କିଶାନ ଘାଟରେ ପହଞ୍ଚିବା ସହ କୃଷକଙ୍କ ଶୋଭାଯାତ୍ରା ଶେଷ
ନୂଆଦିଲ୍ଲୀ : କିଶାନ କ୍ରାନ୍ତି ପଦଯାତ୍ରାକୁ ଦିଲ୍ଲୀ ଅଭିମୁଖେ ରାସ୍ତା ଛାଡ଼ି ଦେଇଛନ୍ତି ସରକାର। ଭାରତୀୟ କିଶାନ ୟୁନିୟନ ଦ୍ୱାରା ସେପ୍ଟେମ୍ବର ୨୩ରୁ ଆରମ୍ଭ ଏହି ପଦଯାତ୍ରା ବୁଧବାର ଅପରାହ୍ଣରେ କିଶାନ ଘାଟରେ ପହଞ୍ଚିବା ସହିତ ଶେଷ ହୋଇଛି। ମଙ୍ଗଳବାର ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାନ୍ତ ଗାଜିଆବାଦ ନିକଟରେ ପୁଲିସ ଶୋଭାଯାତ୍ରାରେ ସାମିଲ ହଜାର ହଜାର କୃଷକଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା; ଫଳରେ ହିଂସାତ୍ମକ ବାତାବରଣ ସୃଷ୍ଟି ହୋଇଥିଲା। କୃଷକଙ୍କ ଉପରକୁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ ସହ ପାଣି ଓ ଲାଠି ମାଡ଼ କରିଥିଲା। ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧରେ ବହୁ ସଂଖ୍ୟକ ପୁଲିସ ଓ କୃଷକ ଆହତ ହୋଇଥିଲେ। କୃଷକଙ୍କ ୧୧ଦଫା ଦାବି ମଧ୍ୟରୁ କେନ୍ଦ୍ର ସରକାର ପ୍ରାୟ ୭ଟି ମାନି ନେଇଥିଲେ ମଧ୍ୟ ସେମାନେ ସନ୍ତୁଷ୍ଟ ନହୋଇ ଦିଲ୍ଲୀ ଅଭିମୁଖେ ଆସିବାକୁ ଜିଦ୍ ଧରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବାଧ୍ୟହୋଇ ବିଳମ୍ବିତ ରାତିରେ ସରକାର ସମସ୍ତ ଅବରୋଧ ହଟାଇ ଦେବା ସହ ଶୋଭାଯାତ୍ରାକୁ ଅନୁମତି ଦେବାରୁ କୃଷକମାନେ ଟ୍ରାକ୍ଟର, ଶଗଡ଼ ଗାଡ଼ି ଇତ୍ୟାଦି ମାଧ୍ୟମରେ ଦିଲ୍ଲୀରେ ପହଞ୍ଚିଛନ୍ତି।
ଭାରତୀୟ କିଶାନ୍ ୟୁନିୟନ ସଭାପତି ନରେଶ ଟିକାୟତଙ୍କ କହିବାନୁଯାୟୀ, ‘ଶୋଭାଯାତ୍ରା କିଶାନ ଘାଟରେ ପହଞ୍ଚିବାର ଲକ୍ଷ୍ୟ ଥିଲା ଏବଂ ସେଥିରେ ଆମେ ସଫଳ ହୋଇଛୁ। ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଥିଲାବେଳେ ପୁଲିସ ଅଯଥା ଏହାର ପ୍ରତିରୋଧ କରିବା ହିଁ ହିଂସାର କାରଣ ହୋଇଥିଲା। ଏବେ ଶୋଭାଯାତ୍ରା ଶେଷ ହେବା ପରେ କୃଷକମାନେ ନିଜ ନିଜ ଗାଁକୁ ଫେରିଯିବେ। ଶୋଭାଯାତ୍ରାରେ ସାମିଲ କୃଷକମାନେ ପ୍ରାୟତଃ ଉତ୍ତରପ୍ରଦେଶର ପଶ୍ଚିମ ଭାଗ ଗୋନ୍ଦା, ଗୋରଖପୁର ଓ ବସ୍ତି ଅଞ୍ଚଳରୁ ଆସିଥିଲେ’ ବୋଲି ଟିକାୟତ କହିଛନ୍ତି। କୃଷି ଋଣ ଛାଡ଼, କୃଷି ପାଇଁ ମାଗଣା ବିଦ୍ୟୁତ୍ ଶକ୍ତି, ସ୍ୱାମୀନାଥନ୍ କମିସନ୍ ରିପୋର୍ଟ କାର୍ଯ୍ୟକାରୀ, ଫସଲ ପାଇଁ ସହାୟକ ମୂଲ୍ୟ ବୃଦ୍ଧି, ଚିନି କଳରେ ବାକି ଥିବା ଆଖୁଚାଷୀଙ୍କ ଦେୟ ପରିଶୋଧ ଇତ୍ୟାଦି ଦାବିରେ ସେମାନେ ଶୋଭାଯାତ୍ରା କରିଥିଲେ। ମଙ୍ଗଳବାର କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କିଶାନ ୟୁନିୟନ କର୍ମକର୍ତ୍ତାଙ୍କ ଆଲୋଚନା କରିଥିଲେ। ଏହି ଦାବି ମଧ୍ୟରୁ ଋଣ ଛାଡ଼ ଓ ସ୍ୱାମୀନାଥନ୍ ରିପୋର୍ଟ ଭଳି ୪ଟି ଗୁରୁତ୍ୱପୂର୍ଣ୍ଣ ଦାବିକୁ ବାଦ ଦେଲେ ଅନ୍ୟ ୭ଟିକୁ ଆପାତତଃ ଗ୍ରହଣ କରିଥିଲେ ମଧ୍ୟ ୟୁନିୟନ ଏଥିରେ ଅସନ୍ତୁଷ୍ଟ ଥିଲା।