ଜାତୀୟ ମହିଳା ଉଦ୍ୟୋଗୀ ପରିଷଦର ନେତୃତ୍ୱ ପରିବର୍ତ୍ତନ ଉତ୍ସବ
ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ କମର୍ସ ଜାତୀୟ ମହିଳା ଉଦ୍ୟୋଗୀ ପରିଷଦର ନେତୃତ୍ୱ ପରିବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ପୂର୍ବତନ ଆବାହକ ତଥା ସମ୍ବାଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକଙ୍କ ଠାରୁ ଆଗାମୀ ଆବାହକ ପ୍ରୀତି ପଲ୍ଲବି ପଟ୍ଟନାୟକ, ତୁଶି ମୋଟର୍ସର ପରିଚାଳନା ନିର୍ଦେଶକ ତଥା କଳିଙ୍ଗ ଦେଶି ଆଗ୍ରୋ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ଏବଂ ଏମ୍ କେଜରିୱାଲ ଆଣ୍ଡ କୋ. ର ସହଭାଗୀ ଚାଟାର୍ଡ ଆକାଉଣ୍ଟାଣ୍ଟ ସ୍ବାତୀ କେଜରୀୱାଲଙ୍କୁ ନେତୃତ୍ବ ହସ୍ତାନ୍ତରକୁ ସ୍ବାଗତ କରାଯାଇଥିଲା।
ତନୟା ପଟ୍ଟନାୟକ ନିଜର ପୂର୍ବ ଆବାହକ ଭୂମିକାରେ ଆଇ ଏନଡବ୍ଲୁଇସି ପ୍ରତି ଯଥେଷ୍ଟ ଯୋଗଦାନ କରିଥିବା ବେଳେ ବର୍ତ୍ତମାନ ସଂସ୍ଥାର ଉପଦେଷ୍ଟା କମିଟିର ସଦସ୍ୟ ଭାବେ ନିଜର ସହଯୋଗ ଜାରି ରଖିବେ। ତାଙ୍କର ଅଭିଜ୍ଞତା ଓ ଦୂରଦୃଷ୍ଟି ସଂସ୍ଥାର ଉତ୍ତରୋତ୍ତର ଉନ୍ନତି ଦିଗରେ ଯଥେଷ୍ଟ ସହାୟକ ହେବ। ପ୍ରୀତି ପଲ୍ଲବି ପଟ୍ଟନାୟକ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ସ୍ବାତୀ କେଜରିୱାଲଙ୍କ ନେତୃତ୍ୱ ମଧ୍ୟ ଉଦ୍ୟୋଗୀ ନିଷ୍ଠା ଓ ଉଭୟଙ୍କ ବୃତ୍ତିଗତ ବିଶେଷତ୍ବ ସହ ଆଗାମୀ ଦିନରେ ସଂସ୍ଥାର ନେତୃତ୍ୱ ଉଚିତ୍ ମାର୍ଗରେ ନେବେ ବୋଲି ସଂସ୍ଥା ଆସ୍ଥା ପ୍ରକଟ କରିଛି। ସଂସ୍ଥା ସହ ଉଭୟଙ୍କ ପରିଚିତି ସଂସ୍ଥାକୁ ଏକ ଭିନ୍ନ ନେତୃତ୍ୱ ପ୍ରଦାନ କରିବ।
ଏଥିସହିତ ଉକ୍ତ କାର୍ଯ୍ୟକ୍ରମରେ ତନୟା ପଟ୍ଟନାୟକ, ପ୍ରୀତି ପଲ୍ଲବି ପଟ୍ଟନାୟକ, ସେଲିବ୍ରିଟି ସ୍ତମ୍ଭକାର ନିଶା ଜାମୱାଲ୍ ଙ୍କ ସହ ଏକ ଆଲୋଚନାଚକ୍ର ମଧ୍ୟ ଆୟୋଜନ ହୋଇଥିଲା ଯାହା ମହିଳା ଉଦ୍ୟୋଗୀ ମାନଙ୍କ ନାନା ସଫଳତା ତଥା ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ନିଶା ଜାମୱାଲଙ୍କୁ ସଂସ୍ଥା ପକ୍ଷରୁ ଉପଦେଷ୍ଟା କମିଟିର ସଦସ୍ୟ ହେବାକୁ ନିମନ୍ତ୍ରଣ କରିବା ଆଲୋଚନାର ଅନ୍ୟ ଏକ ଦିଗ ପ୍ରତି ଦୃଷ୍ଟିପାତ କରିଥିଲା।
ଏଥି ସହିତ ଉକ୍ତ କାର୍ଯ୍ୟକ୍ରମରେ ଆଇ ଏନଡବ୍ଲୁଇସିର ଆପ୍ ମଧ୍ୟ ଲୋକାର୍ପିତ ହୋଇଥିଲା। ଉକ୍ତ ଆପ ସଂସ୍ଥାର ସଦସ୍ୟ ମାନଙ୍କ ମଧ୍ୟରେ ଯୋଗାଯୋଗ ତଥା ନାନା ବୈଷୟିକ ଜ୍ଞାନ ଓ ସୂଚନା ପ୍ରଦାନ ନିମନ୍ତେ ଯଥେଷ୍ଟ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ପରିଷଦର ଅଧ୍ୟକ୍ଷ ଜେବି ପାଣି ଉଦଘାଟନୀ ଉଦବୋଧନ ଦେବା ସହ ବରିଷ୍ଠ ଉପ ଅଧ୍ୟକ୍ଷ ରାଜୀବ ସାହୁ ବିଶିଷ୍ଟ ଉଦବୋଧନ ଦେଇଥିଲେ। ଆଇସିସି ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ଜେପି ପାଲ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାୟ ୭୫-୮୦ ସଦସ୍ୟଙ୍କ ସହ ଆଇସିସି ଓଡ଼ିଶାର ମୂଳ କମିଟି ସଦସ୍ୟଙ୍କ ଉପସ୍ଥିତି ଉକ୍ତ କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ଉନ୍ନତି ଦିଗରେ ସହଯୋଗ ଓ ଏକତାର ନିଦର୍ଶନ ଥିଲା।
ଉକ୍ତ କାର୍ଯ୍ୟକ୍ରମ ଆଇ ଏନଡବ୍ଲୁଇସିର ସବାଙ୍ଗୀନ ଉନ୍ନତି ଦିଗରେ ଏକ ମାଇଲଖୁଣ୍ଟ ହେବା ସହ ଆଗାମୀ ଦିନ ଉତ୍ତରୋତ୍ତର ଉନ୍ନତି ପାଇଁ ଏକ ନୂତନ ଦୃଷ୍ଟିଭଙ୍ଗୀର ଉଦାହରଣ ଥିଲା।
Comments are closed.