ପ୍ରାକୃତିକ ବିପର୍ଯ୍ୟୟ ଘଟାଇପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ନିରାକରଣ ଉପରେ ସଚେତନତା ଜରୁରୀ

ହରଭଙ୍ଗା: ମନୁଷ୍ୟ ବିଜ୍ଞାନ ବଳରେ ଗୋଟିଏ ପରେ ଗୋଟିଏ ସୋପାନ ସଫଳତାର ସହ ଅତିକ୍ରମ କରିଚାଲିଛି।ତଥାପି ପ୍ରକୃତି ତାଣ୍ଡବ ଏବଂ ଦାନବ ଆଗରେ ମଣିଷ ସବୁବେଳେ ହାର ମାନିଛି। ଖରାଦିନେ ଖରା ,ବର୍ଷା ଦିନେ ବର୍ଷା ଏବଂ ଶୀତ ଦିନେ ଶୀତ ହେବା ପ୍ରକୃତିର ନିୟମ।ମାତ୍ର ଆବଶ୍ୟକଠାରୁ ଖରା,ବର୍ଷା,ଶୀତ କମ ବେଶି ହେଲେ ଏହା ଜଳବାୟୁ ପରିବର୍ତନର ପ୍ରଭାବ ବୋଲି କୁହାଯାଉଛି।

ମାତ୍ର ଜଳବାୟୁ କେଉଁ କାରଣରୁ ପରିବର୍ତନ ଘଟୁଛି ତାକୁ ନେଇ ମନୁଷ୍ୟ ସମାଜ ସଚେତନ ଥିଲେ ମଧ୍ୟ ଏହି ନିୟମରୁ ବାଟହୁଡି ନିଜେ ନିଜର ମୃତ୍ୟୁ ପାଇଁ ଯେଭଳି ଫାଶ ସୃଷ୍ଟି କରୁଛି ତାହା ମେ ମାସର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବକୁ ଦେଖିଲେ ବୁଝାପଡୁଛି

।ପ୍ରକାଶ ଯେ ଚଳିତବର୍ଷ ମେ ୨୮ ତାରିଖରେ ବୌଦ୍ଧର ତାପମାତ୍ର ୪୫.୯ ଡିଗ୍ରୀ ସହିତ ରାଜ୍ୟର ସର୍ବାଧିକ ଉତପ୍ତ ସହର ମଧ୍ୟରେ ବୌଦ୍ଧ ପ୍ରଥମ ସ୍ଥାନଅଧିକାର କରିଥିଲା।ଜିଲ୍ଲାରେ ସମ୍ପ୍ରତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଓଡିଶାର ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧଜିଲ୍ଲା। ଭୌଗଳିକ ଦୃଷ୍ଟିକୋଣରୁ ଜିଲ୍ଲାର ଆୟତନ ୩୦୯୮ବର୍ଗ କିଲୋମିଟର ରହିଛି।ଏହାର ଉତରରେ ମହାନଦୀ ଓ ଅନୁଗୁଳୁ ଜିଲ୍ଲା ଅବସ୍ଥିତ।

ଦକ୍ଷିଣରେ କନ୍ଧମାଳ ଜିଲା ଏବଂ ପୂର୍ବରେ ନୟାଗଡ ଜିଲା ଏବଂ ପଶ୍ଚିମରେ ସୂବର୍ଣ୍ଣପୁର ଜିଲା ଓ ତେଲନଦୀ ରହିଛି।ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୁର ବଣପାହାଡ ମହାନଦୀ ଘେରା ବୌଦ୍ଧ ଜିଲ୍ଲାରେ ପ୍ରାକୃତିକ ଜଙ୍ଗଲ ପରିମାଣ ୧୨୯୦,୯୪ ବର୍ଗକିଲୋମିଟର ରହିଛି।ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ବୌଦ୍ଧଜିଲ୍ଲାରେ କୃତ୍ରିମ ବନାଗ୍ନି ଜଙ୍ଗଲ ଧ୍ୱଂସର କାରଣ ସାଜିଛି ।

ବନାଗ୍ନି ପ୍ରଭାବରେ ପ୍ରଭାବିତ ପ୍ରାକୃତିକ ଜଙ୍ଗଲ ସମ୍ପଦ ଧ୍ୱଂସ ପ୍ରତିବର୍ଷ ଗ୍ରୀଷ୍ମତାତି ବୃଦ୍ଧିର ଏକ ବଡକାରଣ ବୋଲି କୁହାଯାଉଛି।ଯଦିଓ ଚଳିତବର୍ଷ ଜଙ୍ଗଲପୋଡି ଆଶାନୁରୂପଠାରୁ ଅଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ମାତ୍ର ଜଙ୍ଗଲପୋଡି କମ୍ ସତ୍ୱେ ଚଳିତବର୍ଷ ବୌଦ୍ଧରେ ରେକର୍ଡ ପରିମାଣର ଗ୍ରୀଷ୍ମ ପ୍ରବାହ ଏବଂ ଝାଞି ପବନ ସବୁ ରେକର୍ଡ ପାରକରିଛି।ଏହାକୁ ନେଇ ଜିଲ୍ଲାବାସୀ ଚିନ୍ତିତ ହୋଇପଡିଥିବା ଦେଖିବାକୁ ମିଳିଛି।

prayash

ମହାନଦୀ କୂଳରେ ଅବସ୍ଥିତ ଜିଲ୍ଲାରେ ଏଭଳି ତାତିର କାରଣ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି।ଅନ୍ୟପଟେ ଡିସେମ୍ବର ପ୍ରାରମ୍ଭରୁ ମହାନଦୀର ଜଳଧାରଣ କ୍ଷମତା ହ୍ରାସ ପାଉଥିବା ଲକ୍ଷ କରାଯାଉଛି।ମହାନଦୀ ଶଯ୍ୟାରେ ବିସ୍ତିର୍ଣ୍ଣଭାବେ ପଡିଥିବା ଶୁଷ୍କ ବାଲିର ବିକିରଣରୁ ଗରମ ପବନ (ଲୁ) ପ୍ରଭାବିତ ଯୋଗୁଁ ଜିଲ୍ଲାରେ ଗ୍ରୀଷ୍ମତାତି ବୃଦ୍ଧିର ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି।ଏହା ସହିତ ପକ୍କା ରାସ୍ତା,କୋଠାବାଡି ବୃଦ୍ଧି ତାତି ବୃଦ୍ଧିର ଆଉ ଏକ କାରଣ ବୋଲି କୁହାଯାଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାସ୍ତା ଘାଟ,ଅଫିସବାଡି ସାଙ୍ଗକୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଅବାଧ ଗଛକାଟ ଗ୍ରୀଷ୍ମ ତାତିକୁ ଦ୍ୱିଗୁଣିତ କରୁଛି।ଏହା ସହିତ ଖରାମାସସାରା ଲୋକଙ୍କ ଚାହିଦା ମେଂଟାଉଥିବା ଗାଁ ଗୁଡିକରେ ରହିଥିବା ବନ୍ଧ, ପୋଖରୀ,କୂଅ,କଟା ଭଳି ବୃହତ ଜଳାଶୟ ମଧ୍ୟ ଶୁଖିଲା ଯୋଗୁଁ ଚାରିଆଡେ ଶୁଷ୍କ ବାତାବରଣ ସୃଷ୍ଟି କରୁଛି।ଯାହାଫଳରେ ତାତି ବୃଦ୍ଧିର ଅନ୍ୟ ଏକ କାରଣକୁ ଏଡାଇଦିଆଯାଇନପାରେ।

ସେହିପରି ସହର ଭଳି ଗ୍ରାମାଚଂଳରେ ଶୀତତାପନିୟନ୍ତ୍ରଣ ମେସିନ (ଏସି)ର ବହୁଳ ବ୍ୟବହାର ଯୋଗୁଁ ସେଥିରୁ ବାହାରୁଥିବା ଗରମ ପବନ ବାୟୁମଣ୍ଡଳକୁ ଉଷ୍ମତା ଯୋଗାଇବା ଆଉ ଏକ କାରଣ ବୋଲି କୁହାଯାଉଛି।ଏଭଳି ଅନେକ କାରଣରୁ ଗ୍ରୀଷ୍ମତାତି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା ମତପ୍ରକାଶ ପାଉଛି। ମାତ୍ର ଏହାର ବିଜ୍ଞାନସମ୍ମତ କାରଣ ଏବଂ ନିରାକରଣ ଦିଗରେ ଏବେଠୁ ଚିନ୍ତାପ୍ରକଟ କରାନଗଲେ ଆଗାମୀ ବର୍ଷରେ ବୌଦ୍ଧରେ ତାପମାତ୍ରା ୫୦ଡିଗ୍ରୀ ଛୁଇଁବା କୌଣସି ଆଶ୍ଚର୍ୟ୍ୟର କଥାନୁହେଁ ବୋଲି ମତପ୍ରକାଶ ପାଉଛି।

ସୂଚନା ଅନୁସାରେ ମଣିଷ ଶରୀର ତାପମାତ୍ରା ୯୮.୬ ରୁ ୯୯.୯ ଡିଗ୍ରୀ ଫାରେନହିଟ ଅର୍ଥାତ୍ ୩୭ ଡିଗ୍ରୀରୁ ୩୭.୭୨୨ ଡିଗ୍ରୀ ସେଲସିୟସ ରହିଛି।ମାତ୍ର ଗ୍ରୀଷ୍ମ ସମୟରେ ବାହାର ପରିବେଶ ତାପମାତ୍ର ୪୫ ରୁ ୫୦ ଡିଗ୍ରୀ ଛୁଇଁଲେ ମନୁଷ୍ୟ ସମାଜ ଜୀବନ ବଂଚାଇବା କଷ୍ଟକର ହୋଇପଡିବ।

ତେଣୁ ବେଳ ଥାଉ ଥାଉ ଅପ୍ରାକୃତିକ ତାପମାତ୍ରା ବୃଦ୍ଧିକୁ ରୋକାନଗଲେ ଆଗାମୀ ସମୟରେ ହିଟେଓଭ ( ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ) ଏକ ପ୍ରାକୃତିକ ବିପର୍ୟ୍ୟୟ ଭଳି ମନୁଷ୍ୟ ସମାଜକୁ ଧ୍ୱଂସବିଧ୍ୱସ୍ତ କରିବାର ପୂର୍ବାନୁମାନ କରିହେଉଛି।ଏହାର କାରଣ ନିରାକରଣ ଦିଗରେ ସମସ୍ତେ ସଚେତନ ହେବା ଜରୁରୀ ହୋଇପଡିଛି।
ମତାମତ
ହିମାଂଶୁ ଶେଖର ରାଉତ,ଅଧ୍ୟକ୍ଷ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,ହରଭଙ୍ଗା: ହିଟୱେଭ ଓ ଅତ୍ୟଧିକ ପାଣିପାଗ ପରିବର୍ତ୍ତନ ଘଟଣା କେବଳ ଭାରତରେ ସୀମତି ନୁହେଁ, ସାରା ଭାରତବର୍ଷରେ ଅନୁଭୂତ ହେଉଛି।ଜଳବାୟୁ ପରିବର୍ତ୍ତନ ଫଳରେ ଅଧିକ ଗରମ ତଥା ଧନ ଜୀବନ ନଷ୍ଟହେବା ସହିତ ଏହାର ପ୍ରଭାବରେ ସ୍ୱାସ୍ଥ୍ୟ ଭିତିଭୂମି, ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଗ୍ରାମାଚଂଳ ଅପେକ୍ଷା ସହାରାଚଂଳରେ ପ୍ରଭାବ ଅଧିକ ଅନୂଭୂତ ହୋଇଥାଏ। ଆର୍ଦ୍ରତା ହ୍ରାସ ଶୁଷ୍କ ପରିବେଶ ଅତ୍ୟଧିକ ଉତପ୍ତକୁ ପ୍ରୋତ୍ସାହିତ କରିଥାଏ।ଏହାର ପ୍ରତିକାର ପାଇଁ ସମଗ୍ର ଜନସାଧାରଣ ସଚେତନତା ଜରୁରୀ।ଅତ୍ୟଧିକ ବୃକ୍ଷ ରୋପଣ ଛାତ ଉପରେ ସୂର୍ୟ୍ୟକରିଣ ପ୍ରତିଫଳିତ ଉପକରଣ ବ୍ୟବହାର,ପ୍ରଦୂଷଣ ଗ୍ୟାସ ନିର୍ଗତକୁ ରୋକିବା ଜରୁରୀ ସହିତ ଜାତୀୟ ତଥା ବିଶ୍ୱସ୍ତରରେ ଦୀର୍ଘ କାଳୀନ ପଦକ୍ଷେପ ନେବା ଆବଶ୍ୟକ।

ଜ୍ୟୋତିର୍ମୟ ଦାସ ସଚେତନ ନାଗରିକ, ହରଭଙ୍ଗା: ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ଅପରିହାର୍ୟ୍ୟ। ବନାଗ୍ନି କାରଣରୁ ପ୍ରତିବର୍ଷ ଶହ ଶହ ଏକର ଜଙ୍ଗଲ ଧ୍ୱଂସ ପାଉଛି।।ଏହାର ପ୍ରଭାବରେ ତାପମାତ୍ରା ଦ୍ୱିଗୁଣିତ ଯୋଗୁଁ ଜୈବବିବିଧତା ନଷ୍ଟ ହେବା ସହିତ ପରିବେଶ ସନ୍ତୁଳନ ହରାଉଛି।ଏହା ସାଙ୍ଗକୁ ମଣିଷର ଚାକଚକ୍ୟ ବିଳାସବ୍ୟସନ ଜିବନଶୈଳୀ ଯୋଗୁଁ କୋଠାଘର , ଅଧିକମାତ୍ରାରେ ଏସି ବ୍ୟବହାର ସାଧାରଣ ଘଟଣା ହୋଇଛି।ଗାଁ ଗଣ୍ଡାକୁ ସହର ଭଳି ଗଢିତୋଳିବା ପ୍ରୟାସରେ ସିମେଂଟ ଉପକରଣ ସାମଗ୍ରୀର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି।ଦିନକୁ ଦିନ ବୃକ୍ଷ ସଂଖ୍ୟା ହ୍ରାସ ଯୋଗୁଁ ଶୁଷ୍କ ବାତାବରଣରୁ ବାହାରୁଥିବା ଗରମ ବାୟୁ ପରିବେଶ ସନ୍ତୁଳନକୁ ପ୍ରଭାବିତ କରୁଛି।ଆଗକୁ ଏଥିରୁ ବଂଚିବାକୁ ହେଲେ ପ୍ରଚୁର ପରିମାଣରେ ବନୀକରଣ କରାଯିବା ଜରୁରୀ।

Comments are closed.