ଆଗ୍ନିକ ହେବେ ଅଗ୍ନିଯୋଦ୍ଧା: ନିଯୁକ୍ତି ପାଇବେ ମହିଳା

ଭୁବନେଶ୍ୱର : ଆଗାମୀ ଦିନରେ ଫାୟାରମ୍ୟାନ (ଆଗ୍ନିକ) ପଦରେ ମହିଳାଙ୍କ ନିଯୁକ୍ତି ବିଷୟ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକ ସଂଶୋଧନ ଜରିଆରେ ପଦକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ବୁଧବାର ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଗ୍ନିଯୋଦ୍ଧାମାନଙ୍କୁ ନୂତନ ଦାୟିତ୍ୱ ନେଇଥିବାରୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜନସାଧାରଣଙ୍କ ସେବା କରିବା ଓ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କୁ ସୁଯୋଗ ମିଳିଛି। ମଣିଷ ଜୀବନ ବଞ୍ଚାଇବା ମହାପୂଣ୍ୟ। ରାଜ୍ୟରେ ମୋଟ ୩୮୩୨ଟି ଆଗ୍ନିକ ଓ ୩୮୭ଟି ପଦ ରହିଛି। ଆଜି ଖାଲି ଥିବା ୮୨୬ଟି ଆଗ୍ନିକ ଓ ୧୧୫ଟି ଆଗ୍ନିକ ଗାଡ଼ିଚାଳକ ପଦ ପୂରଣ ହେଲା। ଗୋଟିଏ ଦିନରେ ସମ୍ପୂର୍ଣ୍ଣ ପଦ ସଂଖ୍ୟାର ୨୨ ଭାଗ ପୂରଣ କରାଗଲା। ୯୪୧ ଜଣ ନୂଆ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ବିଭାଗକୁ ସୁଦୃଢ କରିବ ଏବଂ ବିଭାଗ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପାଇଁ ଅଧିକ ସକ୍ଷମ ହେବ। ଗୃହ ବିଭାଗରେ ଖାଲିଥିବା ପଦ ଓ ନୂଆ ପଦ ମିଶି ପ୍ରାୟ ୧୦,୦୦୦ ପଦ ଖୁବ୍ ଶୀଘ୍ର ପୂରଣ ହେବ। ୨୦୨୦ ଠାରୁ ଗୃହରକ୍ଷୀ ନିଯୁକ୍ତି ବନ୍ଦ ଅଛି। ଏବେ ପ୍ରାୟ ୨୪୧୬ଟି ପଦ ଖାଲି ଅଛି। ଖୁବ୍ ଶୀଘ୍ର ଏ ଗୁଡିକ ମଧ୍ୟ ପୂରଣ ହେବ। ଆଗାମୀ ୫ ବର୍ଷ ମଧ୍ୟରେ ଆମ ସରକାର ୧.୫ ଲକ୍ଷ ସରକାରୀ ପଦ ପୂରଣ କରିବା ପାଇଁ ସ୍ଥିର କରିଛନ୍ତି ବୋଲି କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ୩୪୬ଟି ଦମକଳ କେନ୍ଦ୍ର ଅଛି। ଅଗ୍ନିଶମ ବାହିନୀକୁ ସୁଦୃଢ କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୩୯୪ କୋଟି ଟଙ୍କା ଏବଂ ପଞ୍ଚଦଶ ଅର୍ଥ କମିଶନରୁ ୨୦୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଅଗ୍ନିଶମ ବାହିନୀକୁ ଅଧିକ ସକ୍ଷମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ସହରାଞ୍ଚଳରେ ସୁରକ୍ଷା ପାଇଁ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣରେ ଥିବା ନିୟମରେ ସଂଶୋଧନ ଆବଶ୍ୟକତା ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ ଯେ, ଆମ ରାଜ୍ୟରେ ପୁଲିସ ଅପେକ୍ଷା ଅଗ୍ନିଶମ ଯୋଦ୍ଧାଙ୍କ ଉପରେ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ରହିଛି। ଏହି ବାହିନୀରେ ଝିଅମାନଙ୍କୁ ସୁଯୋଗ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ। ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆପଣମାନେ ବିପନ୍ନଙ୍କ ପାଇଁ ସାଜିଥାନ୍ତି ଦେବଦୂତ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ବାତ୍ୟା ପରବର୍ତ୍ତୀ ସମୟରେ ସର୍ବାଧିକ ପୁନରୁଦ୍ଧାର କାର୍ଯ୍ୟ ଅଗ୍ନିଶମ ବାହିନୀ ଦ୍ୱାରା କରାଯାଇଥାଏ। କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.