Patra electronics

ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ଶତକ; ସନ୍‌ରାଇଜର୍ସର ବିପୁଳ ବିଜୟ

0

ହାଇଦରାବାଦ : ଆଇପିଏଲ୍‌-୧୨ର ପ୍ରଥମ ୧୦ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ଶତକ ଦେଖିବାକୁ ମିଳିଥିଲା। ତେବେ ରବିବାର ୧୧ଶ ମ୍ୟାଚ୍‌ରେ ଗୋଟିଏ ଇନିଂସରେ ୨ଟି ଶତକ ଦେଖିବାକୁ ମିଳିଛି। ସନ୍‌ରାଇଜର୍ସ ହାଇଦରାବାଦର ଦୁଇ ଓପ୍‌ନର ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ଣ୍ଣର ଏହି ମ୍ୟାଚ୍‌ରେ ଶତକ ମାରିଛନ୍ତି। ଉଭୟଙ୍କ ମଧ୍ୟରେ ରେକର୍ଡ ୧୮୫ ରନ୍‌ର ଭାଗିଦାରୀ ପରେ ସନ୍‌ରାଇଜର୍ସ ବିପୁଳ ବିଜୟ ହାସଲ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୧୧୮ ରନ୍‌ ବ୍ୟବଧାନରେ ସନ୍‌ରାଇଜର୍ସ ପରାସ୍ତ କରିଛି। ଜନି ବେୟାରଷ୍ଟୋ ଓ ଡେଭିଡ୍ ୱାର୍ଣ୍ଣର ଶତକ ମାରିବ​‌ାରୁ ୨୦ ଓଭର ଶେଷରେ ସନ୍‌ରାଇଜର୍ସ ୨ ୱିକେଟରେ ୨୩୧ ରନ୍ କରିଥିଲା। ପରେ ଅଫ୍‌ସ୍ପିନର ମହମ୍ମଦ ନବି ଆରମ୍ଭରୁ ୪ଟି ୱିକେଟ ନେବାରୁ ଏକଦା ୩୫ ରନ୍‌ରେ ୬ଟି ୱିକେଟ ହରାଇଥିବା ଆର୍‌ସିବି ଗୋଟିଏ ବଲ୍‌ ବାକିଥାଇ ୧୧୩ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ୪ର୍ଥ ମ୍ୟାଚ୍‌ରେ ୩ୟ ବିଜୟ ପରେ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଛି ସନ୍‌ରାଇଜର୍ସ। ଅନ୍ୟପକ୍ଷରେ ଆର୍‌ସିବି ତା’ର ୩ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଛି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୩୨ ରନ୍‌ର ପାହାଡ଼ ଅତିକ୍ରମ କରିବାକୁ ପ୍ରୟାସ କରିଥିବା ବେଳେ ସନ୍‌ରାଇଜର୍ସ ଆଫ୍‌ଗାନିସ୍ତାନର ଅଫ୍‌ସ୍ପିନର ମହମ୍ମଦ ନବିଙ୍କ ଦ୍ବାରା ବୋଲିଂ ଓପନ୍ କରାଇବା ରଣନୀତି ସଫଳ ହୋଇଥିଲା। ନବି ତାଙ୍କ ପ୍ରଥମ ୪ ଓଭରରୁ ମାତ୍ର ୧୧ ରନ୍‌ଦେଇ ୪ଟି ୱିକେଟ ନେଇ ଯାଇଥିଲେ। ଫଳରେ ଆର୍‌ସିବି ୮ମ ଓଭରରେ ୩୫ ରନ୍‌କରି ୬ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ଦୁଇ ଓପ୍‌ନର ପାର୍ଥିବ ପଟେଲ ୧୧ ଓ ସିମ୍ରନ୍ ହେତ୍‌ମେୟର ୯ ରନ୍ କରିଥିବା ବେଳେ ଦୁଇ ତାରକା ବିରାଟ କୋହଲି ୩ ଓ ଏବି ଡିଭିଲିଅର୍ସ ୧ ରନ୍‌କରି ଆଉଟ ହୋଇଥିଲେ। ମୋଇନ୍ ଅଲୀ ୨ ଓ ଦାମୀ ଖେଳାଳି ଶିବମ୍ ଦୁବେ ୫ ରନ୍ କରିଥିଲେ। ୭ମ ୱିକେଟ ପାଇଁ କଲିନ୍ ଡି ଗ୍ରାଣ୍ଡହୋମ୍ ଓ ପ୍ରୟାସ ରାୟ ବର୍ମନ ୭.୪ ଓଭରରୁ ୬୧ ରନ୍ ଯୋଡ଼ିଥିଲେ। ଜୀବନର ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ରେ ପ୍ରୟାସ ୨ଟି ଚୌକା ସହ ୧୯ ରନ୍ କରିଥିଲେ। ପରେ ଉମେଶ ଯାଦବ ୧୪ ରନ୍ କରିଥିଲେ। ଡି ଗ୍ରାଣ୍ଡହୋମ୍ ୩୨ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୭ ରନ୍‌କରି ରନ୍‌ଆଉଟ ହୋଇଥିଲେ। ନବିଙ୍କ ୪ଟି ୱିକେଟ ସହ ସନ୍ଦୀପ ଶର୍ମା ୩ଟି ୱିକେଟ ପାଇଥିଲେ। ଟସ୍ ଜିତିବା ଛଡ଼ା ମ୍ୟାଚ୍‌ରେ କିଛି ବି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲେର ସପକ୍ଷରେ ଯାଇନଥିଲା। ଆରମ୍ଭରୁ ଡେଭିଡ୍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଝଡ଼ ପରି ଆର୍‌ସିବି ବୋଲିଂ ଉପରେ ବର୍ଷିଥିଲେ। ୬ ଓଭରର ପାୱରପ୍ଲେରେ ସନ୍‌ରାଇଜର୍ସ ୫୯ ରନ୍ କରିଥିଲା। ଏହାପରେ ମଧ୍ୟ ବେୟାରଷ୍ଟୋ ଓ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ଏହି ଭାଗିଦାରୀରେ ବାମହାତି ଅ​‌େ​‌ଷ୍ଟ୍ରଲୀୟ ୱାର୍ଣ୍ଣରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିବ ବୋଲି ଆଶା କରା ଯାଉଥିବା ବେଳେ ଓଲଟା ଦେଖିବାକୁ ମିଳିଥିଲା। ଇଂଲଣ୍ଡର ବେୟାରଷ୍ଟୋ ଦ୍ରୁତଗତିରେ ସ୍କୋର୍ କରିଥିଲେ। ଅଦ୍ୟାବଧି ଆଇପିଏଲ୍‌ରେ ଗୋଟିଏ ଅର୍ଦ୍ଧଶତକ ମଧ୍ୟ ମାରିନଥିବା ବେୟାରଷ୍ଟୋ ୧୬ଶ ଓଭରରେ ଶତକ ମାରିଥିଲେ। ବେୟାରଷ୍ଟୋ ୫୬ ବଲ୍‌ ଖେଳି ୭ଟି ଛକା ଓ ୧୨ଟି ଚୌକା ସହ ୧୧୪ ରନ୍‌କରି ଆଉଟ ହୋଇଥିଲେ। ପ୍ରଥମ ବଲ୍‌ରେ ଛକା ମାରିଥିବା ବିଜୟ ଶଙ୍କର ୯ ରନ୍‌କରି ବିଦାୟ ନେଇଥିଲେ। ଶେଷ ୩ ଓଭରରୁ ବିସ୍ଫୋରକ ବ୍ୟାଟିଂକରି ଶତକ ଆଡ଼କୁ ୱାର୍ଣ୍ଣର ଅଗ୍ରସର ହୋଇଥିଲେ। ଶେଷ ଓଭରର ୪ର୍ଥ ବଲ୍‌ରେ ୱାର୍ଣ୍ଣରଙ୍କ ୪ର୍ଥ ଆଇପିଏଲ୍‌ ଶତକ ପୂରଣ ହୋଇଥିଲା। ୱାର୍ଣ୍ଣର ୫୫ ବଲ୍‌ରୁ ୫ଟି ଲେଖାଏଁ ଛକା ଓ ଚୌକା ସହ ୧୦୦ ରନ୍‌କରି ଅପରାଜିତ ଥିଲେ।

Leave A Reply