କାଶ୍ମୀର : ଆତଙ୍କବାଦୀର ଅନ୍ତିମ ସତ୍କାର ଶୋଭାଯାତ୍ରାରେ ଗୁଳି ଚଳାଇଲା  ମାଆ

0

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ସୋଫିଆନ୍‌ରେ ରବିବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ଆତଙ୍କବାଦୀ ହିଜ୍‌ବୁଲ କମାଣ୍ଡର ସଦ୍ଦାମ ପୋଦ୍ଦାରର ଅନ୍ତିମ ସତ୍କାର ଶୋଭାଯାତ୍ରା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ସଦ୍ଦାମ ପୋଦ୍ଦାରର ମାଆ ଏକ ବନ୍ଧୁକରୁ ଆକାଶକୁ ଫାଙ୍କା ଗୁଳି ଚଳାଉଥିବା ଦେଖିବାକୁ ମିଳିଛି । ପୁଲିସ୍‌ ଅଧିକାରୀମାନେ ଏହି ଭିଡ଼ିଓର ସତ୍ୟତା ନେଇ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରକାଶ ଯେ ରବିବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ମୋହମ୍ମର ରଫି ଭଟ୍ଟ ବି ସାମିଲ ଥିଲେ । ସେପଟେ ପାକିସ୍ତାନ ଆତଙ୍କବାଦୀଙ୍କ ନିପାତକୁ ନେଇ ଭାରତ ବିରୋଧରେ ମାନବାଧିକାର ଉଲ୍ଲଙ୍ଘନ ଅଭିଯୋଗ କରିଛି। ସୂଚନା ଅନୁସାରେ ଆତଙ୍କବାଦୀ ସଦ୍ଦାମ ପୋଦ୍ଦାରର ଅନ୍ତିମ ସତ୍କାର ଶୋଭାଯାତ୍ରାରେ ହିଜ୍‌ବୁଲ ଆତଙ୍କବାଦୀ ସୟଦ ନଭିଦ ମୁତ୍ସାକ ବି ଉପସ୍ଥିତ ଥିଲା । ସେଠାରେ ପୋଦ୍ଦାରର ମାଆ ଆତଙ୍କବାଦୀ ନଭିଦକୁ ଆଲିଙ୍ଗନ କରି ଅଭିବାଦନ ଜଣାଇଥିଲେ। ତାପରେ ଆତଙ୍କବାଦୀର ବନ୍ଧୁକରୁ ସେ ଆକାଶକୁ ଦୁଇଟି ଫାଙ୍କା ଗୁଳି ଚଳାଇଥିଲେ । ଏହି ଶୋଭାଯାତ୍ରାରେ ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ସୋମବାର ଏହି ଶବ ଶୋଭାଯାତ୍ରା ଭିଡ଼ିଓ ଭାଇରାଲ ହୋଇଛି । ହିଜ୍‌ବୁଲ କମାଣ୍ଡର ସଦ୍ଦାମ ପୋଦ୍ଦାର ୱାନି ଗୋଷ୍ଠୀର ସଦସ୍ୟ ଥିଲା ।

Leave A Reply