରିବା ଅନୁଚିତ। ସେତେବେଳେ ଦେବଦୂତ ଜୋସେଫଙ୍କ ନିକଟକୁ ଆସିଥିଲେ। କହିଥିଲେ ଯେ, ମରିୟମଙ୍କୁ ବିବାହ କରିବାକୁ ଡର ନାହିଁ। କାରଣ ସେ ପରମେଶ୍ବରଙ୍କ ଇଚ୍ଛାରେ ମା’ ହେବାକୁ ଯାଉଛନ୍ତି। ଏହାପରେ ମେରି ଓ ଜୋସେଫଙ୍କର ବିବାହ ହୋଇଥିଲା। ସେମାନେ ଯୀଶୁଙ୍କ ଜନ୍ମକୁ ଅପେକ୍ଷା କରିଥିଲେ।
ଆଲେଖ୍ୟ – ପ୍ରଜ୍ଞାସିନୀ ମଲ୍ଲିକ