ଯୁବଶକ୍ତି: ପ୍ରଗତି ନା ସଂକଟର ଆଧାର?

0

ବାସୁଦେବ ସାହୁ

ବିଶ୍ବର ବିଭିନ୍ନ ଦେଶର ମୋଟ ଜନସଂଖ୍ୟାର ପ୍ରତିଶତ ରୂପେ ଯୁବ ଶକ୍ତିକୁ ତୁଳନାକଲେ ଭାରତରେ ଅଂଶ ସବୁଠୁ ଅଧିକ। ଏହି ଯୁବ ଶକ୍ତି ସହର ଓ ଗ୍ରାମରେ ସଂଖ୍ୟାଧିକ ଥିବାର ଦେଖାଯାଏ। ଏତେ ସଂଖ୍ୟକ ଯୁବଶକ୍ତିକୁ ଉତ୍ତମ ରୂପେ କାର୍ଯ୍ୟରେ ନିୟୋଜିତ କରି ପାରିଲେ ଦେଶ ଦ୍ରୁତ ଗତିରେ ପ୍ରଗତି କରି ଚାଲିବ। ଅପରପକ୍ଷରେ ଏମାନେ ଆଶାନୁରୂପେ ଉତ୍ତମ ଭାବେ କର୍ମନିଯୁକ୍ତ‌ ନ ହେଲେ ​‌ ସମାଜରେ ବିଶୃଙ୍ଖଳା ଓ ରାଜନୀତିକ ସଂକଟ ସୃଷ୍ଟି କରିବେ। ଏହି ଉପଲବ୍ଧି ବର୍ତ୍ତମାନ ରାଜନେତା ଓ ପ୍ରଶାସକଙ୍କ ନିକଟରେ ଜରୁରୀ ହୋଇପଡ଼ିଛି।
ଜରୁରୀ ହେବାର କାରଣ ନିମ୍ନରେ ପ୍ରଦତ୍ତ ହେଲା: ୧- ପ୍ରଥମରେ ଆମ ଗ୍ରାମାଞ୍ଚଳରେ ପ୍ରାୟ ତିନି ଚତୁର୍ଥାଂଶ ଲୋକ ବାସ କରନ୍ତି। ସେମାନଙ୍କ ନିକଟରେ ଆଜିକାଲି ଟିଭି, ରେଡ଼ିଓ, ଖବରକାଗଜ ମାଧ୍ୟମରେ ଦେଶର ସବୁ ଘଟଣା ପହଞ୍ଚୁଛି। ତେଣୁ ଗ୍ରାମାଞ୍ଚଳର ଯୁବକମାନେ ସରକାରଙ୍କର କାର୍ଯ୍ୟାବଳୀ ସହଜରେ ଜାଣିଯାଇ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିବେ।
୨- ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ଓ ସମଗ୍ର ଦେଶରେ ୭୦ କୋଟି ଫିଚର ଫୋନ, ୧୬.୬କୋଟି ସ୍ମାର୍ଟଫୋନ ଅଛି ଯେଉଁଥିରେ ପ୍ରତ୍ୟେକ ବିଷୟରେ ଟିକିନିଖି ଖବର ମିଳିବ। ଏହାର ପ୍ରଭାବ ଅଧିକ।
୩- ତୃତୀୟରେ ରାଜନୈତିକ ଖବର ୭-୧୦ ସେକେଣ୍ଡରେ ଲୋକଙ୍କ ପାଖରେ ପହଞ୍ଚୁଛି ଯାହା ସେମାନଙ୍କ ମତକୁ ଅତି ଚଞ୍ଚଳ ପ୍ରଭାବିତ କରିପାରେ ।
୪- ଇଣ୍ଟରନେଟ୍‌ରେ ଖବର ପଠାଇବାକୁ ହେଲେ ରାଜନେତା ଓ ସରକାରଙ୍କୁ ସତର୍କ ହେବାକୁ ପଡ଼ିବ।
୫- ୧୫-୩୪ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ବେକାର ସଂଖ୍ୟା ଅଧିକ ଥାଏ। ଏମାନେ ସଚେତନ ଓ ଶିକ୍ଷିତ। ତେଣୁ ଶାସକ ଓ ରାଜନେତାମାନେ ଏମାନଙ୍କୁ କରଗତ କରିବାକୁ ଚେଷ୍ଟିତ।
୬- ଗ୍ରାମାଞ୍ଚଳରେ ୪୪ବର୍ଷରୁ ଅଧିକ ବୟସ୍କ ଲୋକ ଅନେକ ଅଛନ୍ତି। ଏମାନେ ଗ୍ରାମାଞ୍ଚଳରେ ଲୋକଙ୍କ ମତ ଗଢ଼ିବା ଓ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ନିଅନ୍ତି। ତେଣୁ ଏମାନଙ୍କୁ ପ୍ରଭାବିତ କରିବାର ଆବଶ୍ୟକତା ଅଛି। ଶାସକ ଏହା ଜାଣିବା ଦରକାର।
୭- ଅଧୁନା ଗ୍ରାମାଞ୍ଚଳର ସ୍ତ୍ରୀଲୋକମାନେ ମଧ୍ୟ ରାଜନୀତି ପ୍ରତି ସଜାଗ ହେଲେଣି। ସେମାନଙ୍କ ମତାମତ ପ୍ରତି ଶାସନକଳ ଧ୍ୟାନଦେବା ଦରକାର।
୮- ଟିଭି. ପତ୍ରପତ୍ରିକା, ରେଡ଼ିଓ ଏତେଦ୍ରୁତ ଗତିରେ ବ୍ୟାପକଭାବେ ସମ୍ବାଦ ପ୍ରଚାର କରୁଛନ୍ତି ଯେ ତା’ର ପ୍ରଭାବ କିପରି କ୍ଷିପ୍ରଗତିରେ ବ୍ୟାପୁଛି ତାହା ଶାସନକଳ ଉପଲବ୍ଧ କରିବାର ବେଳ ଆସିଛି।
୯- ସମ୍ବାଦଗୁଡ଼ିକ ସତ୍ୟ ଓ କାର୍ଯ୍ୟକାରୀ ହେଉଛି କି ନାହିଁ ଲୋକେ ବିଚାର କରୁଛନ୍ତି। କାର୍ଯ୍ୟକାରୀ ନକରି ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଲେ ଲୋକେ ବିରକ୍ତ ହେବାର ସମ୍ଭାବନା ଯଥେଷ୍ଟ। ଏଥିପ୍ରତି ସତର୍କ ହେବା ବାଞ୍ଛନୀୟ।
୧୦- ପ୍ରତ୍ୟେକ ଲୋକସଭା ଅଞ୍ଚଳରେ ପ୍ରାୟ ୧୦ଲକ୍ଷ ଭୋଟର ଥାଆନ୍ତି। ଏମାନଙ୍କୁ ପ୍ରଭାବିତ କରିବାରେ କୌଶଳ ଅର୍ଜନ କରିବାର ଆବଶ୍ୟକତା ରହିଛି। ଏ ମତ ପରିବର୍ତ୍ତନରେ ଶିକ୍ଷିତ, ସଚେତନ ଯୁବକମାନେ ଅଗ୍ରଣୀ ଭୂମିକା ନିଅନ୍ତି। ଏମାନେ ପୁଣି ବେକାର ସମସ୍ୟାର ଶିକାର। ଏପରିସ୍ଥଳେ ଏହି ଯୁବକମାନଙ୍କ ଆନୁଗତ୍ୟ ହାସଲ କରିବା ଗୁରୁତ୍ବପୂର୍ଣ୍ଣ।
ସଂକ୍ଷେପରେ ଭାରତର ୧୮-୫୬ ବର୍ଷ ବୟସର ଯୁବକ ଓ ମଧ୍ୟବୟସ୍କ ଲୋକମାନେ ଅଧିକ କର୍ମଦକ୍ଷ, ସଚେତନଶୀଳ ହୋଇଥିବାରୁ ଏମାନଙ୍କ ହୃଦୟ ଜୟ କରିବାର ଆବଶ୍ୟକତା ରହିଛି। ଏମାନେହିଁ ନୂତନ ଜ୍ଞାନ କର୍ମକୌଶଳ ହାସଲ କରିଛନ୍ତି। ଏମାନଙ୍କୁ କିପରି ସଂସ୍କାରମୂଳକ ତଥା ଗଠନମୂଳକ ଶକ୍ତିରୂପେ ବ୍ୟବହାର କରିବାକୁ ହେବ, ତାହାହିଁ ଆମ ଶାସକଙ୍କ ନିକଟରେ ବଡ଼ ଆହ୍ବାନ।
ଆହ୍ବାନ ବନାମ ମୁକାବିଲାର ସାମର୍ଥ୍ୟ- ଏ ଆହ୍ବାନର ମୁକାବିଲା କରିବାକୁ ସରକାର ତଥା ପ୍ରଶାସନ ସମର୍ଥ କି? ସାମର୍ଥ୍ୟ ତ ଶୀଘ୍ର ଆସିଯାଏନା, କିନ୍ତୁ ସତର୍କତା ଶୀଘ୍ର ଆସେ। ଅନେକ ସମୟରେ ରାଜନୈତିକ ନିଜ ଦଳର କୃତିତ୍ବରେ ଆତ୍ମହରା ହୋଇ ପରିବର୍ତ୍ତିତ ପରିସ୍ଥିତି ପ୍ରତି ସଜାଗ ହୁଅନ୍ତି ନାହିଁ। ନିର୍ବାଚନ ଯୁଦ୍ଧରେ ପରାଜୟ ଲଭିଥିବା ଦଳଗୁଡ଼ିକ ହତୋତ୍ସାହ ହୋଇ କିଛି କାଳ ଚୁପ ରୁହନ୍ତି। ନିର୍ବାଚନ ନିକଟ ହୋଇଆସିଲେ ସଜବାଜ ହୋଇ ନାଗରିକମାନଙ୍କ ମତାମତ ଶୁଣନ୍ତି ଏବଂ ଏହାକୁ ବଦଳାଇବା ପାଇଁ ସଂସ୍କାରମୂଳକ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି। ଚେଷ୍ଟା ମଧ୍ୟ ଠିକ୍‌ ପଥରେ ଯାଏନା। ଭାଷଣ ଓ ମିଥ୍ୟା ପ୍ରତିଶ୍ରୁତିରେ ସୀମିତ ରହେ। ଗଣତାନ୍ତ୍ରିକ ଶାସନରେ ଉଭୟ ଶାସକଦଳ ଓ ବିରୋଧୀଦଳ, ସଦାସର୍ବଦା ଜାଗ୍ରତରହି ସେମାନଙ୍କ କର୍ତ୍ତବ୍ୟ ନିର୍ବାହ କରିବା କଥା।
ସରକାର ବେକାର ତଥା ସମର୍ଥ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ହେଲେ ପ୍ରଥମେ ଅର୍ଥନୀତିର ଅଭିବୃଦ୍ଧିର ସୁଚିନ୍ତିତ ଯୋଜନା କରି ଆବଶ୍ୟକ ଜ୍ଞାନକୌଶଳପ୍ରାପ୍ତ ଯୁବଗୋଷ୍ଠୀ ଗଢ଼ିବାକୁ ଚେଷ୍ଟିତ ହେବା ଉଚିତ। ବିରୋଧୀଦଳମାନେ ମଧ୍ୟ ଏ ଦିଗରେ କ’ଣ କରାଯିବା ଉଚିତ ଚିନ୍ତା କରି ଜନମତ ସୃଷ୍ଟି କରିବାକୁ ଚେଷ୍ଟିତ ହେବା ଦରକାର। ବିରୋଧୀ ଦଳ ଓ ସରକାରୀ ଦଳ କେବଳ ପରସ୍ପର ସମାଲୋଚନାରେ ମଜ୍ଜି ନ ଯାଇ ଆବଶ୍ୟକସ୍ଥଳେ ସହଯୋଗର ହାତ ବଢ଼ାଇବା ବାଞ୍ଛନୀୟ।
ଆମର ଶିକ୍ଷାପଦ୍ଧତି ଓ ଢାଞ୍ଚାକୁ ଅର୍ଥନୀତିର ଆବଶ୍ୟକତାନୁଯାୟୀ ଗଢ଼ିବାକୁ ପଡ଼ିବ। କେବଳ ଶିକ୍ଷାନୁଷ୍ଠାନ ଗଢ଼ିଦେଲେ ହେବନାହିଁ ସେଠାରେ ଗୁଣୀ ଓ ତାଲିମପ୍ରାପ୍ତ ଶିକ୍ଷକ ଥିବା ଦରକାର। ନୂତନ ଜ୍ଞାନ ସମ୍ବନ୍ଧୀୟ ବହିପତ୍ର, ପତ୍ରିକା ସୁଲଭ ମୂଲ୍ୟରେ ଏବଂ ଯଥା ସମୟରେ ମିଳିବାର ବ୍ୟବସ୍ଥା କରିବାକୁ ପଡ଼ିବ। ଯୁବକମାନଙ୍କ ମନରେ ହତାଶାଭାବ ଯେପରି ପ୍ରବେଶ ନକରେ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ପଡ଼ିବ।
କେବଳ ଉଚ୍ଚ ଆର୍ଥନୀତିକ ଅଭିବୃଦ୍ଧି ହାସଲ କଲେ ସବୁ ସମସ୍ୟାର ସମାଧାନ ହୋଇଯିବନି। ଅର୍ଥନୖତିକ ପ୍ରଗତି ସହ, ଦାରିଦ୍ର୍ୟ ବିମୋଚନ, ଅସମାନତା ହ୍ରାସ ଏବଂ ଲୋକଙ୍କ ମନରେ ବିଶେଷତଃ ଯୁବପ୍ରାଣରେ ଆଶାବାଦ ସୃଷ୍ଟି କରିବାକୁ ପଡ଼ିବ। ଏ ଚେଷ୍ଟା ସଫଳ ହେବ ଯେବେ ରାଜନେତା, କର୍ମୀ ଓ ପ୍ରଶାସକମାନେ ଦୁର୍ନୀତିରୁ ଦୂରରେ ରହି ଆଶାବାଦୀ ଭାବେ ନିଜର କର୍ତ୍ତବ୍ୟ କରିଯିବେ।
ଯୁବଶକ୍ତି ସମ୍ବଳ ନା ଆଗ୍ନେୟଗିରି?
୧- ଯୁବଶକ୍ତି ସମ୍ବଳ ପରିବର୍ତ୍ତେ ଆଗ୍ନେୟଗିରି ହେବାର କାରଣ ସମସ୍ତେ ଉପଯୁକ୍ତ ଶିକ୍ଷା ପାଉନାହାନ୍ତି। ମାନବସମ୍ବଳ ବିକାଶ ବିଭାଗର ୨୦୧୩-୧୪ ତଥ୍ୟାନୁଯାୟୀ ସେ ବର୍ଷ ପ୍ରାଥମିକ ସ୍କୁଲରେ ୯୯.୩ ପ୍ରତିଶତ ପିଲା ନାମ ଲେଖାଇଥିଲେ। ମାତ୍ର ଉଚ୍ଚ ମାଧ୍ୟମିକ ସ୍କୁଲରେ ମାତ୍ର ୪୯ ପ୍ରତିଶତ ଉପଯୁକ୍ତ ବୟସର ପିଲା ନାମ ଲେଖାଇଥିଲେ। ପାଠପଢ଼ା ଅଧାରୁ ଛାଡ଼ିଦେବା ପିଲାଙ୍କ ହାର ଦୁଃଖଦାୟକ।
୨- ଏହା ସହିତ ଆମ ଶିକ୍ଷାର ମାନ ମଧ୍ୟ ଅତି ନିମ୍ନରେ। ଏ.ଏସ.ଇ.ଆଇର ୨୦୧୬ର ସର୍ଭେ ଅନୁଯାୟୀ ୩ୟ ଶ୍ରେଣୀର ୪୨.୫ ପ୍ରତିଶତ ଛାତ୍ର ପ୍ରଥମ ଶ୍ରେଣୀର ବହି ପଢ଼ିପାରି ନଥିଲେ। ତୃତୀୟଶ୍ରେଣୀର ମାତ୍ର ୨୮ ପ୍ରତିଶତ ଛାତ୍ର ୨ ଅଙ୍କ ବିଶିଷ୍ଟ ଫେଡ଼ାଣ କରିପାରିଥିଲେ। ଗ୍ରାମାଞ୍ଚଳର ଉଚ୍ଚ ପ୍ରାଥମିକ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ମଧ୍ୟରେ ତିନିଅଙ୍କ ବିଶିଷ୍ଟ ସଂଖ୍ୟାକୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଦ୍ବାରା ଭାଗକରି ପାରୁଥିବା ଛାତ୍ର ୨୦୧୦ରେ ୬୮.୪ ପ୍ରତିଶତ ଥିଲାବେଳେ ୨୦୧୬ରେ ୪୩.୩ ପ୍ରତିଶତ ଥିଲା। ସହରାଞ୍ଚଳରେ ୩ବର୍ଷ ବେଳକୁ ପ୍ରାରମ୍ଭିକ ଶିକ୍ଷା ପିଲାଏ ପାଉଥିବାବେଳେ ଗ୍ରାମାଞ୍ଚଳରେ ୫ ବର୍ଷବେଳେ ପାଠପଢ଼ା ଆରମ୍ଭ କରୁଛନ୍ତି।
୬୦ ପିଲାଥିବା ଶ୍ରେଣୀ ସଂଖ୍ୟା ଦ୍ରୁତ ବଢ଼ିଛି। ଏତେ ପିଲାଙ୍କୁ ଗୋଟିଏ ଶ୍ରେଣୀରେ ପଢ଼ାଇପାରୁଥିବା ଶିକ୍ଷକ ଅଭାବ। ୪୯ ପ୍ରତିଶତ ପିଲା ମାଧ୍ୟମିକ ସ୍କୁଲରେ ଥିଲେ, ସେଥିମଧ୍ୟରେ ମାତ୍ର ୨୪.୫ ପ୍ରତିଶତ ୧୮-୨୩ ବର୍ଷ ବୟସର ପିଲା ଡିଗ୍ରୀ କଲେଜରେ ନାମ ଲେଖାନ୍ତି। ୨୦୧୫-୧୬ର ଭାରତୀୟ ସର୍ଭେ ଅନୁସାରେ ଉଚ୍ଚଶିକ୍ଷାରେ ନାମଲେଖା ବାଳକ ୨୫.୪ ପ୍ରତିଶତ ଏବଂ ବାଳିକା ୨୩-୫ ପ୍ରତିଶତ।
ଯେଉଁମାନେ ହାଇସ୍କୁଲ ପରେ କଲେଜରେ ପଢ଼ନ୍ତି ନାହିଁ ସେମାନେ କ’ଣ କରନ୍ତି? କେତେକ ପଲିଟେକନିକ୍‌ ପଢ଼ୁଥିବେ, କିନ୍ତୁ ଆମଦେଶରେ ୟୁ.ଆର.ରାଓଙ୍କ ମତାନୁସାରେ ଯଥେଷ୍ଟ ପଲିଟେକନିକ୍‌ ଅନୁଷ୍ଠାନ ନାହିଁ। ୨୦୧୬ରେ ମାତ୍ର ୫୦୦ଟି ଏଆଇସିଟିଇ ଅନୁମୋଦିତ ପଲିଟେକ୍‌ନିକ୍‌ ଥିଲା। ୩୩୪୫ଟି ଇଞ୍ଜିନିୟରିଂ କଲେଜ ଥିଲା। ବିପରୀତ ହେବାକଥା। ମେଟ୍ରିକ ପାସ୍‌ ପିଲାଙ୍କ ଭିତରୁ ମାତ୍ର ୧ ପ୍ରତିଶତ ପଲିଟେକନିକ ପଢ଼ନ୍ତି। ଅନ୍ୟମାନେ କୌଳିକ ବୃତ୍ତି ବା କୃଷିକାମ କରନ୍ତି। କୃଷି ଶ୍ରମିକ ଅନୁପାତ କମିକମି ଯାଉଛି। ୧୯୯୧ରେ ଥିଲେ ୬୭%, ୨୦୦୧ରେ ୫୮.୪%, ୨୦୧୧ରେ ୫୪%।
କାମ ନ ପାଇ ଗ୍ରାମରୁ ସହରକୁ ଅନେକ ଯୁବକ ଆସନ୍ତି। ଏଠାରେ କାମ ନ ପାଇ କେତେକ ଚୋରି ଡକାୟତି କରନ୍ତି। ସହର ସମସ୍ୟା ବଢ଼େ। ଉଚ୍ଚ ପ୍ରାଥମିକରୁ ଅଧିକ ଶିକ୍ଷା ନଥିବା ଅଧେ ଯୁବକଙ୍କ ଅବସ୍ଥା ଏୟା। ଚୀନରେ ୧୯୭୦ ଓ ୮୦ରେ ଏହି ଅବସ୍ଥା ଥିଲା। ଚୀନ ଟେକନିକାଲ ଶିକ୍ଷା ପ୍ରସାର କରି ଛୋଟ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ବସାଇ ସମସ୍ୟାର ସନ୍ତୋଷଜନକ ସମାଧାନ କରିଛି। ଆମ ଦେଶରେ ଏହି ସମସ୍ୟାର ସମାଧାନ ହୋଇ ନ ଥିବାରୁ ଆମ ସାମାଜିକ ସଂହତି ଓ ସଂସ୍କୃତି ପ୍ରତିହତ ହେଉଛି। ବୟସ୍କ ଲୋକେ ହୀନସ୍ତା ହେଉଛନ୍ତି।
ଶେଷକଥା- ଆମର ପର୍ଯ୍ୟାପ୍ତ ଯୁବଶକ୍ତିକୁ କର୍ମନିଯୁକ୍ତି ଓ ସୁପଥଗାମୀ ନକଲେ ଦେଶରେ ଅସନ୍ତୋଷ ବ୍ୟାପିବ। ଯୁବଶକ୍ତି ପରିସଂପତ୍ତି ନହୋଇ ଅଭିଶାପ ହେବ।

Leave A Reply