ସୌନ୍ଦର୍ଯ୍ୟ ବୃଦ୍ଧିର ମହୌଷଧି ‘ବାମ୍ଫୁଆଣି’
ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବା ସହ ପ୍ରସାଧନ ସାମଗ୍ରୀର ବହୁଳ ବ୍ୟବହାର କରିଥାନ୍ତି। ତେବେ ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀରେ ମିଶ୍ରିତ ବିଷାକ୍ତ ରାସାୟନିକ ଦ୍ରବ୍ୟ ତ୍ୱଚା ପ୍ରତି କ୍ଷତିକାରକ ସାଜୁଛି। କେତେକ କ୍ଷେତ୍ରରେ ତ୍ୱଚା ନଷ୍ଟ ହୋଇଯାଉଛି ଓ ମୁଖ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଉଛି। ତ୍ୱଚାକୁ ସୁନ୍ଦର କରିବାର ପ୍ରତିଶ୍ରୁତିରେ ଲୋକେ ପ୍ରଲୋଭିତ ନହୋଇ ଦେଶୀ ଉପଚାର ଆପଣାଇଲେ ଏହାର ସୁଫଳପାଇପାରିବେ ବୋଲି ତ୍ୱଚା ଚିକିତ୍ସକମାନେ ମତବ୍ୟକ୍ତ କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଘରୋଇ ଉପାୟ ଆପଣେଇବା ଦ୍ୱାରା ତ୍ୱଚା ଉପରେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ପଡିନଥାଏ। ଏହା ଦ୍ୱାରା ତ୍ୱଚାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ନଥାଏ, ତତ୍ସହିତ ତ୍ୱଚାକୁ ଭରପୁର ପୋଷଣ ମିଳିଥାଏ। ଘରୋଇ ଉପଚାର ତ୍ୱଚାର ପ୍ରକାର ଅନୁସାରେହିଁ ଆପଣେଇବା ଆବଶ୍ୟକ। ଏକ୍ଷେତ୍ରରେ ବାମ୍ଫୁଆଣି (ଫେସ୍ ଷ୍ଟିମ୍) ସବୁଠାରୁ ଆଗରେ ରହିଛି। ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧିରେ ମହାଔଷଧି ଭାବେ କାର୍ଯ୍ୟ କରିଥାଏ। କେବଳ ଥଣ୍ଡା ପାଇଁ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ। ବାମ୍ଫୁଆଣି ଏକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଚିକିତ୍ସା। ମୁହଁରେ ବାମ୍ଫ ନେବା ଦ୍ୱାରା ଆକର୍ଷଣୀୟ ଚମକ ମିଳିବା ସହ ମୁହଁ ତାଜା ହୋଇଥାଏ। ଏଥିପାଇଁ ସବୁଠୁ ଜରୁରୀ ହେଉଛି ବାମ୍ଫ ନେବାର ସଠିକ ପ୍ରଣାଳୀ ଜାଣିବା। ବାମ୍ଫ ନେବା ପାଇଁ ଏକ ବଡ଼ ପାତ୍ର ବା ବାଲ୍ଟିରେ ଗରମ ପାଣି ନିଅନ୍ତୁ। ବାମ୍ଫ ନେବା ସମୟରେ ସମ୍ପୂର୍ଣ୍ଣ ଚେହେରାକୁ ଭଲ ଭାବେ ଢାଙ୍କି ଦିଅନ୍ତୁ। ଏହାଦ୍ୱାରା ଚେହେରାକୁ ସଠିକ ପରିମାଣର ବାମ୍ଫ ମିଳିପାରିବ।
ବାମ୍ଫ ନେବା ଦ୍ୱାରା ଏହିସବୁ ଲାଭ ମିଳିଥାଏ :
୧. ତ୍ୱଚାର ମଇଳା ସଫା ହୋଇଥାଏ। ଲୋମ କୂପ ଉନ୍ମୁକ୍ତ ହୋଇ ଭିତରର ମଇଳା ସଫା ହୋଇଥାଏ। ତ୍ୱଚାରେ ଥିବା କଳା ଦାଗ ସହଜରେ ସଫା ହୋଇ ତ୍ୱଚା ଉଜ୍ୱଳ ହୋଇଥାଏ।
୨. ବାମ୍ଫ ନେବା ଦ୍ୱାରା ମୃତକୋଷ ସହଜରେ ସଫା ହୋଇ ତ୍ୱଚାରେ ପ୍ରାକୃତିକ ଚମକ ଆସିଥାଏ।
୩. ଏହାଦ୍ୱାରା ମୁହଁର କୁଞ୍ଚନ ଓ ବ୍ରଣ କମି ଯାଇଥାଏ ଓ ହେବାର ଆଶଙ୍କା ମଧ୍ୟ କମ୍ ହୋଇଯାଇଥାଏ।
୪. ବାମ୍ଫ ଦ୍ୱାରା ଚେହେରାର ଆର୍ଦ୍ରତା ବଜାୟ ରହିଥାଏ ଯାହାଦ୍ୱାରା ତ୍ୱଚା ଶୁଷ୍କ ଓ କୋଷ ମୃତ ହେବାରୁ ରକ୍ଷା ପାଇଥାଏ।