ବଳପୂର୍ବକ ବିବାହ: ପିତାମାତା, ସ୍ୱାମୀଙ୍କ ଠାରୁ ସମ୍ପର୍କ ତୁଟାଇବାକୁ ଝିଅକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସ୍ୱଇଚ୍ଛାରେ ବଞ୍ଚିବାର ଅଧିକାରକୁ ଗୁରୁତ୍ୱ ଦେବା ପୂର୍ବକ ସୁପ୍ରିମକୋର୍ଟ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଝିଅକୁ ବଳପୂର୍ବକ ବିବାହରୁ ବଞ୍ଚାଇଛନ୍ତି। ଝିଅକୁ ନିଜ ଇଚ୍ଛା ବିରୋଧରେ ବିବାହ ଦେଇଥିବା ବାପା-ମା ଓ ସ୍ୱାମୀଙ୍କ ଠାରୁ ସମ୍ପର୍କ ତୁଟାଇବା ଲାଗି ମଧ୍ୟ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ନିଜ ଇଚ୍ଛା ବିରୋଧରେ ବାପ-ମା ବିବାହ ଦେବା ପରେ ମହିଳା ଜଣଙ୍କ ଘରୁ ଲୁଚି ଚାଲିଆସିଥିଲେ। ସୁପ୍ରିମକୋର୍ଟଙ୍କ ରେକର୍ଡରେ ‘ଏକ୍ସ’ ନାମରେ ନାମିତ ମହିଳା ଜଣଙ୍କ କର୍ଣ୍ଣାଟକର ଗୁଲବର୍ଗରୁ ଦିଲ୍ଲୀ ଚାଲି ଯାଇଥିଲେ। ‘ଏକ୍ସ’ଙ୍କୁ ତାର ବାପ-ମା ପ୍ରେମିକ ପରିବର୍ତ୍ତେ ଅନ୍ୟ ଜଣଙ୍କ ସହିତ ବିବାହ ଦେଇଥିଲେ। ଦିଲ୍ଲୀ ଚାଲିଆସିବା ପରେ ‘ଏକ୍ସ’ ଦିଲ୍ଲୀ ମହିଳା କମିଶନଙ୍କ ସହାୟତାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ତାଙ୍କ ପାଇଁ ମାମଲା ଲଢିଥିଲେ। ମହିଳାଙ୍କ ଦାବି ଅନୁଯାୟୀ ସୁପ୍ରିମକୋର୍ଟ ପିତାମାତା ଓ ସ୍ୱାମୀଙ୍କ ଠାରୁ ସମ୍ପର୍କ ତୁଟାଇବା ଲାଗି ଅନୁମତି ଦେଇଛନ୍ତି। ସେମାନଙ୍କ ଠାରୁ ଆକ୍ରମଣ ଆଶଙ୍କାରୁ ରକ୍ଷା ପାଇଁ ଆବଶ୍ୟକ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏପରି କି ବାପ-ମା ଓ ସ୍ୱାମୀଙ୍କ ଘରେ ରହିଥିବା ସମସ୍ତ ଜିନିଷପତ୍ର ଓ ଶିକ୍ଷାଗତ ପ୍ରମାଣପତ୍ର ଯୁବତୀଙ୍କୁ ଫେରାଇଦେବାକୁ କୁହାଯାଇଛି। ପିତାମାତା ଝିଅର ଜୀବନରେ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ମହିଳାଙ୍କ ବିବାହକୁ ଅବୈଧ ଘୋଷଣା ଲାଗି ଓକିଲ ଜୟସିଂହ କରିଥିବା ଦାବିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ବିବାହକୁ ଅବୈଧ ଘୋଷଣା ସମ୍ପର୍କରେ ପରିବାର ଅଦାଲତର ଦ୍ୱାରସ୍ଥ ହେବାକୁ ‘ଏକ୍ସ’ଙ୍କୁ ପରାମର୍ଶ ଦିଆଯାଇଛି।
ଏକ୍ସ’ଙ୍କ ଅଭିଯୋଗ ଅନୁଯାୟୀ ମାର୍ଚ୍ଚ ୧୪ରେ ତାଙ୍କୁ ବାପା-ମା ଓ ଭାଇ ନିର୍ଯାତନା ଦେବା ପୂର୍ବକ ଇଚ୍ଛା ବିରୋଧରେ ବିବାହ ଦେଇଥିଲେ। ବାପା-ମା ତାଙ୍କୁ ଇଚ୍ଛା ବିରୋଧରେ ବିବାହ ଦେଉଥିବା ନେଇ ‘ଏକ୍ସ’ ପୁଲିସରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ପ୍ରଭାବଶାଳୀ ରାଜନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଥିଲା। ଏପରିକି ଯୁବତୀ ଜଣଙ୍କ ବିବାହ ପୂର୍ବରୁ ଭାବି ସ୍ୱାମୀଙ୍କୁ ନିଜର ପ୍ରେମ ସମ୍ପର୍କ ବାବଦରେ ଅବଗତ କରାଇଥିଲେ ମଧ୍ୟ ସେ ତାଙ୍କୁ ବିବାହ କରିଥିଲେ।

Leave A Reply