ପ୍ଲେଅଫରୁ ବାଙ୍ଗାଲୋର ବିଦା !

0

ହାଇଦରାବାଦ : ଆଇପିଏଲ୍‌-୧୧ର ପୁଣି ତା’ର ବୋଲିଂ ଶକ୍ତି ପ୍ରଦର୍ଶନ କରି ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ରନ୍‌ରେ ହରାଇଛି ସନ୍‌ରାଇଜର୍ସ। ଅଧିନାୟକ କେନ୍‌ ୱିଲିୟମ୍‌ସନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ସନ୍‌ରାଇଜର୍ସ ଶେଷ ବଲ୍‌ରେ ୧୪୬ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପରେ ମଧ୍ୟକ୍ରମ ବିପର୍ଯ୍ୟୟ ଯୋଗୁଁ ୬ ୱିକେଟରେ ଆର୍‌ସିବି ୧୪୧ ରନ୍‌ କରି ପାରିଥିଲା। ୧୦ମ ମ୍ୟାଚ୍‌ରେ ୮ମ ବିଜୟ ପରେ ସନ୍‌ରାଇଜର୍ସ ପ୍ଲେଅଫ୍‌ର ନିକଟତର ହୋଇଛି। ୧୦ମ ମ୍ୟାଚ୍‌ରେ ୭ମ ପରାଜୟ ପରେ ଆର୍‌ସିବି ପ୍ଲେଅଫ୍‌ ଦୌଡ଼ରୁ ପ୍ରାୟ ବାଦ୍‌ପଡ଼ିଛି।
ସମ୍ମୁଖରେ ୧୪୭ ରନ୍‌ର ଲକ୍ଷ୍ୟ ଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଓପ୍‌ନର ପାର୍ଥିବ ପଟେଲ ଦ୍ରୁତଗତିରେ ସ୍କୋର୍‌ କରିଥିଲେ। ୧୩ ବଲ୍‌ରୁ ୪ଟି ଚୌକା ସହ ପାର୍ଥିବ ୨୦ ରନ୍‌ କରିଥିଲେ। ପରେ ଅଧିନାୟକ ବିରାଟ କୋହଲି ଆସି କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ। ୮ମ ଓଭରରେ ସ୍କୋର୍‌ ୬୦ ରନ୍‌ ଥିବା ବେଳେ ଅନ୍ୟ ଓପ୍‌ନର ମନନ ବୋହ୍‌ରା ୮ ରନ୍‌କରି ଆଉଟ ହୋଇଥିଲେ। ତେବେ କ୍ରମାଗତ ୩ ଓଭରରେ କୋହଲି, ଏବି ଡି’ଭିଲିଅର୍ସ ଓ ମୋଇନ୍‌ ଅଲୀ ଆଉଟ ହୋଇଯିବା ଆର୍‌ସିବି ପାଇଁ ଶକ୍ତ ଧକ୍କା ଥିଲା। କୋହଲି ଚମତ୍କାର ବ୍ୟାଟିଂକରି ୩୦ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୯ ରନ୍‌ କରିଥିଲେ। ଡି’ଭିଲିଅର୍ସ ୫ ଓ ମୋଇନ୍‌ ୧୦ ରନ୍‌ କରିଥିଲେ। ୮୪ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ମନଦୀପ ସିଂହ ଓ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ଲଢ଼ୁଆ ଭାଗିଦାରୀ କରିଥିଲେ। ୪ ଓଭରରୁ ୩୯ ଓ ଶେଷ ଓଭରରୁ ୧୨ ରନ୍‌ ଆବଶ୍ୟକ ଥିବା ବେଳେ ମାତ୍ର ୬ ରନ୍‌ ହୋଇଥିଲା। ଶେଷ ୩ ଓଭରରୁ କୌଣସି ବାଉଣ୍ଡରୀ ହୋଇନଥିଲା। ଶେଷ ବଲ୍‌ରେ ଆଉଟ ହୋଇଥିବା ଡି ଗ୍ରାଣ୍ଡହୋମ୍‌ ୨୯ ବଲ୍‌ରୁ ୨ଟି ଛକା ସହ ୩୩ ରନ୍‌ କରିଥିଲେ। ମନଦୀପ ୨୩ ବଲ୍‌ରୁ ୨୧ ରନ୍‌ରେ ଅପରାଜିତ ଥିଲେ। ସାକିବ୍‌ ୨ଟି ୱିକେଟ ପାଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ଏହାର ବୋଲର ଘରୋଇ ସନ୍‌ରାଇଜର୍ସ ହାଇଦରାବାଦକୁ ଚାପରେ ରଖି ପାରିଥିଲେ। ୯ମ ଓଭରରେ ସନ୍‌ରାଇଜର୍ସ ମାତ୍ର ୪୮ ରନ୍‌କରି ୩ଟି ୱିକେଟ ହରାଇଥିଲା। ଆଲେକ୍ସ ହେଲ୍‌ସ ୫ ରନ୍‌କରି ବିଦାୟ ନେଇଥିବା ବେଳେ ଶିଖର ଧାୱନ ୧୩ ରନ୍‌କରି ଆଉଟ ହୋଇଥିଲେ। ସନ୍‌ରାଇଜର୍ସର ୩ୟ ବ୍ୟାଟ୍‌ସମ୍ୟାନ ଭାବେ ମନୀଷ ପାଣ୍ଡେ ୫ ରନ୍‌କରି ବିଦାୟ ନେଇଥିଲେ। ପରେ ଦୁଇ ବିଦେଶୀ ଖେଳାଳି ଅଧିନାୟକ କେନ୍‌ ୱିଲିୟମ୍‌ସନ ଓ ସାକିବ୍‌ ଅଲ୍‌ ହାସନ୍‌ ୪ର୍ଥ ୱିକେଟ ପାଇଁ ୬୪ ରନ୍‌ ଯୋଡ଼ିଥିଲେ। ବାମହାତି ସାକିବ୍‌ ୩୨ ବଲ୍‌ରୁ ୫ଟି ଚୌକା ସହ ୩୫ ରନ୍‌ କରିଥିଲେ। ଏହି ୱିକେଟ ସହ ସନ୍‌ରାଇଜର୍ସର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ଶେଷ ୨୫ ବଲ୍‌ରୁ ସନ୍‌ରାଇଜର୍ସ ୩୪ ରନ୍‌ ଯୋଗକରି ୭ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ୱିଲିୟମ୍‌ସନ୍‌ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂକରି ୩୯ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ସର୍ବାଧିକ ୫୬ ରନ୍‌ କରିଥିଲେ। ଚଳିତ ଆଇପିଏଲ୍‌ରେ ଏହା ୱିଲିୟମ୍‌ସନ୍‌ଙ୍କର ୫ମ ଅର୍ଦ୍ଧଶତକ। ୟୁସୁଫ୍‌ ପଠାନ୍‌ ୧୨ ଓ ଋଦ୍ଧିମାନ ଶାହା ୮ ରନ୍‌ କରିଥିବା ବେଳେ ପରବର୍ତ୍ତୀ ବ୍ୟାଟ୍‌ସମ୍ୟାନ୍‌ ବିଫଳ ହୋଇଥିଲେ। ଶେଷ ୨ ଓଭରରେ ୫ଟି ୱିକେଟ ପଡ଼ିଥିଲା। ଦୁଇ ପେସ୍‌ ବୋଲର ମହମ୍ମଦ ସିରାଜ୍‌ ଓ ଟିମ୍‌ ସାଉଦି ୩ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply