ଜୀବନ-ଯୋଗ

0

ଗୁରୁବାର ପାଳିତ ହୋଇଛି ଅନ୍ତର୍ଜାତୀୟ ବିଶ୍ୱ ଯୋଗଦିବସ। ଡେରାଡୁନ୍‍ରୁ ଡବ୍ଲିନ୍‍, ସାଙ୍ଘାଇରୁ ସିକାଗୋ ଏବଂ ଜାକର୍ତ୍ତାରୁ ଜୋହାନ୍ସବର୍ଗ, ସବୁଠି ପ୍ରାତଃକାଳରେ ଦେଖିବାକୁ ମିଳିଥିଲା ଲକ୍ଷଲକ୍ଷ ଜନତାଙ୍କ ଯୋଗାଭ୍ୟାସ। ସୁସ୍ଥ ଶରୀର ଓ ନିରାମୟ ଜୀବନ ଲାଗି ଯୋଗପ୍ରତି ଯେଭଳି ଦିନକୁ ଦିନ ଆଗ୍ରହ ବଢିବାରେ ଲାଗିଛି ତାହା ଆଜି ଏକ ଅଘୋଷିତ ଜନଆନ୍ଦୋଳନରେ ପରିଣତ ହୋଇସାରିଛି। ଲୋକପ୍ରିୟ ଋଷି ପତଞ୍ଜଳିଙ୍କ ଦ୍ୱାରା ଅନୁସୃତ ଯୋଗକୁ ଭାରତ ଆଗକୁ ବଢାଇ ବିଶ୍ୱ ଦରବାରରେ ପାଲଟିଛି ବିଶ୍ୱଗୁରୁ। ଭାରତର ଏହି ପ୍ରାଚୀନ ଜୀବନଚର୍ଯ୍ୟାର ଆଚରଣଗତ ଅଭ୍ୟାସକୁ ଆଜି ସମଗ୍ର ବିଶ୍ୱବାସୀ କେବଳ ଗ୍ରହଣ ତଥା ସ୍ୱୀକାର କରିନାହାନ୍ତି; ବରଂ ଏହାକୁ ସେମାନେ ଦୈନନ୍ଦିନ କାର୍ଯ୍ୟ ନିର୍ଘଣ୍ଟରେ ସାମିଲ କରିଛନ୍ତି। ସ୍ୱତନ୍ତ୍ର ଆସନ ଜରିଆରେ ଉତ୍ତମ ସ୍ୱାସ୍ଥ୍ୟ ଓ ନୀରୋଗ ଜୀବନ ଲାଗି ଯୋଗ ପାଲଟିଛି ମହୌଷଧି। କେବଳ ଗୋଟିଏ ଦିନ ନୁହେଁ; ନିୟମିତ ଜୀବନଚର୍ଯ୍ୟାରେ ଏଥିପାଇଁ କିଛି ସମୟ ଦେବା କେବଳ ବ୍ୟକ୍ତି ସ୍ତରରେ ନୁହେଁ; ସାମାଜିକ ପରିବର୍ତ୍ତନରେ ଏହାର ପ୍ରଭାବକୁ କରିଛି ଅତୁଳନୀୟ। ରୋଗନାଶ କରେ ଯୋଗ। ମନକୁ ଶାନ୍ତ, ଚିତ୍ତକୁ ସ୍ଥିତପ୍ରଜ୍ଞ କରାଏ ଯୋଗ। କ୍ରୋଧଦମନ ସହ ଶରୀରରେ ଥିବା ବିଷାକ୍ତ ଟକ୍ସିନ୍‍କୁ ବାହାର କରିବାରେ ଯୋଗର ଭୂମିକାକୁ ବିଜ୍ଞାନ ବି ସ୍ୱୀକାର କରିଛି। ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିର କେବଳ ଆରୋଗ୍ୟ ନୁହେଁ; ବରଂ ତା’ର ସ୍ଥାୟୀ ପ୍ରତିକାର ଲାଗି ନିର୍ଦିଷ୍ଟ ଯୋଗାସନର ଗୁରୁତ୍ୱକୁ ଆଜିର ଦିନରେ ଡାକ୍ତରୀ ବିଜ୍ଞାନ ମଧ୍ୟ ପ୍ରମାଣପତ୍ର ଦେଇଛି।
ପଞ୍ଚତତ୍ତ୍ୱରେ ଗଢା଼ ଆମ ଶରୀର। ବାୟୁ, ଜଳ, ଅଗ୍ନି, ମାଟି ଓ ଆକାଶର ଉପାଦାନରେ ଏ ଜୀବଜଗତ ସୃଷ୍ଟି। ଜୀବନର ସମୃଦ୍ଧି ଲାଗି ଲୋଡ଼ା ସକାରାତ୍ମକ ଚିନ୍ତନ। ଏଥିଲାଗି ପ୍ରାଥମିକ ଭାବେ ଆବଶ୍ୟକ ଉନ୍ନତ ସ୍ୱାସ୍ଥ୍ୟ, ସୁସ୍ଥ ମାନସିକତା ଏବଂ ଚାପମୁକ୍ତ ଜୀବନଚର୍ଯ୍ୟା। କିଭଳି ମଣିଷ ଚାପରୁ ମୁକ୍ତ ରହି ଦୈନନ୍ଦିନ ଜୀବନକୁ ହସଖୁସିରେ କାଟିବ। ସେଥିଲାଗି ଦିଆଯାଉଛି ଫିଟ୍‍ନେସ୍‍ ମନ୍ତ୍ର। ଆଜିର ଦିନରେ ପଞ୍ଚଭୂତ ବିଷାକ୍ତ ଓ ପ୍ରଦୂଷିତ। ଜଣେ ମନୀଷୀଙ୍କ ମତରେ ବ୍ୟକ୍ତିର ଆବଶ୍ୟକତା ପୂରଣ କରିବାକୁ ପୃଥିବୀର ସମ୍ବଳ ତ’ ଯଥେଷ୍ଟ; ମାତ୍ର ଆମର ବଢୁଥିବା ଚାହିଦା ଓ ଅତିଶୟ କାମନାର ଚରିତାର୍ଥ ଲାଗି ଭୂଲୋକର ସମ୍ବଳ ପର୍ଯ୍ୟାପ୍ତ ନୁହେଁ। ଆଜିର ମଣିଷ ଏଭଳି ଏକ ମୃଗତୃଷ୍ଣା ପଛରେ ଦୌଡ଼ୁଛି ଯାହାକି ଏହି ପ୍ରାକୃତିକ ସମ୍ବଳକୁ ଏକପ୍ରକାର ଲୁଣ୍ଠନ କରିବାରେ ଲାଗିଛି। ପୁରୁଣା ବ୍ୟବସ୍ଥାକୁ ନଷ୍ଟ ତଥା ଧ୍ୱଂସ କରିବାରେ ଲାଗିଛି। ମଣିଷର ଚାହିଦା ପୂରଣ ଲାଗି ଅଭାବ ପଡୁଛି ତା’ର ସମ୍ବଳ। ଅନିୟମିତ ଜୀବନଶୈଳୀ, ଅତ୍ୟଧିକ କାର୍ଯ୍ୟଚାପ ମଣିଷକୁ ଆଜି ବ୍ୟାଧିଗ୍ରସ୍ତ କରିଛି। ସରଳ ଓ ନିରାଡ଼ମ୍ବର ଜୀବନକୁ ଛାଡ଼ି ଯେଭଳି ଅର୍ଥହୀନ, ବିଳାସପୂର୍ଣ୍ଣ ଓ ପ୍ରକୃତି ବିରୋଧୀ ଜୀବନ ବଞ୍ଚୁଛି ତାହା ମଧୁମେହ, ରକ୍ତଚାପ, ଅବସାଦ ଭଳି ଏକାଧିକ ଶାରୀରିକ ବିଶୃଙ୍ଖଳାକୁ ଆମନ୍ତ୍ରଣ କରୁଛି। ଏସବୁ ରୋଗ ନୁହେଁ; ଅଥଚ ଏକାଧିକ ରୋଗର ପ୍ରବେଶଦ୍ୱାର ପାଲଟିଛି।
ମେଡିକାଲ ଜର୍ଣ୍ଣାଲ ‘ନେଚର’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୭୦ ପ୍ରତିଶତରୁୁ ଊର୍ଦ୍ଧ୍ବ। ରକ୍ତଚାପ ଓ ଅବସାଦଗ୍ରସ୍ତତା ଏକ ସାଧାରଣ ସ୍ୱାସ୍ଥ୍ୟ ବିଘଟନ ପାଲଟିଛି। ଉତ୍ତମ ଚିକିତ୍ସା ପ୍ରଣାଳୀ ସତ୍ତ୍ବେ କର୍କଟ(କ୍ୟାନ୍‍ସର)ଜନିତ ମୃତ୍ୟୁ ବଢିବାରେ ଲାଗିଛି। ମାଟିରୁ ମହାକାଶ ସବୁ ଯେମିତି ପାଲଟିଛି ବିଷର ଏକ ମହାବଳୟ। ଅତୀତରେ ଆମେ ଥିଲେ ପ୍ରକୃତି ଉପାସକ। ଘାସଠାରୁ ମହାଦ୍ରୁମ ପର୍ଯ୍ୟନ୍ତ ପ୍ରତିଟି ବୃକ୍ଷରାଜିକୁ ଭାରତୀୟ ସଂସ୍କୃତିରେ ପୂଜା କରାଯାଉଥିଲା। ଧର୍ମଦର୍ଶନରେ ଭୂମିଠାରୁ ଭୂମା ପର୍ଯ୍ୟନ୍ତ ସବୁରି ଗୁରୁତ୍ୱ ଥିଲା। ଏବେ ବିଜ୍ଞାନର ଦ୍ୱାହିଦେଇ ଆମେ ଆପଣେଇଛୁ ଅପସଂସ୍କୃତି। ଗଛକାଟି ସୃଷ୍ଟି କରୁଛୁ କଂକ୍ରିଟ୍‍ ଜଙ୍ଗଲ। ନଦୀ, ନାଳ ଓ ପୁଷ୍କରିଣୀ ଭଳି ଜଳାଶୟଗୁଡିକୁ ପୋତି ଠିଆ କରିଛୁ ମାଳମାଳ ନଭଶ୍ଚୁମ୍ଭୀ ଅଟ୍ଟାଳିକା। ସଂକୁଚିତ ହେଉଛି ଶସ୍ୟକ୍ଷେତ୍ର। ସମସ୍ତ ନଦୀ, ହ୍ରଦ ଓ ସାଗର ଆଜି ଭୟଙ୍କର ଭାବେ ପ୍ରଦୂଷିତ। ମୁକ୍ତ ଆବାସସ୍ଥଳୀ ତଥା ଅଭୟାରଣ୍ୟରେ ଜୀବଜନ୍ତୁଙ୍କ ବିଲୁପ୍ତି ଘଟୁଛି; ଅଥଚ ଚିଡ଼ିଆଖାନାରେ ଚିହ୍ନିବା ଲାଗି ସେମାନଙ୍କ ଶୋଭାବର୍ଦ୍ଧନ କରାଯାଉଛି। ପ୍ରାକୃତିକ ସନ୍ତୁଳନ ଭୟଙ୍କର ଭାବେ ବିଗିଡିଛି। କେବଳ ପୃଥିବୀପୃଷ୍ଠ ନୁହେଁ; ମହାକାଶ ମଧ୍ୟ କିଭଳି ଆବର୍ଜନାପୂର୍ଣ୍ଣ ହୋଇପଡିଛି ନିକଟରେ ତା’ର ସଚିତ୍ର ବିବରଣୀ ସାମ୍ନାକୁ ଆସିଛି। ଉତ୍ତରମେରୁର ବିଶାଳ ହିମପର୍ବତ ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ତରଳିବା ଆରମ୍ଭ କରିସାରିଲାଣି। ଏ କାରଣରୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ଏକମାତ୍ର ଜୀବବାସ ଉପଯୋଗୀ ଗ୍ରହ ପୃଥିବୀରେ ଯେଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଚାଲିଛି ତାହା ଆଗାମୀ ପିଢି ଲାଗି ବିପଦ ବଢାଇଛି। ଅସମୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଆକସ୍ମିକ ଝଡ଼ବାତ୍ୟା, ବନ୍ୟା ଭଳି ଭୟଙ୍କର ପ୍ରାକୃତିକ ବିତ୍ପାତ ଦେଖିବାକୁ ମିଳୁଛି। ବିକାଶ ନାଁରେ ଆମେ ବିନାଶକୁ ଆମନ୍ତ୍ରଣ କରୁଛେ। ପ୍ରାଚୀନ ଜୀବନଚର୍ଯ୍ୟା, ପ୍ରକୃତି ଉପାସନାକୁ ଛାଡ଼ି ଆଧୁନିକତାରେ ମହିମାମଣ୍ଡିତ ହେବା ଲାଗି ବ୍ୟକ୍ତି, ସମାଜ ଓ ରାଷ୍ଟ୍ରରାଷ୍ଟ୍ର ମଧ୍ୟରେ ଯେଉଁ ଦୁର୍ବାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ତାହା କେବଳ ମାନବ ସମାଜକୁ ନୁହେଁ; ପୃଥିବୀକୁ ମଧ୍ୟ ପ୍ରଳୟାଭିମୁଖୀ କରିଛି।
ଜୀବନର ବିୟୋଗ ନୁହେଁ; ପ୍ରକୃତି ସହ ଏହାର ଯୋଗ ଲୋଡ଼ା। ‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍‍ ଦୁଃଖଭାଗ୍‍ ଭବେତ୍‌’ ଓ ‘ବସୁଧୈବ କୁଟୁମ୍ବକମ୍‍’ର ବିଚାରରେ ବଞ୍ଚିଲେ ସନ୍ତାପିତ ସମଗ୍ର ଜୀବଜଗତ ଆହ୍ଲାଦିତ ହେବ। ଧରା ତିଷ୍ଠିବ ଓ ଆମେ ବଞ୍ଚିବା।

Leave A Reply