ବଜ୍ରପାତରେ ଦୁଇ ଯୁବକଙ୍କ ମୃତ୍ୟୁ
ସାନଖେମୁଣ୍ଡି : କାଳ ବୈଶାଖୀ ପ୍ରଭାବରେ ବର୍ଷା, ଘଡ଼ ଘଡି ସହ ବଜ୍ରପାତ ଦୁଇ ଜୀବନ ନେଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାଟପୁର ଥାନା ଗାନ୍ଧୀ ଛକ ନିକଟରେ ଆମ୍ବ ଗଛ ତଳେ ବିଶ୍ରାମ ନେଉଥିବାବେଳେ ବଜ୍ରପାତ ଯୋଗୁଁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଦୁଇ ଯୁବକ ହେଲେ ପୁରୀ ଜିଲା ନିରାକାରପୁର ଆଳିପଡ଼ା ଗ୍ରାମର ଡୁଗୁଲା ପ୍ରଧାନ ଏବଂ ଗଞ୍ଜାମ ଜିଲା କୃଷ୍ଣଦାସପୁର ଗ୍ରାମର ସନ୍ୟାସୀ ସାହୁ । ମୃତ ଦୁଇ ଯୁବକ ମୀନା ବଜାର କର୍ମଚାରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ପାଟପୁର ଗ୍ରାମରେ ମାଁ ଠାକୁରାଣୀଙ୍କ ଯାତ୍ରା ସକାଶେ ମୀନା ବଜାର , ରାମଦୋଳି ସହ ବିଭିନ୍ନ ପ୍ରକାର ଖେଳନା ବଜାର ଖୋଲା ଯାଇଥିଲା। ରବିବାର ଯାତ୍ରା ସରିବା ପରେ ଅପରାହ୍ଣରେ ଦୁଇ କର୍ମଚାରୀ ଡୁଗୁଲା ଓ ସନ୍ୟାସୀ ଖରାରୁ ଟିକେ ନିସ୍ତାର ପାଇବା ପାଇଁ ଆମ୍ବଗଛ ମୂଳେ ବିଶ୍ରାମ ନେଉଥିଲେ। ଏହି ସମୟରେ ମେଘ ସହ ପ୍ରବଳ ବର୍ଷା ଓ ଘଡଘଡି ହୋଇଥିଲା। ବଜ୍ରପାତରେ ଉଭୟ ସେଠାରେ ଟଳି ପଡ଼ିଥିଲେ। ମୀନାବଜାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଟପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଦୁଇ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି।
Comments are closed.