ନିର୍ବାଚନ ଗଣ୍ଡଗୋଳ: ରୁଜୁ ହେଲା ୨ ମାମଲା, ତଦନ୍ତ ଆରମ୍ଭ କଲା ପୁଲିସ

ଗୁରୁଡିଝାଟିଆ: ଗତ ଦୁଇଦିନ ତଳେ ନିର୍ବାଚନ ସମୟରେ କୁମାରପୁର ପଞ୍ଚାୟତ ଅନ୍ତର୍ଗତ ଦଣ୍ଡାପଡିଆ ଠାରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ବିଜେପି ଓ ବିଜେଡିର କିଛି ସମର୍ଥକଙ୍କ ମଧ୍ୟରେ ଠେଲାପେଲା, ମାରପିଟ ସହ ଗଣ୍ଡଗୋଳ ହୋଇଥିଲା। ଏପରିକି ବିଜେପି ଆଠଗଡ ବିଧାନସଭା ପ୍ରାର୍ଥୀ ଅଭୟ କୁମାର ବାରିକଙ୍କୁ ଠେଲାପେଲା କରାଯାଇଥିଲା। ଉଭୟପକ୍ଷ ମଧ୍ୟରୁ ଗୁରୁଡିଝାଟିଆ ଥାନାରେ ଦୁଇଟି ମକଦ୍ଦମା ରୁଜୁ କରାଯାଇଛି।

ପାର୍ବତୀ ଦିଗି ନାମକ ମହିଳା ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଶ୍ରାବ୍ୟ ଭାଷାରେ ଗାଳି କରିବା, ଜାତି ନେଇ ଆକ୍ଷେପ ଓ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରରୋଚନା କରିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି।

ଅନୁରୂପ ଭାବେ ସୂରଜ ସାମଲ ନାମକ ଯୁବକ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଓ ତାଙ୍କ ପୁଅ ପୂର୍ବତନ ସରପଞ୍ଚ ଦୀପକ ଆଚାର୍ଯ୍ୟ ଓ ଅନ୍ୟ କେତେକଙ୍କ ନାମରେ ମାରଧର କରିବା , ଗାଳିଗୁଲଜ କରିବା ,ନିଜ ସପକ୍ଷରେ ଭୋଟ ପାଇଁ ପ୍ରବର୍ତ୍ତାଇବା ଆଦି ଉଲ୍ଲେଖ କରି ମକଦ୍ଦମା କରିଛନ୍ତି। ଥାନା ଅଧିକାରୀ ପରେଶ କୁମାର ମହାନ୍ତି ୨ଟି ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।

Comments are closed.