ଭାରତୀୟ ମୁକ୍ତି ସଂଗ୍ରାମରେ ଗାନ୍ଧିଙ୍କ ପ୍ରବେଶ : ଚମ୍ପାରଣ, ଖେଡ଼ା ଓ ଅହମଦାବାଦ ଆନ୍ଦୋଳନର ଦୃଶ୍ୟପଟ୍ଟ

0

ରଜତ କାନ୍ତ ଦାଶଙ୍କ ବିଶେଷ ଉପସ୍ଥାପନା : ୧୯୧୫ରେ ଭାରତୀୟ ରାଜନୀତି ଏବଂ ସ୍ୱାଧୀନତା ସଂଗ୍ରାମରେ ମୋହନଦାଶ କରମଚାନ୍ଦ ଗାନ୍ଧିଙ୍କ ପ୍ରବେଶ। ମାତ୍ର ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା (୧୮୯୩-୧୯୧୪) ମଧ୍ୟରେ ସତ୍ୟାଗ୍ରହର ସଫଳ ପ୍ରୟୋଗର ଅଭିଜ୍ଞତା ସେ ହାସଲ କରିସାରିଥିଲେ। ଧୈର୍ଯ୍ୟ ଓ ନରମପନ୍ଥୀ କୌଶଳ ମିଶ୍ରଣର ଏକ ଅଭିନବ ଉପାୟ ‘ସତ୍ୟାଗ୍ରହ’ ପ୍ରୟୋଗ ଦ୍ୱାରା ସେ ଭାରତୀୟ ବୁଦ୍ଧିଜୀବୀ ମହଲରେ ଏକ ଜଣାଶୁଣା ନାମ ହୋଇସାରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତରେ ସେ ନିଜ ସଂଗ୍ରାମୀ ଜୀବନର ଆରମ୍ଭ କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସ ନେତାଙ୍କ ପ୍ରାର୍ଥନା, ନିବଦେନ, ଆବେଦନ ଓ ଭିକ୍ଷା ବଦଳରେ ସେ ଲୋକଙ୍କୁ ଅହିଂସାରେ ଆଇନ ଉଲ୍ଲଙ୍ଘନର ଶିକ୍ଷା ଦେଇଥିଲେ। ଭାରତ ରାଜନୀତିରେ ଗାନ୍ଧିଙ୍କ ପ୍ରବେଶ ପୂର୍ବରୁ ୧୯୦୭ ସୁରାଟ ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସ ଦୁଇଟି ଦଳରେ ଭାଗ ହୋଇ ସାରିଥିଲା। କଂଗ୍ରେସର ଗୋଟିଏ ଦଳ ଚରମପନ୍ଥୀ (ଲାଲ, ବାଲ ଓ ପାଲ) ଓ ଅନ୍ୟ ଏକ ଦଳ ନରମ ପନ୍ଥୀ (ଦାଦା ଭାଇ ନାରୋଜୀ, ଗୋପାଳ କୃଷ୍ଣ ଗୋଖଲେ, ସୁରେନ୍ଦ୍ର ନାଥ ବାନାର୍ଜୀ ଓ ଅନ୍ୟମାନେ) ନାମରେ ନାମିତ ହୋଇସାରିଥିଲା। ଏପଟେ ବେଙ୍ଗଲ, ପଞ୍ଜାବ ଏବଂ ମହାରାଷ୍ଟ୍ରର କିଛି ଲୋକ ହିଂସାତ୍ମକ ସଂଗ୍ରାମର ବାଟ ବାଛି ନେଇଥିଲେ। ଏଭଳି ସ୍ଥିତିରେ ଗାନ୍ଧିଙ୍କ ନୂତନ ସତ୍ୟାଗ୍ରହ ଉପାୟ (ଅହିଂସା ଓ ଆଇନ ଉଲ୍ଳଙ୍ଘନ) ଲୋକଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା ଓ ଖୁବଶୀଘ୍ର ସେ ଜନମାନସରେ ଛାଇ ଯାଇଥିଲେ। ଏହା ଉଭୟ ଚରମ ଓ ନରମପନ୍ଥୀଙ୍କ ଉପାୟକୁ ସତ୍ୟାଗ୍ରହର ରୂପ ଦେଇଥିଲା। ୧୯୧୭ରୁ ୧୯୧୮ ମଧ୍ୟରେ ତିନିଟି ସତ୍ୟାଗ୍ରହ ଗାନ୍ଧିଙ୍କୁ ଏକ ନୂଆ ରୂପ ଏବଂ ନାମ ଦେଇଥିଲା। ପରବର୍ତ୍ତୀ ସମୟରେ ସେ ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ମାହତ୍ମା ଉପାଧି ପାଇଥିଲେ। ତେବେ ଏହି ତିନି ଆନ୍ଦୋଳନକୁ ବିଶ୍ଲେଷଣ କଲେ ଜନରବ ଯେ ଗାନ୍ଧିଙ୍କୁ ଏକ ବଡ଼ ନାମ ଦେଇଥିଲା ତାହା ଅନୁମେୟ ହୁଏ।
ଚମ୍ପାରଣ ଚାଷୀ ଆନ୍ଦୋଳନ : ୧୯୧୭ରେ ବିହାରର ଚମ୍ପାରଣରେ ନୀଳ ଚାଷ (ଇଣ୍ଡିଗୋ ଚାଷ)ର ତିନି କାଠିଆ ବ୍ୟବସ୍ଥା ବିରୋଧରେ କୃଷକଙ୍କ ଆନ୍ଦୋଳନରେ ଗାନ୍ଧି ଯୋଗ ଦେଇଥିଲେ। ରାଜ କୁମାର ଶୁକ୍ଳା ନାମକ ଜଣେ ବ୍ୟକ୍ତି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌକୁ ଯାଇ ଗାନ୍ଧିଙ୍କୁ ଚମ୍ପାରଣକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ଓ ତିନି କାଠିଆ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ। ଦକ୍ଷିଣ ଆଫ୍ରିକାରୁ ଏକ ନାମକରା ଲୋକ ହୋଇସାରିଥିବା ଗାନ୍ଧିଙ୍କୁ ସ୍ଥାନୀୟ ପ୍ରଶାସନ ଚମ୍ପାରଣରେ ପ୍ରବେଶ ଉପରେ ରୋକ୍‍ ଲଗାଇଥିଲା। ହେଲେ ଗାନ୍ଧି ସତ୍ୟାଗ୍ରହ ପାଇଁ ଧମକ ଦେବା ପରେ ଏକ ତଦନ୍ତ କମିଟି ଗଠନ କରି ବ୍ରିଟିଶ ପ୍ରଶାସନ ତିନି କାଠିଆ ବ୍ୟବସ୍ଥା (୨୦ ଭାଗରୁ ୩ ଭାଗ ଜମିରେ ନୀଳ ଚାଷ ବାଧ୍ୟତାମୂଳକ)କୁ ଉଚ୍ଛେଦ କରିଥିଲା। ସେଠାରୁ ଗାନ୍ଧି ନିଜର ଅନୁଗତ ରାଜେନ୍ଦ୍ର ପ୍ରସାଦ, ଅନୁରାଗ ନାରାୟଣ ସିହ୍ନା, ଜେବି କ୍ରିପାଳିନି, ବଲଭଭାଇ ପଟେଲ, ମହାଦେବ ଦେଶାଇ, ଇନ୍ଦୁଲାଲ ୟାଗନିକ୍‍ ଏବଂ ଶଙ୍କରଲାଲ ବ୍ୟାଙ୍କରକୁ ପାଇଥିଲେ। ପରବର୍ତ୍ତୀ ସମୟରେ ଏହି ଅନୁଗତମାନେ ଗାନ୍ଧିଙ୍କ ନାମକୁ ପ୍ରଚାର ଓ ପ୍ରସାରରେ ବିଶେଷ ସହାୟକ ହୋଇଥିଲେ। ଗାନ୍ଧି ସେଠାକୁ ଯିବା ପୂର୍ବରୁ ରାଜ କୁମାର ଶୁକ୍ଳା, ସନ୍ତ ରାଉତ ଏବଂ କେଦାର ରାଉତ ନାମକ ବ୍ୟକ୍ତିମାନେ ଚମ୍ପାରଣରେ କୃଷକଙ୍କ ପ୍ରସଙ୍ଗକୁ ଉତ୍ଥାପିତ କରି ଏକ ସଫଳ ଆନ୍ଦୋଳନର ରୂପ ଦେଇଥିଲେ। ଗାନ୍ଧି ସେଥିରେ ଯବନିକା ପକାଇଥିଲେ।
ଖେଡ଼ା କୃଷକ ଆନ୍ଦୋଳନ : ୧୯୧୮ ଗୁଜରାଟର ଖେଡାରେ କୃଷକଙ୍କ ଆନ୍ଦୋଳନକୁ ସଫଳ କରିବାରେ ଗାନ୍ଧିଙ୍କ ଯୋଗଦାନକୁ ଅନେକ ଐତିହାସିକ ଶ୍ରେୟ ଦେଇଥାନ୍ତି। ୧୯୧୭-୧୮ରେ ଫସଲ ହାନୀ ଓ ଦରଦାମ ବୃଦ୍ଧି ଯୋଗୁଁ ଖେଡାର ପାଟିଦାର କୃଷକମାନେ କର ଛାଡ଼ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ହେଲେ ସେଠାକାର ପ୍ରଶାସନ କୃଷକଙ୍କ ଦାବିକୁ ଶୁଣିନଥିଲେ। ଅନେକ ବିଳମ୍ବରେ ୧୯୧୮ ମାର୍ଚ୍ଚ ୨୨ରେ ଗାନ୍ଧି ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ହେଲେ ସେତେବେଳକୁ ଅନେକ ଚାଷୀଙ୍କଠାରୁ ଜୋରଜବରଦସ୍ତ କର ଆଦାୟ କରାଯାଇ ସାରିଥିଲା। ସେତେବେଳକୁ ଭଲ ରବି ଫସଲ ଲୋକଙ୍କ କର ଛାଡ଼ ଦାବିକୁ ଦୁର୍ବଳ କରିଦେଇଥିଲା। ଖେଡାର ୫୫୯ ଗ୍ରାମ ମଧ୍ୟରୁ ମାତ୍ର ୭୦ଟି ଗ୍ରାମରେ ଗାନ୍ଧିଙ୍କ ସତ୍ୟାଗ୍ରହର ପ୍ରଭାବ ପଡ଼ିଥିଲା। ଅଳ୍ପ କିଛି ରିଆତି ପରେ ଜୁନ୍‍ ମାସରେ ଏହି ସତ୍ୟାଗ୍ରହକୁ ପ୍ରତ୍ୟାହାର କରି ନିଆଯାଇଥିଲା।
ଅହମଦାବାଦ ଲୁଗା କଳ ଶ୍ରମିକଙ୍କ ଆନ୍ଦୋଳନ : ୧୯୧୮ ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଗୁଜରାଟ ଅହମଦାବାଦର ଲୁଗା କଳ ମାଲିକ ଏବଂ ଶ୍ରମିକଙ୍କ ମଧ୍ୟରେ ବୋନସ୍‍ର ବିବାଦ ଆନ୍ଦୋଳନର ରୂପ ନେଇଥିଲା। ସେତେବେଳେ ଶ୍ରମିକଙ୍କୁ ପ୍ରଦାନ କରାଯାଉଥିବା ମହାମାରୀ ବୋନସ୍‍ ନଦେବା ପାଇଁ ଲୁଗା କଳ ମାଲିକମାନେ ନିଷ୍ପତ୍ତି ନେଇଥିଲେ। ଫଳରେ ଶ୍ରମିକମାନେ ମଜୁରୀ ୫୦% ବୃଦ୍ଧି କରିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ସମୟରେ ଲୁଗା କଳ ମାଲିକ ଅମ୍ବାଲାଲ ସାରାଭାଇଙ୍କ ଭଉଣୀ ଅନଷୁୟା ବେନ୍‍ ଗାନ୍ଧିଙ୍କୁ ଏହି ଆନ୍ଦୋଳନରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏହା ପୂର୍ବରୁ ଅମ୍ବାଲାଲଙ୍କ ସହ ଗାନ୍ଧିଙ୍କ ଭଲ ସମ୍ପର୍କ ଥିଲା ଓ ସେ ସାବରମତୀ ଆଶ୍ରମ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ। ଏଭଳି ସମୟରେ ଗାନ୍ଧିଙ୍କ ଆନ୍ଦୋଳନରେ ଯୋଗଦାନକୁ ଶ୍ରମିକମାନେ ଭଲ ଦୃଷ୍ଟିରେ ଦେଖିନଥିଲେ। ଲୁଗା କଳ ମାଲିକଙ୍କ ସହ ଖାଉଥିବା ଓ ବୁଲୁଥିବାରୁ କେତେକ ସ୍ଥାନରେ ଗାନ୍ଧିଙ୍କୁ ବିରୋଧ କରାଯାଇଥିଲା। ଶ୍ରମିକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଗାନ୍ଧି ଅନଶନ ଆରମ୍ଭ କରିଥିଲେ ଓ ଏହା ବିଶେଷ ଫଳପ୍ରଦ ହୋଇଥିଲା। ମାଲିକାମାନେ ପ୍ରଥମେ ୨୦% ମଜୁରୀ ବୃଦ୍ଧି ପାଇଁ ରାଜି ହୋଇଥିଲେ। ମାତ୍ର ଗାନ୍ଧିଙ୍କ ହସ୍ତକ୍ଷେପ ପରେ ଶେଷରେ ଲୁଗା କଳ ମାଲିକମାନେ ୫୦% ବଦଳରେ ମଜୁରୀରେ ୩୫% ବୃଦ୍ଧି କରିଥିଲେ। ଏହି ତିନି ଆନ୍ଦୋଳନ ଗାନ୍ଧିଙ୍କୁ ଏକ ନୂଆ ରୂପ ଦେଇଥିଲା। ଫଳରେ ସେ ସବୁବର୍ଗର ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇ ଜଣେ ଜନନେତା ହୋଇପାରିଥିଲେ। ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସତ୍ୟାଗ୍ରହକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରି ସେ ସଫଳ ହୋଇପାରିଥିଲେ।

Leave A Reply