ଦେଶର ଅଧା ଜିଲ୍ଲା ଆକ୍ରାନ୍ତ, ମହାରାଷ୍ଟ୍ର ସର୍ବାଧିକ
ନୂଆଦିଲ୍ଲୀ: ଦେଶରେ ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ବିଗତ ପ୍ରାୟ ତିନି ସପ୍ତାହ ଧରି ସଂପୂର୍ଣ୍ଣ ଲକ୍ଡାଉନ୍ ମଧ୍ୟରେ ରହିଥିଲେ ବି ଏଯାବତ୍ ପ୍ରାୟ ଅଧା ଦେଶ ଅର୍ଥାତ୍ ୭୧୮ଟି ଜିଲା ମଧ୍ୟରୁ ଅର୍ଦ୍ଧେକ ଜିଲାକୁ କରୋନା ବା କୋଭିଡ୍-୧୯ ସଂକ୍ରମିତ କରିଛି। ଅତ୍ୟନ୍ତ ସଂକ୍ରମଣ ପ୍ରବଣ କରୋନା ଭାଇରସ୍ ଏହି ୭୧୮ଟି ଜିଲା ମଧ୍ୟରୁ ୧୨୦ ଜିଲାରେ ବିଗତ ମାତ୍ର ୧୦ ଦିନ ମଧ୍ୟରେ ବ୍ୟାପିବାରେ ସମର୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜାଣିବାକୁ ମିଳିଛି। ଦେଶରେ ଗତ ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦୦ ଥିବା ମାତ୍ର ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ଆଜି ୮୩୫୬କୁ ବୃଦ୍ଧି ପାଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଗତ ମାର୍ଚ୍ଚ ୨୯ ସୁଦ୍ଧା ଦେଶର ୧୬୦ ଜିଲା କରୋନା ସଂକ୍ରମିତ ହୋଇଥିବା ବେଳେ ଅପ୍ରେଲ ୬ ବେଳକୁ ସଂକ୍ରମିତ ଜିଲ୍ଲା ସଂଖ୍ୟା ୨୮୪ରେ ପହଞ୍ଚିଥିଲା। ଆଜି ସୁଦ୍ଧା ଦେଶର ୩୬୪ଟି ଜିିଲା କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାମଧ୍ୟରେ ଉତ୍ତରପ୍ରଦେଶର ସର୍ବାଧିକ ୪୦ଟି ଜିଲା ରହିଥିବା ବେଳେ ତାମିଲନାଡ଼ୁର ୩୩ଟି ଜିଲା ରହିଛି। ମହାରାଷ୍ଟ୍ରର ୨୭ ଜିଲାରେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବା ବେଳେ ଦିଲ୍ଲୀର ୧୧ଟି ଜିଲାରେ ୧୦୦୦ରୁ ଅଧିକ ସଂକ୍ରମିତ ରହିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ପ୍ରକାଶ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ରୋଗୀଙ୍କ ଲାଗି ଆଇସିୟୁ ଆବଶ୍ୟକତା ପଡୁଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଏବେ ୧୬୭୧ ଜଣ ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ସହ କ୍ରିଟିକାଲ କେୟାରରେ ରଖାଯାଇଛି। କେନ୍ଦ୍ର ସରକାର କରୋନା ଟିକା ପ୍ରସ୍ତୁତି ପ୍ରତି ଗୁରୁତ୍ବ ଦେଉଛନ୍ତି। ଆଇସିଏମଆର ଡାକ୍ତର ମନୋଜ ମୁରହେକର ଓ ବ୍ରହ୍ମପ୍ରକାଶ ଦୁବେ କହିଛନ୍ତି ଯେ ଏବେ ୪୦ଟି ଟିକା ଏବେ ପ୍ରସ୍ତୁତି ପଥରେ ରହିଛି। ତେବେ ତା’ର ନିର୍ଣ୍ଣାୟକ ଅଗ୍ରଗତି ହୋଇପାରିନି। ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ ୨୦ ହଜାର ବଗିକୁ ଆଇସୋଲେସନ୍ ୱାଡରେ ପରିଣତ କରିବା ପ୍ରକ୍ରିୟା ଚାଲିଛି। ଏଥିରୁ ୫ ହଜାର କୋଚ୍ ପ୍ରସ୍ତୁତ ହୋଇସାରିଛି। ଲୋକଙ୍କ ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଯାଉଛି। ଏଥିପାଇଁ କାର୍ଗୋ ବିମାନ ଓ ରେଳବାଇ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବାବେଳେ ମାଲ ପରିବହନକାରୀ ଟ୍ରକ୍ ଚଳାଚଳ ଅବ୍ୟାହତ ରହିଛି।
Comments are closed.