ଭାରତର ଯୁଦ୍ଧାସ୍ତ୍ର ନିର୍ମାଣ ଓ ଆହରଣ

0
ଶରତ କୁମାର ମହାପାତ୍ର

୨୦୧୮ ଏପ୍ରିଲ ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ଚେନ୍ନଇରେ ‘ଡିଫେନ୍ସ ଏକ୍ସପୋ’ ପ୍ରତିରକ୍ଷା ପ୍ରଦର୍ଶନୀରେ ଭାରତ ନିଜର ପ୍ରତିରକ୍ଷା ନିର୍ମାଣ ଦକ୍ଷତା ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଥିଲା। ଏହି ପ୍ରଦର୍ଶନରେ ୬୭୦ଟି ପ୍ରତିରକ୍ଷା ସାମଗ୍ରୀ ନିର୍ମାତା ଅଂଶ ଗ୍ରହଣ କରିବାସହ ୧୫୫ ଏମଏମଗନ୍‌, ଏମବିଟି-ଅର୍ଜୁନ ଟ୍ୟାଙ୍କ୍‌, ‘ଟି-୯୦’, ‘ଟି-୭୨’, ବ୍ରିଜ ଲେଇଙ୍ଗ୍‌ ଟ୍ୟାଙ୍କ୍‌’ ବ୍ରହ୍ମସ୍‌, ଆକାଶ କ୍ଷେପଣାସ୍ତ୍ର, ବାୟୁସେନାର ଲାଇଟ୍ କମ୍ବାଟ୍‌ ଏଆରକ୍ରାଫ୍ଟ- ‘ତେଜସ୍‌’, ଆଡ଼ଭାନ୍ସ ଲାଇଟ୍‌ ହେଲିକପ୍ଟର- ‘ଧ୍ରୁବ’ ଓ ସିଭିଲିଆନ ଏଆରକ୍ରାଫ୍ଟ ‘ଡୋନିୟର’, ନୈାସେନାର ଜାହାଜ ନିର୍ମାଣ କ୍ଷମତାକୁ ପ୍ରଦର୍ଶନ କରାଯାଇଥିଲା। ଦେଶର ଘରୋଇ ପ୍ରତିରକ୍ଷା ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଥିଲା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ‘ଇନୋଭେସନ ଫର ଡିଫେନ୍ସ ଏକ୍ସଲେନ୍ସ’ ନାମକ ଏକ ନୂଆ ଯୋଜନାର ଶୁଭାରମ୍ଭ କରିିଥିଲେ। ସେନାବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ଏବଂ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସକାଶେ ସରକାର ଘରୋଇ ଉଦ୍ୟୋଗଗୁଡ଼ିକ ସହିତ ମିଳିତ ଭାବେ କାମ କରିବାର ଆବଶ୍ୟକତା ଉପଲବ୍ଧି କରୁଛନ୍ତି।
୨୦୦୬ ଅକ୍ଟୋବର ମସିହାରୁ ୨୦୧୪ ମେ’ ପର୍ଯ୍ୟନ୍ତ (ପ୍ରାୟ ଦୀର୍ଘ ୮ବର୍ଷ) ଆଣ୍ଟୋନୀ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ତାଙ୍କ ସମୟରେ ୟୁପିଏ ସରକାର ଦୁର୍ନୀତିରେ ଛନ୍ଦିହୋଇ ପଡ଼ିଥିଲା। କୌଣସି ବିଷୟରେ ନିଷ୍ପତ୍ତି ନେବା ସମ୍ଭବପର ନହେବା କାରଣରୁ ସେନାର ଆଧୁନିକୀକରଣ ପ୍ରସ୍ତାବ ଦୂରର କଥା, ଦୈନନ୍ଦିନ ଆବଶ୍ୟକତା ପୂରଣରେ ଘୋର ବିଭ୍ରାଟ ସୃଷ୍ଟି ହୋଇଥିଲା। କୌଣସି ସଘନ ଯୁଦ୍ଧ ପାଇଁ ଗୁଳିଗୋଳାର ଘୋର ଅଭାବ ସୃଷ୍ଟି ହୋଇଥିଲା ଯାହାକି ଏପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ବର୍ତ୍ତମାନର ଏନଡିଏ ସରକାର ଯୁଦ୍ଧାସ୍ତ୍ର ନିର୍ମାଣ ଓ ଆହରଣ ଉପରେ ଗୁରୁତ୍ବ ଦେଉଛନ୍ତି।
ବିଭିନ୍ନ ଦେଶର ସୈନ୍ୟବାହିନୀର ଶକ୍ତି, ଯୁଦ୍ଧ ସାମଗ୍ରୀ,ସୈନ୍ୟ ଓ ସାମର୍ଥ୍ୟକୁ ନେଇ ଏକ ବିଶ୍ବ ମହାଶକ୍ତି ତାଲିକା ପ୍ରକାଶ ପାଇଛି। ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ (ଜିଏଫଆଇ) ଏବଂ କ୍ରେଡିଟ୍‌ ସ୍ୟୁସେ ଦ୍ବାରା ପ୍ରସ୍ତୁତ ଏହି ଶକ୍ତିଶାଳୀ ସଶସ୍ତ୍ରସେନା ତାଲିକାରେ ପ୍ରଥମ ସ୍ଥାନରେ ଆମେରିକା, ଦ୍ବିତୀୟ ସ୍ଥାନରେ ରୁଷ, ତୃତୀୟ ସ୍ଥାନରେ ଚୀନ ଓ ଚତୁର୍ଥ ସ୍ଥାନରେ ଭାରତ ରହିଛନ୍ତି। ଆମେରିକା, ଚୀନ, ରୁଷିଆ ଓ ସାଉଦି ଆରବ ପରେ ଭାରତ ଯୁଦ୍ଧାସ୍ତ୍ର ଆହରଣ ପାଇଁ ଅର୍ଥବ୍ୟୟ କରିବାରେ ପୃଥିବୀରେ ୫ମ ସ୍ଥାନରେ ରହିଛି। ବିଗତ ୧୫ ବର୍ଷରେ ଭାରତ ଯୁଦ୍ଧାସ୍ତ୍ର ଆମଦାନୀରେ ୭୫ ବିଲିଅନ ଡଲାର ଅର୍ଥ ବ୍ୟୟ କରିଥିବାର ଜଣାଯାଏ। ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ୪୧ ସଂଖ୍ୟକ ଅର୍ଡାନ୍ସ ଫାକ୍ଟରୀ, ୪ଟି ଡିଫେନ୍ସ ସିପ୍‌ୟାର୍ଡ, ୫ଟି ଡିଫେନ୍ସ ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଙ୍ଗ୍‌, ୫୨ ସଂଖ୍ୟକ ଡିଆରଡିଓ ଲାବୋ​‌େ​‌ର‌େ‌ଟାରି ରହିଛି। ତଥାପି ଭାରତୀୟ ସେନା ପାଇଁ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ବର୍ତ୍ତମାନ ଭାରତ ଯୁଦ୍ଧାସ୍ତ୍ର ଆମଦାନୀରେ ସମଗ୍ର ପୃଥିବୀରେ ପ୍ରଥମ। ୨୦୧୪ ମସିହାରେ ଏନଡିଏ ସରକାର ଆସିଲା ପରଠାରୁ ୧.୩ ଲକ୍ଷ କୋଟି ଟଙ୍କାର ଯୁଦ୍ଧାସ୍ତ୍ର ବିଦେଶରୁ ଆମଦାନୀ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତଥାପି ଭାରତୀୟ ସେନା ୬୮ ପ୍ରତିଶତ ଅତି ପୁରୁଣାକାଳିଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ଯାହାକି ଆଦୌ ସ୍ପୃହଣୀୟ ନୁହେଁ। ୨୦୧୮ ମାର୍ଚ୍ଚ ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରାଳୟ ‘ଡିଫେନ୍ସ ପ୍ରଡକ୍ସନ ପଲିସି-୨୦୧୮’ ଜାରି କରିଛନ୍ତି। ୨୦୨୫ ମସିହା ସୁଦ୍ଧା ଭାରତ ବିଶେଷ ଧରଣର ଯୁଦ୍ଧାସ୍ତ୍ରଗୁଡ଼ିକର ନିର୍ମାଣରେ ସ୍ବାବଲମ୍ବୀ ହୋଇପାରିବ ବୋଲି ଏଥିରେ ଦର୍ଶାଯାଇଛି।
ଭାରତୀୟ ସ୍ଥଳ ସେନାର ୩୮୨ ସଂଖ୍ୟକ ଇନ୍‌ଫ୍ରାନଟ୍ରି ବାଟାଲିଅନ ୨୦୦୫ ମସିହାରୁ ଏସଲ୍ଟରାଇଫଲ୍‌, କାର୍ବାଇନ ଯୋଗାଇବାକୁ ଅନୁରୋଧ କରିଆସୁଥିଲା। ଦୀର୍ଘ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ସରକାର ଏହାକୁ ଏଡ଼ାଇ ଦେଇ ଆସୁଥିଲେ, ମାତ୍ର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ଏକ୍ୟୁଜିସନ କାଉନସିଲ ୨୦୧୮ ଫେବୃଆରୀ ୧୩ ତାରିଖରେ ଏହାର ଆହରଣ ପାଇଁ ଅନୁମୋଦନ କଲାପରେ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା ୨୦୧୮ ମାର୍ଚ୍ଚ ୨୩ ତାରିଖରେ ଆରମ୍ଭ ହୋଇଛି। କ୍ଳୋଜ୍‌କ୍ବାଟର ବେଟଲ୍‌ ପାଇଁ ୯୩୮୯୫ କାର୍ବାଇନ୍‌, ୭୨୪୦୦ ସଂଖ୍ୟକ ଏସଲ୍ଟ ରାଇଫଲ ଏବଂ ୧୬୪୭୯ ସଂଖ୍ୟକ ଲାଇଟ ମେସିନ୍‌ଗନ୍‌ ଆହରଣ ପାଇଁ ମୋଟ ୫୩୬୬କୋଟି ଟଙ୍କା ବ୍ୟୟ ହେବ। ଭାରତୀୟ ସେନା ନିମନ୍ତେ ଚାଳକବିହୀନ ଡ୍ରୋନ୍‌ର ଆବଶ୍ୟକତା ରହିଥିବାବେଳେ ଘାତକ କମ୍ବାଟ୍‌ ଡ୍ରୋନ୍‌ର ପ୍ରକଳ୍ପ ପାଇଁ ଡିଆରଡିଓ ୨୬୫୦ କୋଟି ଟଙ୍କା ବ୍ୟୟ କରିବ। କେମିକାଲ, ବାୟୋଲଜିକାଲ, ରେଡ଼ିଓଲଜିକାଲ ଓ ନ୍ୟୁକ୍ଲିଅର (ସିବିଆରଏନ) ଡିଫେନ୍ସ ସିଷ୍ଟମର ସରଞ୍ଜାମଗୁଡ଼ିକ ସରକାର ମେକ-ଇନ-ଇଣ୍ଡିଆ ପ୍ରୟାସରେ ଦେଶ ଭିତରେ ନିର୍ମାଣ କରିବାକୁ ପ୍ରାଧାନ୍ୟ ଦେଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ।
ଭାରତୀୟ ବାୟୁସେନାରେ ୪୨ସଂଖ୍ୟକ ଲଢ଼ୁଆ ସ୍କ୍ବାର୍ଡନର ଆବଶ୍ୟକତା ଥିବାବେଳେ ଏବେ ମାତ୍ର ୩୧ଟି ସ୍କ୍ବାର୍ଡନ ରହିଛି। ସେଥିରୁ ଅନେକ ଲଢ଼ୁଆ ବିମାନ ଖୁବ୍‌ ପୁରୁଣା ଓ ଯୁଦ୍ଧପାଇଁ ଯୋଗ୍ୟ ନୁହେଁ। ଏହି ଅଭାବକୁ ପୂରଣ ନିମନ୍ତେ ଫ୍ରାନ୍ସର ‘ରାଫାଲେ’ ଜେଟ୍‌ କ୍ରୟ କରିବାକୁ ବର୍ତ୍ତମାନ ସରକାର ତତ୍ପର। ୧୧୦ ସଂଖ୍ୟକ କମ୍ବାଟ୍‌ ଏଆରକ୍ରାଫ୍ଟ କିଣିବା ପାଇଁ ୨୦୧୮ ଏପ୍ରିଲ ପ୍ରଥମ ସପ୍ତାହରେ ସରକାର ‘ରି‌‌‌େ​କ୍ବଷ୍ଟ-ଫର-ଇନଫରମେସନ୍‌’ (ଆରଏଫଆଇ) ଜାରି କରି ଟେଣ୍ଡର ପ୍ରକ୍ରିୟ​‌​‌ା ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି। ପୂର୍ବରୁ ୩୬ ସଂଖ୍ୟକ ‘ରାଫାଲେ’ ଲଢ଼ୁଆ ବିମାନ ୫୯୦୦୦ କୋଟିଟଙ୍କା ବିନିମୟରେ କିଣିବାପାଇଁ ଫ୍ରାନ୍ସ ସରକାରଙ୍କ ସହ ରାଜିନାମା କରି ସାରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ୍‌’ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବାକୁ ୨୦୧୮ ମାର୍ଚ୍ଚ ୧୫ରେ ବାୟୁସେନା ସମ୍ମତି ପ୍ରଦାନ କରିଛି। ଦେଶ ଭିତରେ ‘ତେଜସ’ ବିମାନର ଉତ୍ପାଦନ ସଂଖ୍ୟାକୁ ବୃଦ୍ଧି କରାଯାଇ ଏଚଏଏଲ ଉନ୍ନତ ଧରଣର ମାର୍କ-୨ ସ୍ତରର ବିମାନ ଯୋଗାଇବାରେ ଉଦ୍ୟମ କରିବ। ‘ତେଜସ’ ହେଉଛି ଏକ କମ୍‌ ଓଜନ ବିଶିଷ୍ଟ ସୁପରସୋନିକ ବହୁମୁଖୀ ଲଢ଼ୁଆ ବିମାନ। ଏହି ବିମାନଗୁଡ଼ିକ ସାମିଲ ହେବାଦ୍ବାରା ବାୟୁସେନାର କ୍ଷମତା ବୃଦ୍ଧି ପାଇବ। ୨୦୧୮ ଏପ୍ରିଲ ୧୦ରୁ ୨୩ ପର୍ଯ୍ୟନ୍ତ ଆମ ବାୟୁସେନାର ସମରାଭ୍ୟାସ- ‘ଗଗନ ଶକ୍ତି’ରେ ୧୧୦ରୁ ଅଧିକ ବିିଭିନ୍ନ କିସମର ବିମାନ ଓ ହେଲିକପ୍ଟର, ୩୦୦ ଅଫିସର, ୧୫ହଜାର ବାୟୁସେନା ଯବାନଙ୍କୁ ସାମିଲ କରାଯାଇଥିଲା। ମରୁଭୂମି, ଜଙ୍ଗଲ, ତଥା ପାର୍ବତ୍ୟପୂର୍ଣ୍ଣ ଅଞ୍ଚଳରେ କିଭଳି ଶତ୍ରୁର ମୁକାବିଲା କରାଯାଇ ପାରିବ ତାହା ବାୟୁସେନା ପ୍ରଦର୍ଶନ କରିଛି। ଚୀନ ସଂଲଗ୍ନ ଅରୁଣାଚଳ ପ୍ରଦେଶର ପାସିଘାଟ, ଏଲଙ୍ଗ୍‌, ଜିରୋ, ୱାଲଙ୍ଗ୍‌ରେ ବିମାନଘାଟି ନିର୍ମାଣକାର୍ଯ୍ୟ, ୨୦୦୬ରେ ଆରମ୍ଭ ହୋଇଥିଲା। ସେଥିରୁ କେତେକ ବର୍ତ୍ତମାନ କାର୍ଯ୍ୟକ୍ଷମ। ୧୯୬୨ ଯୁଦ୍ଧ ସମୟରେ ‘ମେଚୁକା’ ବିମାନଘାଟି ବ୍ୟବହୃତ ହେବାପରେ ଦୀର୍ଘସମୟ ଅବ୍ୟବହୃତ ଭାବେ ପଡ଼ିରହିଥିଲା। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏବେ ଏହା କାର୍ଯ୍ୟକ୍ଷମ। ଉତ୍ତରାଖଣ୍ଡର ଡେରାଡୁନ ନିକଟବର୍ତ୍ତୀ ଏକ ବେସାମରିକ ବିମାନଘାଟି ‘ଜୋଲିଗ୍ରାଣ୍ଟ’କୁ ସକ୍ରିୟ କରିବାସହ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାକୁ ନିଆଯାଉଛି ପଦକ୍ଷେପ। ୨୦୧୮ ଫେବୃଆରୀ ୧୯ ଓ ୨୦ରେ ଏଥିରେ ‘ସୁଖୋଇ-୩୦’ କମ୍ବାଟ୍‌ ଏଆରକ୍ରାଫ୍ଟକୁ ପରୀକ୍ଷାମୂଳକ ଅବତରଣ କରାଯାଇଛି। ଆସାମର ତେଜପୁର, ପଶ୍ଚିମବଙ୍ଗର ହାସିମାରା, ବାଗ୍‌ଡୋଗ୍ରା ବାୟୁସେନା ଘାଟିରେ କମ୍ବାଟ ଏଆରକ୍ରାଫ୍ଟ ମୁତୟନ କରାଯାଇଛି।
ଭାରତୀୟ ନୌବାହିନୀରେ ​‌େ​‌ସ୍କ୍ରାର୍ପେନ୍‌ ବର୍ଗର ତୃତୀୟ ସବ୍‌ମେରାଇନ୍‌ ‘ଆଇଏନଏସ-କରଞ୍ଜ’କୁ ୨୦୧୮ ଜାନୁଆରୀ ୩୧ରେ ନୌସେନାରେ ସାମିଲ କରାଯାଇଛି। ଏହି ବର୍ଗର ପ୍ରଥମ ସବ୍‌ମେରାଇନ୍‌ ‘ଆଇଏନଏସ-କଲବରୀ’କୁ ନବୀକରଣ ପରେ ୨୦୧୭ ଡିସେମ୍ବରରେ କରାଯାଇଥିଲା ସାମିଲ । ଗୋଟିଏ ସବ୍‌ମେରାଇନ୍‌ ନିର୍ମାଣ କରିବାକୁ ସାଧାରଣତଃ ୮ରୁ ୧୦ ବର୍ଷ ସମୟ ଲାଗିଥାଏ। ବର୍ତ୍ତମାନ ନୈାବାହିନୀରେ ମାତ୍ର ୧୩ଟି କନଭେନସନାଲ ସବମେରାଇନ ରହିଛି। ‘ପ୍ରୋଜେକ୍ଟ-୭୫ ଇଣ୍ଡିଆ’ ମାଧ୍ୟମରେ ୭୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୬ଟି ଡିଜେଲ-ଇଲେକ୍ଟ୍ରିକ୍‌ ସବ୍‌ମେରାଇନ୍‌ ନିର୍ମାଣ କରିବାକୁ ୨୦୦୭ରେ ଅନୁମୋଦନ କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ଏହାରି ପ୍ରଗତି ଆଦୌ ଉତ୍ସାହଜନକ ନୁହେଁ। ନୌବାହିନୀରେ ଏବେ ଏକ ଇଞ୍ଜିନ ବିଶିଷ୍ଟ ଅତିପୁରୁଣା ‘ଚେତକ୍‌’ ହେଲିକପ୍ଟର ରହିଛି। ନୌବାହିନୀରେ ୧୧୧ ସଂଖ୍ୟକ ଦୁଇ ଇଞ୍ଜିନ ବିଶିଷ୍ଟ ଲାଇଟ୍‌ ୟୁଟିଲିଟି ହେଲିକପ୍ଟର ଆବଶ୍ୟକତା ରହିଛି ଯେଉଁଥିପାଇଁ ୨୧୨୭୩କୋଟି ଟଙ୍କା ବ୍ୟୟ ହେବ। ଉଭୟ ଜଳ ଓ ସ୍ଥଳ ଭାଗରେ ଏମଫିବିୟସ୍‌ ଅପରେସନ ପାଇଁ ଉଭୟରେ ଯୁଦ୍ଧପୋତର ଆବଶ୍ୟକତା ରହିଛି। ଅତଳ ଜଳରାଶି ଭିତରେ ସବ୍‌ମେରାଇନ୍‌କୁ ଠାବ କରିବାପାଇଁ ମଲ୍‌ଟିରୋଲ ହେଲିକପ୍ଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ରି‌େକ୍ବଷ୍ଟ ଫର୍‌ ଇନଫରମେସନ ଜାରି କରାଯାଇଛି।
ଭାରତର ପ୍ରତିରକ୍ଷା ବାହିନୀ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ପରିଚାଳିତ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହି ମନ୍ତ୍ରାଳୟ କେବଳ ବ୍ୟୁରୋକ୍ରାଟସଙ୍କ ଦ୍ବାରା ପରିଚାଳିତ, ଯେଉଁମାନେ ଯୁଦ୍ଧାସ୍ତ୍ରର କ୍ଷମତା ତଥା ସେନାବାହିନୀର କାର୍ଯ୍ୟପ୍ରଣାଳୀ ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ। ତିନିବାହିନୀର ମୁଖ୍ୟାଳୟ ଏହି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ ସଂପାଦନ କରିଥାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ କୌଣସି ନିଷ୍ପତ୍ତି ନେବାରେ ସେନାର ତିନି ମୁଖ୍ୟାଳୟର କୌଣସି ପ୍ରତ୍ୟକ୍ଷ ଭୂମିକା ନଥାଏ। ଏହାହିଁ ସବୁଠୁଁ ଦୁର୍ଭାଗ୍ୟଜନକ। ବର୍ତ୍ତମାନ ସରକାର ୨୦୨୫ ମସିହା ସୁଦ୍ଧା ଅଧିକାଂଶ ଅସ୍ତ୍ରଶସ୍ତ୍ର ନିର୍ମାଣରେ ସ୍ବାବଲମ୍ବୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ସ୍ଥିତିରେ ଏହା କେତେଦୂର ସମ୍ଭବ ଏହା ସମୟହିଁ କହିବ।

Leave A Reply