ଫକିରମୋହନଙ୍କୁ ଚିଠିଟିଏ
ସିଦ୍ଧାର୍ଥ କାନୁନ୍ଗୋ
ପରମ ପୂଜନୀୟ ଫକିରମୋହନ!
ଅନ୍ତରର ଭକ୍ତିଭରା ପ୍ରଣାମ ଗ୍ରହଣ କରିବାକୁ ସବିନୟ ନିବେଦନ। ମନର ଭାଷାକୁ ବ୍ୟକ୍ତ କରିବାପାଇଁ ସାର୍ବଜନୀନ ଚିଠିଟିଏ ଲେଖୁଛି। ବର୍ତ୍ତମାନ ଚିଠି ଲେଖିବାକୁ ସମୟ କାହିଁ? ଏସଏମ୍ଏସ/ଇ-ମେଲ୍ର ଯୁଗ। ବାର୍ତ୍ତାଟିଏ ଦେଇଦେଲେ କଥା ସରିଲା। ଗ୍ରାହକ ଜାଣିଲା, ପ୍ରେରକ ବି ଜାଣିଲା। ଆପଣଙ୍କର ଆତ୍ମା ବିଶ୍ବବ୍ରହ୍ମାଣ୍ଡର ଯେଉଁ ଲୋକରେ କିମ୍ବା ଅନ୍ତରୀକ୍ଷରେ ଯେଉଁ କୋଣରେ ଥିଲେ ମଧ୍ୟ ଧ୍ରୁବତାରା ସଦୃଶ ଆପଣ ଏହି ଜାତିକୁ ଆଶୀର୍ବାଦ ଓ ପଥ ପଦର୍ଶନ କରୁଥିଲେ; ଏ ବିଶ୍ବାସ ଆମର ଅଛି। ଆପଣଙ୍କ ଠିକଣା ତ ଜଣାନାହିଁ। ବିଶ୍ବପତିଙ୍କ ମାର୍ଫତରେ ଏ ଚିଠିଟି ଆପଣଙ୍କ ପାଖକୁ ପଠାଇଲୁ।
ଆପଣ ଉଭୟ ଚିଠି ଲେଖିବାକୁ ଓ ପଢ଼ିବାକୁ ଭଲ ପାଉଥିଲେ। ସେଥିପାଇଁ ଚିଠି ଲେଖିବାକୁ ପ୍ରୟାସ କଲି। ନିକଟ ଅତୀତରେ ଆପଣଙ୍କର ତିନିଟି ଦୁଷ୍ପ୍ରାପ୍ୟ ଚିଠି ଆମର ଦୃଷ୍ଟିଗୋଚର ହେଲା। ତା୨୫.୮.୧୯୦୨ ରିଖରେ ରମ୍ଭାରୁ ପୁରୀର ତତ୍କାଳୀନ ଡେପୁଟି ସ୍କୁଲ ଇନ୍ସପେକ୍ଟର ଚନ୍ଦ୍ରମୋହନ ମହାରଣାଙ୍କୁ ଲେଖିଥିବା ଚିଠି ଏକ ସ୍ମୃତିଚେତକ ବା ରିମାଇଣ୍ଡର ଥିଲା। ଶ୍ରୀଧର ସ୍ବାମୀ ରେମୁଣାବାସୀ ଥିଲେ ବୋଲି ଚନ୍ଦ୍ରମୋହନଙ୍କଠାରୁ ଜାଣିବାପରେ ସେ ବିଷୟରେ ଅଧିକ ଜିଜ୍ଞାସା କରି ଲେଖିଥିବା ଚିଠିର ପ୍ରତ୍ୟୁତ୍ତର ନପାଇବା ଯୋଗୁଁ ଆପଣ ଏହି ଚିଠିଟି ଲେଖିଥିଲେ। ଦ୍ବିତୀୟ ଚିଠି ଆପଣ ଓଡ଼ିଆ ପରିବର୍ତ୍ତେ ଇଂରାଜୀରେ ନିଜର ଜଣେ ହିନ୍ଦୀଭାଷୀ ସାହିତ୍ୟିକ ବନ୍ଧୁ ଲୋଚନ ପ୍ରସାଦ ପାଣ୍ଡେଙ୍କୁ ବାଲେଶ୍ବରରୁ ତା୩୧.୧.୧୯୧୦ରିଖରେ ଲେଖିଛନ୍ତି ଲୋଚନ ପ୍ରସାଦ ଉଭୟ ହିନ୍ଦୀ ଓ ଓଡ଼ିଆରେ କବିତା ଲେଖୁଥିଲେ। ହିନ୍ଦୀ ଆଜି ଭାରତର ରାଷ୍ଟ୍ରଭାଷା। ପ୍ରାୟ ୧୦୦ ବର୍ଷ ପୂର୍ବେ ଆପଣ ଏହି ଚିଠିରେ ଲେଖିଥିଲେ ଯେ ହିନ୍ଦୀ ଭାରତର ସାଧାରଣ ଭାଷା ହେବା ଉଚିତ୍। ହିନ୍ଦୀ ଭାଷାରେ ଚିଠିପତ୍ର ଲେଖିବାକୁ ତଥା ଉଭୟ ହିନ୍ଦୀ ଓ ଓଡ଼ିଆରେ କବିତା ଲେଖିବାକୁ ଆପଣ ଲୋଚନ ପ୍ରସାଦ ପାଣ୍ଡେଙ୍କୁ ପ୍ରେରଣା ଦେଇଥିଲେ। ଲୋଚନ ପ୍ରସାଦ ପାଣ୍ଡେଙ୍କ ଭାଇ ଆପଣଙ୍କ ଉପନ୍ୟାସଗୁଡ଼ିକୁ ହିନ୍ଦୀରେ ଅନୁବାଦ କରିଥିଲେ। ସେହିପରି ତୃତୀୟ ଚିଠି ଆପଣ ମୃତ୍ୟୁର ଅଳ୍ପଦିନ ପୂର୍ବରୁ ତା୩.୪.୧୯୧୮ ରିଖରେ ବାଲେଶ୍ବରରୁ ୧୩ଖଣ୍ଡ ପୁସ୍ତକ ରଚୟିତା ନାରାୟଣପୁର, ଭଦ୍ରକର ଶିକ୍ଷକ ଫକିର ଚରଣ ରାଉତଙ୍କୁ ଲେଖିଥିଲେ। ଏହି ଚିଠିଟି ଅତ୍ୟନ୍ତ ପ୍ରେରଣାଦାୟକ ଥିଲାବୋଲି ମନେହୁଏ।
ଓଡ଼ିଆ ସାହିତ୍ୟ ଜଗତରେ ଆପଣ ସଂକ୍ରାନ୍ତି ପୁରୁଷଭାବେ ପରିଚିତ। ଜନ୍ମ ୧୮୪୩ ମସିହା ମକର ସଂକ୍ରାନ୍ତି, ଶୁକ୍ରବାର ଓ ମୃତ୍ୟୁ ୧୯୧୮ ମସିହା, ମିଥୁନ ସଂକ୍ରାନ୍ତି, ଶୁକ୍ରବାର। ସାଧାରଣ ଅର୍ଥରେ ଆପଣ ଥିଲେ ଦରପାଠୁଆ। କିନ୍ତୁ ନିଜ ବ୍ୟକ୍ତିଗତ ଉଦ୍ୟମରେ ଆପଣ ଓଡ଼ିଆ, ପାର୍ଶୀ, ବଙ୍ଗଳା, ହିନ୍ଦୀ, ଇଂରାଜୀ ଓ ତେଲଗୁ ଭାଷାରେ ପାରଦର୍ଶିତା ଲାଭ କରିଥିଲେ ଏବଂ ପାଇଥିଲେ ଜନ୍ ବୀମ୍ସ ଓ ରେଭେନ୍ସା ସାହେବଙ୍କ ପରି ଗୁଣୀ ଜ୍ଞାନୀ ଲୋକଙ୍କର ସାନ୍ନିଧ୍ୟ।
ଆପଣ ଥିଲେ ଦରଦୀ, ମୂକ ଜନତାର ପ୍ରକୃତ ମୁଖପାତ୍ର। ଆପଣଙ୍କ ଭାଷା ଥିଲା ସାଧାରଣ ଜନତାର ଭାଷା। ଆପଣଙ୍କ ଭାବ ଥିଲା ଜଗତର ଅନ୍ତର୍ନିହିତ ଭାବ। ସେଦିନ ଆପଣଙ୍କ ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସ ଉପରେ ମତବ୍ୟକ୍ତ କରି ଅତି ସରଳ ଓ ଭାଗଗର୍ଭକ ଉକ୍ତି ମାଧ୍ୟମରେ ସବୁଜ ଯୁଗର ପ୍ରଖ୍ୟାତ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଯେଉଁ କଥା କହିଥିଲେ, ତାହା ଆଜି ମଧ୍ୟ ପ୍ରଣିଧାନଯୋଗ୍ୟ- ‘ଅଳ୍ପ କେତେକ ପୃଷ୍ଠାର ଏହି କ୍ଷୁଦ୍ର ଉପନ୍ୟାସଟି ଅଣୁବୀକ୍ଷଣ ଯନ୍ତ୍ର ଭଳି ଆମ ସମାଜର ସମୂହ ରୂପକୁ ଧାରଣ କରିଛି ବୋଲି ମନେହୁଏ। ’ ଏ କଥା ସର୍ବଜନବିଦିତ ଯେ ଆପଣ ହିଁ ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଐତିହାସିକ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ଅଣ୍ଟାଭିଡ଼ି ବାହାରିଥିଲେ। ସେଥିପାଇଁ ପ୍ରତିପକ୍ଷ ବଙ୍ଗାଳୀମାନେ ଆପଣଙ୍କୁ ‘ଶାଲା ରିଂ ଲିଡର’ ବୋଲି ଡାକୁଥିଲେ। କାରଣ ସେମାନେ ଆପଣଙ୍କ ନାମ ସୁଦ୍ଧା ଧରିବାକୁ କୁଣ୍ଠାବୋଧ କରୁଥିଲେ। ଆଜି ଏକବିଂଶ ଶତାବ୍ଦୀରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନଙ୍କୁ ପଢ଼ାଇବାକୁ ଅଭିଭାବକମାନଙ୍କର ଆଗ୍ରହ ଏବଂ ସେମାନଙ୍କ ପିଲାମାନେ ଘୋଷିକରି ଇଂରାଜୀ ରାଇମ୍ ବୋଲିଲେ ଅଭିଭାବକମାନେ କୃତକୃତ୍ୟ ହୋଇଯାଆନ୍ତି। ଏହାତ ଆମର ଅଭିଜ୍ଞତାର କଥା। ଆପଣ ମର୍ମେମର୍ମେ ଅନୁଭବ କରୁଥିଲେ ଯେ ଜାତିର ମାନସିକ ଅଭିବୃଦ୍ଧି ଘଟେ ତା’ର ଭାଷା ସାହିତ୍ୟର ଉନ୍ନତିରେ। ସେଥିପାଇଁ ଆପଣ ଲେଖିଥିଲେ-
‘ପଢ଼ିଲି ନାନା ଦେଶ ଭାଷା, କାହିଁକି ତ ପୂରିଲା ଆଶା/ ହେଉ ପଛକେ ସେ ନିକୃଷ୍ଟ, ମୋ’ ମାତୃଭାଷା ମୋତେ ଶ୍ରେଷ୍ଠ/ ଦେଖିଲି ଦୁଇ ବହୁ ଦୂର, କାଞ୍ଚି, କାମାକ୍ଷା, କାନପୁର/ ପାଇଲି ନାହିଁ ଘୂରିଘୂରି ମୋ’ ମାତୃଭାଷାର ମାଧୁରୀ।’
ଆପଣଙ୍କ ସମ୍ପର୍କରେ ବହୁତ କିଛି କହିବାର ଅଛି କିନ୍ତୁ ସଂକ୍ଷେପରେ କହିବାକୁ ଗଲେ ଜଗନ୍ନାଥ ଦାସ ଭାଗବତ ରଚନା କରିବାର ୫ଶହ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହାର ଲୋକପ୍ରିୟତା ଆଜିପର୍ଯ୍ୟନ୍ତ ଅକ୍ଷୁଣ୍ଣ ଅଛି। ସେହିପରି ପ୍ରାୟ ଶହେ ପଚାଶ ବର୍ଷ ତଳେ ଓଡ଼ିଆ ଜାତିକୁ ଉତ୍ତମ ରୂପେ ଚିହ୍ନି ନିଜ ଗଳ୍ପ, ଉପନ୍ୟାସ ଏବଂ କବିତା ମାଧ୍ୟମରେ ଚିହ୍ନାଇ ଯାଇଥିବା ଚରିତ୍ରଗୁଡ଼ିକ ଆଜି ମଧ୍ୟ ସମାଜରେ ଆତଯାତ ହେଉଛନ୍ତି। ସେ ହୋଇପାରନ୍ତି ଧୂଳିଆ ବାବା ବା ତାଙ୍କର ନୂତନ ସଂସ୍କରଣ ଭାବେ ସାରଥି ବାବା, ସୁରବାବା କିମ୍ବା ଆଶାରାମ ବାପୁ। ସେହିପରି ଅସଂଖ୍ୟ ସାରିଆ ଓ ଭଗିଆ ସ୍ବାଧୀନତାର ସତୁରି ବର୍ଷ ପରେ ମଧ୍ୟ ନିର୍ଯାତିତ। ଦୁଃଶ୍ଚରିତ୍ରା ଚମ୍ପାର ଏ ସମାଜରେ ଅଭାବ ନାହିଁ। ସରକାରୀ ଦପ୍ତରରେ ନାଜର ନଟବର ଦାସ ଭଳି ଅସଂଖ୍ୟ ଲାଞ୍ଚୁଆ କର୍ମଚାରୀ ବଡ଼ଠାରୁ ଛୋଟ ପର୍ଯ୍ୟନ୍ତ ଘୂରି ବୁଲୁଛନ୍ତି। ପୁଣି ଗୋପାଳ ବା ସଭ୍ୟ ଜମିଦାର ରାଜିବ ଲୋଚନଙ୍କ ଭଳି ପୁଅମାନଙ୍କ ଦ୍ବାରା ପିତାମାତାଙ୍କର ଦୁଃଖଦୁର୍ଦ୍ଦଶା ବଢ଼ିଚାଲିଛି। ମଦ୍ୟପ ଓ ଲମ୍ପଟ ଚନ୍ଦ୍ରମଣିଙ୍କ ପରି ଦାମ୍ପତ୍ୟ ଜୀବନ ତାସର ଘର ପରି ଭୁଶୁଡ଼ି ଯାଉଛି।
ଆପଣ ହେଉଛନ୍ତି ଓଡ଼ିଶାର ଆଦି ଗଳ୍ପ ଲେଖକ! କିନ୍ତୁ ଆଦୌ ଆଦିମ ନୁହନ୍ତି। ଆପଣଙ୍କ ସମୟରୁ ଅଦ୍ୟାବଧି ଅନେକ ଗଳ୍ପ ଓଡ଼ିଆ ସାହିତ୍ୟର ପୃଷ୍ଠା ମଣ୍ଡନ କରିଛି। ଅବଶ୍ୟ ଅନେକ ଉପାଦେୟ ଗଳ୍ପ ମଧ୍ୟ ପ୍ରକାଶ ପାଇଛି, କିନ୍ତୁ ଏସବୁ ସତ୍ତ୍ବେ ଆପଣଙ୍କର ଦୀପ୍ତିରେ ଘୋଡ଼ାଇଦେବା ଅବସ୍ଥାକୁ କେହି ଆସି ନାହାନ୍ତି। ପୁଣି ଅନେକ ତ ଆତ୍ମ ଜୀବନୀ ଲେଖୁଛନ୍ତି ବା ଲେଖିଛନ୍ତି; କିନ୍ତୁ ଆପଣଙ୍କର ଆତ୍ମଜୀବନୀ ପ୍ରଥମ ହେଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ଏହା ବର୍ତ୍ତମାନ ସୁଦ୍ଧା ଅନତିକ୍ରମଣୀୟ।
ଆମର ଏ ଚିଠି ପଢ଼ି ଅନେକ ମନେ କରିବେ ଯେ ଆମେ ହେଉଛୁ ଆପଣଙ୍କର ସ୍ତାବକ। କିନ୍ତୁ ସତକଥା କହିବାକୁ ଗଲେ ଆମେ ଭାବପ୍ରବଣ ହୋଇ ଏ କଥା କହୁନାହୁଁ। ଆପଣ େହଉଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାପ୍ରତିଷ୍ଠାତା। ଜଗନ୍ନାଥ ଦାସଙ୍କ ଭାଗବତ ପରି ଆପଣ ରଚନା କରିଯାଇଥିବା ଗଳ୍ପ, ଉପନ୍ୟାସର ଭାଷା ଷ୍ଟାଣ୍ଡାର୍ଡ ଭାଷାରୂପେ ଏବେ ମଧ୍ୟ ପରିଗଣିତ। ଆପଣ ଆମର ଚିର ନମସ୍ୟ।
ଇତି,
ଆପଣଙ୍କର ଗୁଣମୁଗ୍ଧ ଜଣେ ସାଧାରଣ ପାଠକ
ଚୈତନ୍ୟ ଧାମ, ପ୍ଲଟ ନଂ-୨୦୮୪, ଶବର ସାହି, ଭୁବନେଶ୍ବର