କୋଲାରୋଭ୍‍ଙ୍କ ଗୋଲ୍‍ରେ ଜିତିଲା ସର୍ବିୟା

0

prayash

ସାମାରା: ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ରବିବାର ଗ୍ରୁପ୍‍ ‘ଇ’ର ଏକ ମ୍ୟାଚ୍‍ରେ କୋଷ୍ଟାରିକାକୁ ଏକମାତ୍ର ଗୋଲ୍‍ରେ ପରାସ୍ତ କରିଛି ୟୁରୋପୀୟ ଦେଶ ସର୍ବିୟା। ମ୍ୟାଚ୍‍ରେ ସର୍ବିୟା ପ୍ରାଧାନ୍ୟ ବିସ୍ତାରକରି ଖେଳିଥିବା ବେଳେ କୋଷ୍ଟାରିକା ମଧ୍ୟ କିଛି ଗୋଲ୍‍ଦେବାର ସୁଯୋଗ ସୃଷ୍ଟି କରିଥିଲା। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ଭାବେ ଶେଷହେବା ପରେ ଦ୍ୱିତୀୟାର୍ଦ୍ଧରେ ସର୍ବିୟାର ଅଧିନାୟକ ଆଲେକ୍‍ଜାଣ୍ଡର କୋଲାରୋଭ୍‍ ଗୋଲ୍‍ ଦେଇଥିଲେ।
ପ୍ରଥମ ମିନିଟରେ କୋଷ୍ଟାରିକା ଅଳ୍ପକେ ଗୋଲ୍‍ବରଣ କରିବାରୁ ବଞ୍ଚି ଯାଇଥିଲା ଏବଂ କୋଷ୍ଟାରିକା ଡିଫେଣ୍ଡର ଗୋଲ୍‍ ଲାଇନ୍‍ରୁ ବଲ୍‍ କ୍ଲିଅର କରି ଦେଇଥିଲେ। ତେବେ ୩ୟ ମିନିଟରେ ଏହାର ଜବାବ ଦେଇଥିଲା କୋଷ୍ଟାରିକା। ଜିଆନ୍‍କାର୍ଲୋ ଗୋଞ୍ଜାଲେଜ୍‍ ସିଧା ସର୍ବିୟା ଗୋଲ୍‍ରକ୍ଷକଙ୍କ ହାତକୁ ହେଡ୍‍ କରିଥିଲେ। ୧୨ ମିନିଟରେ ଗୋଞ୍ଜାଲେଜ୍‍ଙ୍କ ଆଉ ଏକ ହେଡର ସର୍ବିୟା ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୧୩ ମିନିଟରେ ସର୍ବିୟାର ମିଟ୍ରୋଭିଚ୍‍ଙ୍କ ସଟ୍‍ କୋଷ୍ଟାରିକା ଗୋଲ୍‍ରକ୍ଷକଙ୍କ ହାତକୁ ଯାଇଥିଲା। ୨୮ ମିିନିଟରେ ସର୍ବିୟାର ଦୁସାନ୍‍ ତାଡିଚ୍‍ ଏକ ଜୋରଦାର ସଟ୍‍ ମାରିଥିଲେ; ଯାହାକୁ ବାମପଟକୁ ଡାଇଭ୍‍ମାରି କୋଷ୍ଟାରିକା ଗୋଲ୍‍ରକ୍ଷକ ରୋକି ଦେଇଥିଲେ। ୩୯ ମିିନିଟରେ କୋଷ୍ଟାରିକା ଷ୍ଟ୍ରାଇକର ମାର୍କସ ୟୁରିନା ଏକ ଜୋରଦାର ସଟ୍‍ ମାରିଥିଲେ ହେଁ ଏହା ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୪୩ ମିନିଟରେ କୋଷ୍ଟାରିକାର ପ୍ରାନ୍‍ସିସ୍କୋ କାଲ୍‍ଭୋ ଅତି ପାଖରୁ ସର୍ବିୟା ଗୋଲ୍‍ପୋଷ୍ଟ ଉପରକୁ ସଟ୍‍ ମାରିଥିଲେ ହେଁ ଏହା ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ଏହିପରି ପ୍ରଥାମାର୍ଦ୍ଧ ଗୋଲ୍‍ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ ପ୍ରଥମାର୍ଦ୍ଧରେ ସର୍ବିୟା ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା ଏବଂ ଏକାଧିକ ଗୋଲ୍‍ଦେବାର ସୁଯୋଗ ସୃଷ୍ଟି କରିଥିଲା। ହେଲେ ଆମେରିକୀୟ ଦେଶ କୋଷ୍ଟାରିକା ବହୁ ପରିଶ୍ରମ କରି ନିଜ ଦୁର୍ଗ ରକ୍ଷା କରି ପାରିଥିଲେ। ୫୧ ମିନିଟରେ ସର୍ବିୟା ଏକ ସଂଘବଦ୍ଧ ଆକ୍ରମଣ କରିଥିଲା। ଆଲେକ୍‍ଜାଣ୍ଡର ମିଟ୍ରୋଭିଚ୍‍ଙ୍କ ସଟ୍‍କୁ କୋଷ୍ଟାରିକା ଗୋଲ୍‍ରକ୍ଷକ କେଲର୍‍ ନାଭାସ୍‍ ରୋକି ଦେଇଥିଲେ। ମ୍ୟାଚ୍‍ରେ ସର୍ବିୟାର ନେମାନ୍ୟା ମାଟିକ୍‍ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‍ରେ କୋଷ୍ଟାରିକା ଗୋଲ୍‍ରକ୍ଷକ କେଲର ନାଭାସ୍‍ ଚମତ୍କାର ପ୍ରଦର୍ଶନ କରି କିଛି ନିଶ୍ଚିତ ଗୋଲ୍‍ ଅଟକାଇ ଦେଇଥିଲେ। ତେବେ ୫୬ ମିନିଟରେ ମ୍ୟାଚ୍‍ରେ ପ୍ରଥମଥର ପାଇଁ କୋଷ୍ଟାରିକା ଗୋଲ୍‍ରକ୍ଷକ କେଲର ନାଭାସ୍‍ ପରାସ୍ତ ହୋଇଥିଲେ। ପେନାଲ୍‍ଟି ଏରିଆର ଯଥେଷ୍ଟ ବାହାରୁ ସର୍ବିୟାକୁ ଏକ ଫ୍ରିକିକ୍‍ ମିଳିଥିଲା। ଏଥିରୁ ଜୋର୍‍ଦାର ଓ ବୁଦ୍ଧିମାନଭରା ସଟ୍‍ମାରି ସର୍ବିୟା ଅଧିନାୟକ ଆଲେକ୍‍ଜାଣ୍ଡର କୋଲାରୋଭ୍‍ ଗୋଲ୍‍ ଦେଇଥିଲେ। ଏହି ଗୋଲ୍‍ ଚଳିତ ବିଶ୍ୱକପ୍‍ରେ ଅନ୍ୟତମ ଦର୍ଶନୀୟ ଗୋଲ୍‍ ମଧ୍ୟରେ ପରିଗଣିତ ହେବ। ଏହି ଗୋଲ୍‍ ପରେ କୋଷ୍ଟାରିକା ଦଳ ଅଧିକ ଆକ୍ରମଣ କରିଥିଲା ଏବଂ ଗୋଲ୍‍ ସୁଝାଇବାର ସମସ୍ତ ପ୍ରୟାସ କରିଥିଲା। ତେବେ ସର୍ବିୟାର ରକ୍ଷାପନ୍ଥୀ ପ୍ରାଚୀର ପରି ଦୃଢ଼ ରହିଥିଲା ଏବଂ ମ୍ୟାଚ୍‍କୁ ଫେରିବାକୁ ସେମାନେ କୋଷ୍ଟାରିକାକୁ କୌଣସି ସୁଯୋଗ ଦେଇନଥିଲେ।

Leave A Reply