ସେବିକା ରୋଗୀଙ୍କ ପାଇଁ ଦେବଦୂତ, ‘ନର୍ସିଂ’ ଏକ ବୃତ୍ତି ନୁହେଁ ବ୍ରତ

ଗୁରୁଡିଝାଟିଆ:ନର୍ସିଂ ଏକ ବୃତ୍ତି ନୁହେଁ ବ୍ରତ। ଜୀବନକୁ ସଂଜତ, ଶୃଙ୍ଖଳିତ ଓ ସେବାଭାବାପନ୍ନ କଲେ ଭଲ ସେବିକା ହୋଇପାରିବେ। ମୁର୍ମୂଷୁ ରୋଗୀ ହୃଦୟର ଭାଷାକୁ ବୁଝି ସହନଶୀଳତା ଓ ସମବେଦନାର ସହ ଧର୍ଯ୍ୟଶୀଳ ହୋଇ ସେବା ଯୋଗାଇବା ହିଁ ସେବିକାର ପରମଧର୍ମ। ଏହାଦ୍ୱାରା ରୋଗୀଟି ମୁହଁରେ ବଞ୍ଚିବାର ରାହା ସୃଷ୍ଟି ହେବା ସହ ନୂତନ ଆଲୋକ ଦେଖିପାରିବ ବୋଲି କଟକ ବଡ ମେଡିକାଲର ପ୍ରାକ୍ତନ ଶଲ୍ୟବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ପଣ୍ଡା କହିଥିଲେ।

ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ଡାକ୍ତର ପଣ୍ଡା କହିଥିଲେ ଯେ ସେବିକା ରୋଗୀଙ୍କ ପାଇଁ ଦେବଦୂତ। ନିର୍ଲିପ୍ତ ଭାବେ ସେବା ଓ ଶୁଶ୍ରୁସା ଯୋଗାଇଦେବା ସେବିକାର ଭୂଷଣ ବୋଲି ପ୍ରକାଶ କରିଥିଲେ। ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଦୈନନ୍ଦିନ ଜୀବନରେ ସୁସ୍ଥତା ରହିବା, ରୋଗଠାରୁ କିଭଳି ନିଜକୁ ଦୂରେଇ ରଖିବା ସହିତ ଭଲ ସେବିକା ଭାବରେ ନିଜକୁ ଗଢିତୋଳିବା ସଂପର୍କରେ ପ୍ରକାଶ କରିଥିଲେ।

ପ୍ରତିଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଆକାଶ ସାହୁ, କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ଅଧ୍ୟାପକ ବିକ୍ରମ କେଶରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ମନରେ ଉଙ୍କିମାରିଥିବା ଚିକିତ୍ସା ଶିକ୍ଷା ସମ୍ବନ୍ଧୀୟ ପ୍ରଶ୍ନ ପ୍ରଫେସର ଡାକ୍ତର ପଣ୍ଡାଙ୍କ ଠାରୁ ପଚାରିବୁଝିଥିଲେ।

Comments are closed.